Posted inଫୁରସତ

ଶେଷ ଯାଏ ମୂର୍ତ୍ତି ଗଢୁଥିବି: କଳ୍ପତରୁ ମହାରଣା

ଶିଳ୍ପୀଙ୍କ ଯାଦୁକରି ହାତର ସ୍ପର୍ଶରେ ନିର୍ଜୀବ ପଥର ଦେହରେ ବି ସଂଚାରିତ ହୁଏ କଳାକୃତିରେ ପ୍ରାଣ। ନିହାଣ ମଗୁରରେ ପଥରକୁ ଖୋଦେଇକରି ଗଢ଼ିତୋଳନ୍ତି ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ମୂର୍ତ୍ତି। ପଥରରେ ତିଆରି ସୁନ୍ଦର ସୁନ୍ଦର କଳାକୃତିକୁ ଦେଖିଲେ ମନେହୁଏ ସଜଫୁଟା ଫୁଲପରି ସତେଜ ଓ ଜୀବନ୍ତ। ଏପରି କଳାକାରିଗରିରେ ଶିଳ୍ପୀ ଖୋଜିଥାନ୍ତି ବିଭିନ୍ନ କାଳ୍ପନିକ, ପୌରାଣିକ ଓ ଐତିହାସିକ ବିଷୟ ଉପରେ ଆଧାରିତ କେତେକ ପ୍ରସଙ୍ଗ। ସେମିତି ଜଣେ ଶିଳ୍ପୀ ତାଙ୍କ ଗାଁ ପାଖ ପାହାଡ଼ ଓ ଜଙ୍ଗଲର ପ୍ରାକୃତିକ ଶୋଭା ତଥା ଐତିହ୍ୟଭରା ସ୍ମୃତିକୁ ସାଉଁଟି ପଥରରେ ତିଆରି କରନ୍ତି ନୂତନ କଳାକୃତି। ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଶିଳ୍ପୀଗୁରୁ କଳ୍ପତରୁ ମହାରଣା। ଜନ୍ମ ୨୬ା୮ା୧୯୫୪ରେ। ପିତା ଭୋଳି ମହାରଣା। ମା’ ସୁକଲତା ମହାରଣା। ଘର କଟକ ଜିଲାର ମାହାଙ୍ଗା ଥାନା ଅନ୍ତର୍ଗତ ଲଳିତଗିରି ଗାଁରେ। ବର୍ତ୍ତମାନ ସେ ରହୁଛନ୍ତି ଭୁବନେଶ୍ୱର କପିଳପ୍ରସାଦ ଅଞ୍ଚଳରେ। ସେ କୁହନ୍ତି, ବଢ଼େଇ କୂଳରେ ମୋର ଜନ୍ମ। ଆମର ପୂର୍ବଜମାନେ ଭଗବାନ ବୁଦ୍ଧଙ୍କ କେତେକ ପଥରମୂର୍ତ୍ତି ଗଢ଼ିଛନ୍ତି। ମା’ବାପାଙ୍କର ଆମେ ୪ପୁଅ ଓ ୩ ଝିଅ। ସେତେବେଳେ ଘରର ଆର୍ଥତ୍କ ଅବସ୍ଥା ଭଲ ନ ଥିଲା। ବିଭିନ୍ନ ପଥରମୂର୍ତ୍ତି କାମରେ ମୋ ବାପା କାମ କରୁଥିଲେ। ଗାଁ ଚାଟଶାଳୀରେ ପଢ଼ା ପରେ ସ୍କୁଲରେ ୯ମ ଯାଏ ପଢ଼ିଛି।

ସ୍କୁଲରୁ ଫେରିଲା ପରେ ବିଭିନ୍ନ ପଥର କାମ ପାଇଁ ଶିଳପୁଆ, ଖଲ, ଶିଳ ଆଦି କେତେକ ଘରକରଣା ପଥର ସାମଗ୍ରୀକୁ ତିଆରି କରିବା ଶିଖିଥିଲି। ସମୟକ୍ରମେ ମୂର୍ତ୍ତି ଗଢ଼ିବା ଶିଖିଲି। ପ୍ରଥମେ ବୁଦ୍ଧମୂର୍ତ୍ତି ଗଢ଼ିଥିଲିି। ସେତେବେଳେ ଥରେ ହସ୍ତକଳା ଡିଜାଇନର ନବକିଶୋର ସାହୁ ଏବଂ ଜଗନ୍ନାଥ ଦାସ ଆମ ମୂର୍ତ୍ତିଗଢ଼ିବା ସ୍ଥାନକୁ ଆସିଥିଲେ। ପ୍ରଥମେ ମତେ ଏହି କାର୍ଯ୍ୟରେ ଉତ୍ସାହିତ କରିଥିଲେ। ତା’ପରେ ସେମାନଙ୍କ ସହିତ କଥା ହୋଇ ୧୯୬୭ରେ ଭୁବନେଶ୍ୱରରେ ପହଞ୍ଚିଥିଲି। ଏହାପରେ ସେତେବେଳେ ଖଦି ବୋର୍ଡ଼ରେ ଥିବା ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ମୋ ମୂର୍ତ୍ତିଗଢ଼ିବା ଶୈଳୀକୁ ଦେଖି ମତେ ଅଧିକ ଉତ୍ସାହିତ କରିଥିଲେ। ୧୯୭୯ମସିହାରେ ହାଣ୍ଡିକ୍ରାଫ୍ଟ ସେଣ୍ଟରରେ ଇନ୍‌ସପେକ୍ଟର ଭାବେ ନିଯୁକ୍ତି ପାଇଥିଲି । ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପାଖରେ ରହି ତାଙ୍କଠାରୁ ଏହି ସ୍ଥପତି କଳାକାରିଗରି ସମ୍ପର୍କରେ ଅଧିକ ଶିକ୍ଷାଲାଭ ପାଇଁ ତାଲିମ ନେଇଥିଲି। ଏଥିପାଇଁ ବିଭିନ୍ନ ପୁରାଣଶାସ୍ତ୍ରକୁ ଅଧ୍ୟୟନ କରି ସେସବୁ ବିଷୟ ସମ୍ପର୍କରେ ଜାଣିଲି। ପଥର ଦେହରେ ବିଭିନ୍ନ ମୂର୍ତ୍ତିର ପ୍ରତିକୃତି କିପରି ଗଢ଼ିହେବ ସେଥିପାଇଁ ପ୍ରଥମେ ପ୍ରଥମେ ପଥରକୁ ମାପକରି ମୂର୍ତ୍ତି ସାଇଜ ନିମନ୍ତେ ଆକଳନ କରିଥାଉ। ଫର୍ମାଟ ଅନୁସାରେ ଆଉଟ ସାଇଜ କରୁ। ଆବଶ୍ୟକ ମୂର୍ତ୍ତିର ନମୁନା ମାପ ଅନୁସାରେ ଖୋଦନ କରିଥାଏ। ତା’ପରେ ଅଙ୍କନ ଅନୁସାରେ ମୂର୍ତ୍ତି ଗଢ଼ିଥାଉ। ଏଥିପାଇଁ ଆବଶ୍ୟକ ପଡ଼ୁଥିବା ବିଭିନ୍ନ ପ୍ରକାର ପଥରକୁ କିଣିବାକୁ ପଡ଼ିଥାଏ। ଧକୋଠ, ଖିଚିଂ, ବାଲେଶ୍ୱର, ଖୋର୍ଦ୍ଧା ଆଦି କେତେକ ଅଞ୍ଚଳରୁ ଏହି ମୂର୍ତ୍ତି ଗଢ଼ିବା ପଥରକୁ ସଂଗ୍ରହକରି ଆଣିବାକୁ ପଡ଼ିଥାଏ। ପଥର ଶିଳ୍ପୀ ଭାବେ ମୂର୍ତ୍ତିଗଢ଼ିବା ଅଭ୍ୟାସ ଜାରି ରହିଲା। ଆଜକୁ ପ୍ରାୟ ୬ଦଶନ୍ଧି ଧରି ଏମିତି ପଥରରେ ହସ୍ତଶିଳ୍ପର କଳାକୃତିକୁ ଗଢ଼ିଚାଲିଛି। ପ୍ରତିବର୍ଷ ମୋ ପାଖରୁ ଏକାଧିକ ଶିଷ୍ୟ ପଥରର ହସ୍ତକଳାକୁ ନେଇ ତାଲିମ ପାଇଥାନ୍ତି। ଯେଉଁ କାମଟିକୁ କରେ ସମ୍ପୂର୍ଣ୍ଣ ନ ହେଲା ପର୍ଯ୍ୟନ୍ତ ରହିପାରେ ନାହିଁ ।

ଗୋଟିଏ କଥା ମନେପଡୁଛି ଥରେ ଦିଲ୍ଲୀରେ ଉତ୍କଳିକା ତରଫରୁ ଏକ ହସ୍ତଶିଳ୍ପ କଳା ପ୍ରଦର୍ଶନ ହୋଇଥିଲା। ହସ୍ତତନ୍ତ କଳାକୃତି ପ୍ରଦର୍ଶନରେ ମୋ ହାତଗଢ଼ା ଏକ ପଥରର (ଦୁର୍ବାସାଙ୍କ )ମୂର୍ତ୍ତିଟିଏ ସେଠାରେ ରଖାଯାଇଥିଲା। ଏହାକୁ ଆମେରିକାର ଜଣେ ବ୍ୟକ୍ତି ଦେଖି ଖୁସି ହୋଇପଡ଼ିଥିଲେ। ତାପରେ ସେଠାରୁ ସେହି ମୂର୍ତ୍ତିକୁ ସେ କିଣିକରି ନେଇଥିଲେ। କିନ୍ତୁ ଟ୍ରାନ୍‌ସପୋର୍ଟିଂରେ କାୈଣସି କାରଣରୁ ହୁଏତ କେମିତି ମୂର୍ତ୍ତିର ଅଗ୍ରଭାଗ ଚୂଳ ଟିକେ ଭାଙ୍ଗି ଯାଇଥିଲା। ମାତ୍ର ଆମେରିକାରେ ପହଞ୍ଚିଲା ପରେ ସେଠାରେ ସେହି ମୂର୍ତ୍ତିର ଏମିତି ଅବସ୍ଥା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ପରେ ସେହି ମୂର୍ତ୍ତିର ସେହି ଭଙ୍ଗା ଅଂଶକୁ ଧରି ସେହି ଦମ୍ପତ୍ତି ଭୁବନେଶ୍ୱରର ଶିଶୁପାଳଗଡ଼ଠାରେ ପହଞ୍ଚିଥିଲେ। ସେଦିନ ସେ ହସ୍ତଶିଳ୍ପକଳା ସେଣ୍ଟରରେ ରହି ବହୁତ ଖୁସି ହୋଇପଡ଼ିଥିଲେ । ଏହାପରେ ସେହି ମୂର୍ତ୍ତିକୁ ଯୋଡ଼ିବାର ମାପ କୌଶଳ ବତାଇ ଦେଇଥିଲୁ । ତାପରେ ସେ ଖୁସିିରେ ସେହି ମୂର୍ତ୍ତିର ଭଙ୍ଗାଅଂଶକୁ ନେଇ ଆମେରିକାକୁ ଫେରିଯାଇଥିଲେ। ଏକଥା ସବୁଦିନ ମନେ ରହିବ। ସେମାନଙ୍କଠାରୁ କଳା ପ୍ରତି ଥିବା ଉତ୍ସାହ ମତେ ଅଧିକ ପ୍ରେରଣା ଦେଇଛି। ଆବୁଧାବିରେ ଏକ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୧୭ଶହ ମୂର୍ତ୍ତିର ଆବଶ୍ୟକ ରହିଛି। ସେଥିପାଇଁ ଏବେ ସେହି କାମ ଚାଲିଛି। ପୂର୍ବରୁ ମୁଁ ମୋର ଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସହିତ ବିଭିନ୍ନ ସ୍ଥାନରେ ଯାଇ ଅନେକ ମୂର୍ତ୍ତି ଗଢ଼ିଛି। ୧୯୮୫ରେ ରାଜ୍ୟ ସରକାରଙ୍କଠାରୁ ଶ୍ରେଷ୍ଠ ଶିଳ୍ପୀ ପୁରସ୍କାର, ୨୦୧୬ରେ ରାଜ୍ୟସ୍ତରୀୟ ଲଳିତକଳା ଏକାଡ଼େମୀରୁ ଶିଳ୍ପୀଗୁରୁ, ୨୦୧୪ରେ ତପସ୍ବିନୀ ପୁରସ୍କାର, ୨୦୧୯ରେ ଶ୍ରେଷ୍ଠଶିଳ୍ପୀ ସମେତ ଶତାଧିକ ପୁରସ୍କାର ଓ ସମ୍ମାନ ମିଳିଛି। ଘରେ ପତ୍ନୀ ଗାୟତ୍ରୀ ମତେ ଏହି କ୍ଷେତ୍ରରେ ସହଯୋଗ କରିଥାନ୍ତି। ମୋର ଏକମାତ୍ର ପୁଅ ରୁଦ୍ରମାଧବ ଏହି କଳାପ୍ରତି ରୁଚି ରଖିଛି, ଗୀତ ବି ଗାଉଛି। ବିଭିନ୍ନ ପଥରର ମୂଲ୍ୟ ଭିନ୍ନଭିନ୍ନ ରହିଥାଏ । ସେଥିରେ ମୂର୍ତ୍ତିଗଢ଼ିଲେ ତା’ର ମୂଲ୍ୟ ବି ଭିନ୍ନ ରହିଥାଏ। ତେବେ ଏହି ପଥରମୂର୍ତ୍ତି ଗଢ଼ିବା କଳା ମତେ ଜଣେ ସ୍ଥପତିର ପରିଚୟ ଦେଇଛି। ଏଥିରେ ଆତ୍ମସନ୍ତୋଷ ମିଳୁଛି। ଜୀବନର ଶେଷ ଯାଏ ମୂର୍ତ୍ତି ଗଢ଼ିଚାଲିଥିବି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri