ପଟାଙ୍ଗି,୮ା୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାରେ ଶୀତ ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଅପରାହ୍ନ ପରେ ଘରୁ ବାହାରିବା ପାଇଁ ଲୋକେ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହିପରି ଦୃଶ୍ୟ ବ୍ଲକରେ ଦିନେ ନୁହେଁ କି ଦୁଇଦିନ ନୁହେଁ। ଏହା ଗତ ଚାରିଦିନ ହେଲା ଦେଖିବାକୁ ମିଳୁଛି।
ସୂଚନା ମୁତାବକ ଗତ ୧ ମାସ ମଧ୍ୟରେ ବ୍ଲକର ବିଭିନ୍ନ ସ୍ଥାନରେ ତିନିଥର ତୁଷାରପାତ ହୋଇଥିବାର ଦେଖିବାକୁ ମିଳି ଥିବାବେଳେ ଅପରାହ୍ନ ୪ଟା ପରେ ତାପମାତ୍ରା ୭ରୁ ୮ ଡିଗ୍ରୀ ରହୁଛି। ଯେଉଁଥି ପାଇଁ ଲୋକମାନେ ଘରୁ ବାହାରକୁ ବାହାରୁ ନ ଥିବା ବେଳେ ନିଆଁ ଲଗାଇ ମଜା ଉଠାଉଛନ୍ତି। ବ୍ଲକର ମାଳିପୁଟ ପଞ୍ଚାୟତ ଏବଂ ଚମ୍ପାଖେନ୍ଦା ପ୍ରମୁଖ ଗ୍ରାମ ନିକଟରେ ଜମି ଉପରେ ତୁଷାରପାତ ହେବା ସହ ଥଣ୍ଡା ସକାଳ ୯ଟା ପର୍ଯ୍ୟନ୍ତ ରହୁଛି।
ସେହିପରି ବ୍ଲକରେ ବର୍ତ୍ତମାନ ଥଣ୍ଡା ଯେଉଁ ଭଳି ପଡୁଛି ଏହା ୨୦ ବର୍ଷ ତଳର ଥଣ୍ଡା ଅନୁଭବ ହେଉଥିବା ଲୋକଙ୍କ ମଧ୍ୟରେ ଆଲୋଚନା ଜୋର୍ ଧରିଛି। ବ୍ଲକ ସଦରମହକୁମାରେ ରହିଥିବା ଚା’ ଦୋକାନଗୁଡିକରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଖଟିରେ ପୂର୍ବରୁ ଅନୁଭବ କରିଥିବା ଥଣ୍ଡାକୁ ନେଇ ଚର୍ଚ୍ଚା ହେଉଛି।


