ନୂଆଦିଲ୍ଲୀ,୨୫ା୫:ଫାରହାନ୍ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍ ଓ୍ବେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲୟିଜ୍ (ଏଫ୍ଡବ୍ଲ୍ୟୁଆଇସିଇ) ତାଙ୍କୁ ବାସନ୍ଦ କରିଥିବା ସୋମବାର ଘୋଷଣା କରିଛି। ୨୦୦୩ରେ ରଣବୀରଙ୍କୁ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ସୁପରଷ୍ଟାର ଶାହରୁଖ୍ ଖାନ୍ଙ୍କ ସ୍ଥାନରେ ନୂଆ ଡନ୍ରେ ଅଭିନୟ ପାଇଁ ବଛାଯାଇଥିଲା। ତେବେ ଶେଷ ମୁହୂର୍ତ୍ତରେ ଅଭିନେତା ଡନ୍-୩ରୁ ଓହରିଯିବାରୁ ଚଳଚ୍ଚିତ୍ର ନିର୍ମାତାଙ୍କୁ ପାଖାପାଖି ୪୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିବା ଅଖତର ପୂର୍ବରୁ ଅଭିଯୋଗ କରିଥିଲେ। ତେବେ ଚଳଚ୍ଚିତ୍ରର କାହାଣୀକୁ ନେଇ ରଣବୀର ଖୁସି ନ ଥିଲେ ବୋଲି ଅନ୍ୟ ରିପୋର୍ଟରେ ଦର୍ଶାଯାଇଥିଲା। ସୋମବାର ମୁମ୍ବାଇରେ ଏଫ୍ଡବ୍ଲ୍ୟୁଆଇସିଇ ଏକ ଖବରଦାତା ସମ୍ମିଳନୀରେ ରଣବୀରଙ୍କ ବିରୋଧରେ ଅସହଯୋଗ ନିର୍ଦ୍ଦେଶ ଜାରି କରିବା ସହ ତାଙ୍କ ସହିତ କାମ ନ କରିବାକୁ ଫିଲ୍ମ ଶିଳ୍ପକୁ ନିର୍ଦ୍ଦେଶ ଦେଇଛି।
Dharitri – Odisha’s No.1 Odia Daily

