ଦାରିଙ୍ଗବାଡ଼ି,୧୫।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ମା’ ପାଟ୍ଟଖଣ୍ଡା ବଣିକ ସଙ୍ଘ ଶୁକ୍ରବାର ନିଜସ୍ବ ନୂତନ କୋଠାରେ ପ୍ରବେଶ କରିଛି। ଏହି ଅବସରରେ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା, ହୋମ-ଯଜ୍ଞ, ଅର୍ଣ୍ଣ ଯଜ୍ଞ ଓ ଦୀପ ଯଜ୍ଞ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସଙ୍ଘର ସଭାପତି ମହେଶ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏହି ଗୃହ ପ୍ରତିଷ୍ଠା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଗଠିତ ଏହି ସଙ୍ଘ ଗତ ୧୦ ବର୍ଷ ହେବ ସରକାରଙ୍କ ଦ୍ୱାରା ପଞ୍ଜିକୃତ ହୋଇଛି।
ନିଜସ୍ବ ଗୃହ ନ ଥିବାରୁ ପୂର୍ବରୁ ବିଭିନ୍ନ ସ୍ଥାନରେ ମାସିକ ବୈଠକ ଅନୁଷ୍ଠିତ ହେଉଥିଲା। ଚଳିତ ବର୍ଷ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ପରିସରରେ ସଙ୍ଘର ନିଜସ୍ବ ପାଣ୍ଠିରେ ଏହି ନୂତନ କୋଠା ନିର୍ମାଣ କରାଯାଇଛି।
ଉତ୍ସବରେ ସଙ୍ଘର ବରିଷ୍ଠ କର୍ମକର୍ତ୍ତା ତଥା ପୂର୍ବତନ ସଭାପତି ଏସ୍ ନିଲୁ ସୁବୁଦ୍ଧି କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପଣ୍ଡିତ ସତ୍ୟନାରାୟଣ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ବରିଷ୍ଠ କର୍ମକର୍ତ୍ତା ଅରୂପାନନ୍ଦ ସାହୁ, ଏସ୍ ସୁନୀଲ କୁମାର ସୁବୁଦ୍ଧି, ରାଜେଶ ସାହୁ, ଅଜିତ ଚୌଧୁରୀ, ଆଶୁତୋଷ ସାହୁ, ଏସ୍ କୁଲୁ ସୁବୁଦ୍ଧିଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ସଙ୍ଘର ଏହି ଦୀର୍ଘ ଦିନର ସ୍ବପ୍ନ ଆଜି ସଫଳ ହୋଇଛି, ଯାହା ଆଗାମୀ ଦିନରେ ବ୍ୟବସାୟୀଙ୍କ ଏକତାକୁ ଅଧିକ ସୁଦୃଢ଼ କରିବ।

