ନୂଆଦିଲ୍ଲୀ,୧୯।୪:ବିଶ୍ୱର କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ନିଜ ପ୍ରଶଂସକଙ୍କ ସହ ଏକ ଦୁଃଖ ଖବର ଶେୟାର କରିଛନ୍ତି। ରୋନାଲଡୋ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜ ସେମାନଙ୍କ ନବଜାତ ପୁତ୍ର ସନ୍ତାନକୁ ହରାଇଛନ୍ତି। ମଞ୍ଚେଷ୍ଟର ୟୁନାଇଟେଡ ତାରକା କ୍ରିଷ୍ଟିଆନୋ ଟୁଇଟର୍ରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଜର୍ଜିନା ଯାଆଁଳା ସନ୍ତାନ ପ୍ରସବ ସମୟରେ ତାଙ୍କର ଜଣେ ପୁଅଙ୍କର ମୃତ୍ୟୁ ଘଟିଛି। ତାଙ୍କ ଝିଅ ସୁରକ୍ଷିତ ଅଛନ୍ତି। ଏହି ଖବର ଜଣାଇବାପରେ ପ୍ରଶଂସକଙ୍କ ସହ ଫୁଟବଲ ଜଗତର କିମ୍ବଦନ୍ତୀ ଖେଳାଳିମାନେ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି।
କ୍ରିଷ୍ଟିଆନୋ ରୋନାଲଡୋ ଏବଂ ତାଙ୍କର ଦୀର୍ଘ ଦିନର ସାଥୀ ଜର୍ଜିନା ରୋଡ୍ରିଗେଜ ଟୁଇଟର୍ରେ ଶେୟାର କରିଥିବା ଏକ ପୋଷ୍ଟରେ କହିଛନ୍ତି, ଆମ ପୁଅର ମୃତ୍ୟୁ ଖବର ଘୋଷଣା କରିବା ଅତ୍ୟନ୍ତ ଦୁଃଖର ବିଷୟ। ଏହା କେତେ ଯନ୍ତ୍ରଣାଦାୟକ ତାହା ଯେକୌଣସି ମାତାପିତାଙ୍କ ଅନୁଭବ କରିପାରୁଥିବେ। ଏବେ କେବଳ ଝିଅକୁ ଦେଖି ଆମେ କିଛି ସମୟ ଖୁସିରେ ବିତାଇ ପାରିବୁ। ଶିଶୁର ସମସ୍ତ ଯତ୍ନ ଏବଂ ସହାୟତା ପାଇଁ ସେ ଚିକିତ୍ସିତ ହେଉଥିବା ଡାକ୍ତର ଏବଂ ନର୍ସମାନଙ୍କୁ ଧନ୍ୟବାଦ୍। ଏହି ସମୟରେ ଏକ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥିବାରୁ ଗୋପନୀୟତାକୁ ପ୍ରାଥମିକତା ଦେବାକୁ ରୋନାଲଡୋ ନିଜ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି। ଗତ ବର୍ଷ ଅକ୍ଟୋବରରେ କ୍ରିଷ୍ଟିଆନୋ ରୋନାଲଡୋ ଯାଆଁଳା ଶିଶୁଙ୍କ ପିତା ହେବାକୁ ଯାଉଥିବା କଥା ପ୍ରଶଂସକଙ୍କ ସହ ଶେୟାର କରିଥିଲେ। ରୋନାଲଡୋଙ୍କର ପୂର୍ବରୁ ୪ ସନ୍ତାନ ଅଛନ୍ତି।


