ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ମୟଙ୍କ ଓ ରାଶିଙ୍କ ମଧ୍ୟରେ ହୋଇଥିବା ଏକ ନିଆରା ବାହାଘର, ଯାହା ବିନା ବର୍ଜ୍ୟରେ ବାହାଘର ଉତ୍ସବକୁ ଉପଭୋଗ କରାଯାଇପାରେ ବୋଲି ବାର୍ତ୍ତା ଦେଇଛି। ଏହି ଉତ୍ସବରେ ୨୫୦୦ ଅତିଥି ଯୋଗଦେଇଥିଲେ। ସାଜସଜ୍ଜାରେ ଜଳ ସଂରକ୍ଷଣ, ରକ୍ତଦାନ ଏବଂ ହେଲ୍ମେଟ୍ ସୁରକ୍ଷା ସମ୍ପର୍କିତ ସଚେତନାତ୍ମକ ବାର୍ତ୍ତା ଭରି ରହିଥିଲା। ଏହି ବାହାଘର ଭୋଜିରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରାଯିବା ସହ ବାଣ ଫୁଟାଯାଇ ନ ଥିଲା। ପତ୍ରଥାଳିରେ ଖାଦ୍ୟ ପରଷାଯାଇଥିଲା। ବାହାଘରରେ କୌଣସି ଅର୍ଥ କିମ୍ବା ଜିନିଷ ଉପହାର ଆକାରରେ ଦିଆଯାଇନାହିଁ, ବରଂ ୨୧ଟି ଚାରା ଗଛ ଉପହାର ଆକାରରେ ଗ୍ରହଣ କରାଯାଇଥିଲା।
Dharitri – The Largest & Most Trusted Odia Daily

