ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ ଯଶଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତାଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଯୌନ ଶୋଷଣ ଓ ବଳାତ୍କାରର ଗମ୍ଭୀର ଅଭିଯୋଗ ରହିଛି, ଯେଉଁଥିରେ ପୋଲିସ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି।
ଜୟପୁର ମହାନଗର ପ୍ରଥମ ପୋକ୍ସୋ କୋର୍ଟ ନମ୍ବର-୩ର ବିଚାରପତି ଅଲକା ବନସଲ ତାଙ୍କ ରାୟରେ ସ୍ପଷ୍ଟ କହିଛନ୍ତି ଯେ ଉପଲବ୍ଧ ପ୍ରମାଣ ଓ ଏପର୍ଯ୍ୟନ୍ତର ତଦନ୍ତରୁ ସ୍ପଷ୍ଟ ହୋଇନାହିଁ ଯେ ଅଭିଯୁକ୍ତଙ୍କୁ ଭୁଲରେ ଫସାଯାଇଛି। ଏବେ ଯାଏଁର ତଦନ୍ତରେ ଯଶ ଦୟାଲଙ୍କ ଭୂମିକା ସାମ୍ନାକୁ ଆସିଛି ଏବଂ ତାଙ୍କୁ ପଚରାଉଚରା ଏବେ ବାକି ରହିଛି।
ଅପରପକ୍ଷେ ଯଶ ଦୟାଲଙ୍କୁ ଏବେ ଜେଲ ଯିବାକୁ ପଡ଼ିବ ନାହିଁ, କାରଣ ତାଙ୍କ ପାଇଁ ହାଇକୋର୍ଟରେ ଆବେଦନ କରିବାର ରାସ୍ତା ଖୋଲା ରହିଛି। ଏହି ବଳାତ୍କାର ମାମଲାରେ ଫଶିବା ପରଠାରୁ ଯଶ ଦୟାଲ କ୍ରିକେଟ ମଇଦାନରୁ ଦୂରେଇ ରହିଛନ୍ତି।
ସୂଚନାଯୋଗ୍ୟ, ଜୟପୁରର ସାଙ୍ଗାନେର ସଦର ଥାନାରେ ୨୩ ଜୁଲାଇ ୨୦୨୫ରେ ଜଣେ ୧୯ ବର୍ଷୀୟା ଯୁବତୀ ଯଶ ଦୟାଲଙ୍କ ବିରୁଦ୍ଧରେ ବଳାତ୍କାର ମାମଲା ରୁଜୁ କରିଥିଲେ। ଅଭିଯୋଗକାରିଣୀଙ୍କ ଦାବି ଅନୁଯାୟୀ ସେ ଜଣେ ଉଦୀୟମାନ କ୍ରିକେଟର ଏବଂ ୨୦୨୩ରେ ଯଶଙ୍କ ସହ ତାଙ୍କର ପରିଚୟ ହୋଇଥିଲା, ସେତେବେଳେ ସେ ୧୭ ବର୍ଷର ନାବାଳିକା ଥିଲେ। କ୍ରିକେଟର ତାଙ୍କୁ କ୍ରିକେଟରେ କ୍ୟାରିଅର ଗଢ଼ିବାରେ ସାହାଯ୍ୟ କରିବାର ଲୋଭ ଦେଖାଇ ଭାବନାତ୍ମକ ଓ ଶାରୀରିକ ଶୋଷଣ କରିଥିଲେ। ପ୍ରଥମ ଘଟଣା ୨୦୨୩ରେ ହୋଇଥିଲା, ଯେତେବେଳେ ଯଶ ତାଙ୍କୁ ଜୟପୁରର ସୀତାପୁରା ଅଞ୍ଚଳରେ ଏକ ହୋଟେଲକୁ ଡାକି ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହଭଳି ଦୁଇ ବର୍ଷ ଧରି ଚାଲିଥିଲା ବୋଲି ସେ କହିଛନ୍ତି।
ଯଶ ଦୟାଲ ବର୍ତ୍ତମାନ ବଡ଼ ବିବାଦରେ ଫଶିଥିବା ସତ୍ତ୍ୱେ ଆଇପିଏଲ ୨୦୨୬ ପାଇଁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଟିମ ତାଙ୍କ ଉପରେ ବିଶ୍ୱାସ ଦେଖାଇଛି। ଆରସିବି ଆଇପିଏଲ ୨୦୨୪ ପୂର୍ବରୁ ଯଶଙ୍କୁ ନିଜ ଟିମ୍ରେ ସାମିଲ କରିଥିଲା ଏବଂ ୫ କୋଟି ଟଙ୍କାରେ ସେ ଟିମ ସହ ଯୋଡ଼ି ହୋଇଥିଲେ। ଗତ ସିଜନରେ ସେ ଟିମ୍କୁ ଚାମ୍ପିଅନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ, ଯାହାଦ୍ୱାରା ଆଇପିଏଲ ୨୦୨୬ ପାଇଁ ମଧ୍ୟ ତାଙ୍କୁ ରିଟେନ କରାଯାଇଛି।
Dharitri – Odisha’s No.1 Odia Daily