ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା ଭିନ୍ନ ଧର୍ମ ଗ୍ରହଣ କରିଥିବା ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ସେ ଭିନ୍ନ ଧର୍ମର ହୋଇଥିବାରୁ ସେତେବେଳ ଗାଁ ଶ୍ମଶାନରେ ଶେଷକୃତ୍ୟ କରିବାକୁ ତାଙ୍କ ଭାଇ ମିଚିରାୟଙ୍କୁ ବାରଣ କରାଯାଇଥିଲା। ଏହାପରେ ମୃତ୍ୟୁର ୩୫ଘଣ୍ଟା ପରେ ଡିସେମ୍ବର ୧୮ରେ ପୋଲିସ ଓ ପ୍ରଶାସନଙ୍କ ଉପସ୍ଥିତିରେ ନିଜ ଜମିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ମକୁରୁଙ୍କ ମୃତ୍ୟୁର ୧୫ଦିନ ପରେ ମଙ୍ଗଳବାର ଅପରାହ୍ନରେ ମକୁରୁଙ୍କ ସମାଧି ନିର୍ମାଣକୁ ନେଇ ଉତ୍ତେଜନା ଓ ବିବାଦ ପୁନର୍ବାର ପ୍ରକାଶ ପାଇଥିଲା।
ବୁଧବାର ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନାଥ ଆଶ୍ରମ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଘଟଗାଁ ଥାନା ଅଧିକାରୀ ଶୁଭ୍ରାଂଶୁ କୁମାର ଜେନା, ଏସ୍ଆଇ ଅନୁପ କୁମାର ଲୁଗୁନ, ଓ୍ବାର୍ଡମେମ୍ବର ବାବୁଲି ମୁଣ୍ଡାଙ୍କ ଉପସ୍ଥିତିରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ହୋଇଥିଲା ଯେ, ମିଚରାୟ ନିଜ ଜମିରେ ମକରୁଙ୍କ ସମାଧି ନିର୍ମାଣ କରିବେ ତେବେ ତାଙ୍କ ଗାଁ ଶ୍ମଶାନରୁ ମାଟି ନେବେ।
ସୂଚନା ଯେ, ମକୁରୁ ଓ ତାଙ୍କ ବଡ଼ ଭାଇ ମିଚରାୟ ୧ବର୍ଷ ପୂର୍ବେ ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ହିନ୍ଦୁମାନେ ନିଜ ସମାଧିସ୍ଥଳରେ ମୃତଦେହ ପୋତିବାକୁ ବିରୋଧ କରିଥିଲେ।
Dharitri – Odisha’s No.1 Odia Daily


