ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ପନାଡ ଗ୍ରାମର କାଳିଆ ଗୌଡ଼ଙ୍କ ପୁଅ ସୁଶାନ୍ତ ଗୌଡ଼ (୨୪)। ଗୁରୁତର ଆହତମାନେ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମର ଶିବଶଙ୍କର ବେହେରା, ଲାଠି ଗ୍ରାମର ହୀନ ବେହେରା ଏବଂ ଦିଗପହଣ୍ଡି ଥାନା ପନାଡ ଗ୍ରାମର ସିଲୁ ଗୌଡ଼ ବୋଲି ଜଣାପଡିଛି। ସୁଶାନ୍ତ ଏବଂ ସିଲୁ ଦୁହେଁ ମିଶି ଏକ ନୂଆ ୟାମାହା ବାଇକ ଯୋଗେ ଦିଗପହଣ୍ଡିରୁ ପନାଡ ଗ୍ରାମକୁ ଫେରୁଥିବାବେଳେ ବିପରୀତ ଦିଗରୁ ଶିବ ଏବଂ ହୀନ ମିଶି ଆସୁଥିବା ଗ୍ଲେମର ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସମସ୍ତେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଅବସ୍ଥା ଗୁରୁତର ରହିଥିବା ଯୋଗୁ ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ ଅନ୍ୟ ଆହତମାନେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଦିଗପହଣ୍ଡି ପୋଲିସ ଟିମ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ୨ଟି ବାଇକକୁ ଜବତ କରିଥିବା ଜଣାପଡିଛି।
Dharitri – Odisha’s No.1 Odia Daily


