ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । ପ୍ରଥମେ ଟ୍ରେନ ଧକ୍କାରେ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ ମୃତଦେହ ଉପରେ ପୁଣି ଏକ ଇଞ୍ଜିନ ମାଡ଼ି ଯାଇଥିବା ନେଇ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଯୁବକଜଣକ ରେଳଲାଇନ ମଝିରୁ ଅନ୍ୟ ପ୍ଲଟଫର୍ମକୁ ଆସିବା ସମୟରେ ଟ୍ରେନ ଧକ୍କା ଦେଇଥିଲା । ଦ୍ବିପହର ୨ଟା ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଫଳରେ ଘଟଣାସ୍ଥଳରେ ହିଁ ଯୁବକଜଣକ ପ୍ରାଣ ହରାଇଥିଲେ । ତେବେ ଏହାପରେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ହେଲେ ଗୁଣପୁର ରେଲୱେ ପୋଲିସ ଏଠାରେ ଉପସ୍ଥିତ ନଥିବାରୁ ସଭିଁଏ ପାରଳାଖେମୁଣ୍ଡି ରେଲୱେ ପୋଲିସ ଅପେକ୍ଷାରେ ରହିବା ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ଟ୍ରେନର ଇଞ୍ଜିନ ବଦଳାଇବା ପାଇଁ ମୃତ ବ୍ୟକ୍ତିଙ୍କ ଉପର ଦେଇ ଇଞ୍ଜିନ ଚାଲିଯାଇଥିଲା । ତେବେ କିପରି ଚାଳକ ଏପରି କଲେ ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଖବର ଲୋଖାଯିବା ସୁଦ୍ଧା ମୃତଦେହ ରେଳ ଲାଇନରେ ପଡିରହିଥିବା ଜଣାପଡ଼ିଛି । ବର୍ତ୍ତମାନ ଶବଟି ରେଲୱେ ଖମ୍ବ ନମ୍ବର ୮୯/୧୫ ନିକଟରେ ପଡ଼ିରହିଛି ।
Dharitri –Odisha’s No.1 Trusted Odia Daily

