ନୂଆଦିଲ୍ଲୀ, ୧୪।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି। ଲଗାତାର ୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୫ ହଜାର ୭୮୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୫୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସେହିପରି ୭ ହଜାର ୯୯୫ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୭ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୮୮ ହଜାର ୯୯୩ ରହିଛି। ସାପ୍ତାହିକ ପଜିଟିଭ୍ ହାର ୦.୭୧ ପ୍ରତିଶତରୁ କମ୍ ରହିଛି। ଦୈନିକ ପଜିଟିଭିଟି ହାର ୦.୬୪ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୨୬ ପ୍ରତିଶତରେ ପହଞ୍ଚିଛି।
ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୭୫ ହଜାର ୮୮୮ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୭ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୩୩ କୋଟି ୮୮ ଲକ୍ଷ ୧୨ ହଜାର ୫୭୭ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୬୬ ଲକ୍ଷ ୯୮ ହଜାର ୬୦୧ ଜଣଙ୍କୁ ଟିକାଦାନ କରାଯାଇଛି।
ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୧ ଲକ୍ଷ ୩୮ ହଜାର ୭୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


