ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଛି ।
ଶୁକ୍ରବାର ମଧ୍ୟାହ୍ନରେ କେ. ପ୍ରଶାନ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏହା ସଙ୍ଗେସଙ୍ଗେ ଘରର ସମସ୍ତ ଆସବାବପତ୍ରକୁ ବ୍ୟାପିଯାଇଥିଲା। ଏ ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ପ୍ରଶାନ୍ତିଙ୍କ ଘରର ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା ।
ପ୍ରଶାନ୍ତି ଜଣେ ଗରିବ ଶ୍ରେଣୀର ମହିଳା। ତାଙ୍କର ଦୁଇଝିଅ ଅଛନ୍ତି। ତାଙ୍କ ସ୍ବାମୀ ଆନ୍ଧ୍ର ପ୍ରଦେଶରେ ଦାଦନ ଭାବେ କାର୍ଯ୍ୟ କରୁଥିବା ସାହି ବାସିନ୍ଦା ପ୍ରକାଶ କରିଛନ୍ତି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏବଂ ପୌରାଧ୍ୟକ୍ଷା ନିର୍ମଳା ସେଠୀ ପହଞ୍ଚତ୍ ପ୍ରଶାନ୍ତିଙ୍କୁ ଶ୍ୱାନ୍ତନା ଦେଇଛନ୍ତି। ବିଧାୟକ ପାଣିଗ୍ରାହୀ କ୍ଷତିଗ୍ରସ୍ତ ପ୍ରଶାନ୍ତିଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରି ତାଙ୍କୁ ସରକାରୀ ସହାୟତା ଯେପରି ମିଳିବ ସେନେଇ ପାରଳାଖେମୁଣ୍ଡି ତହସିଲଦାର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା ଫୋନ ଯୋଗେ ଆଲୋଚନା କରିଥିଲେ। ସେହିପରି ପୌରାଧ୍ୟକ୍ଷା ସେଠୀ ମଧ୍ୟ ପୌରପରିଷଦ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।


