ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ‘ଶ୍ରୀଧାମ’ ଆବାସିକ ବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଶନିବାର ରୌପ୍ୟ ଜୟନ୍ତୀ ସମାରୋହ ଅତି ଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଛି। ପ୍ରତିଷ୍ଠାତା ଡଃ କୃଷ୍ଣଚନ୍ଦ୍ର ଦାଶଙ୍କ ସଂଯୋଜନାରେ ଗ୍ରାମର ଶ୍ରୀଶନି ମନ୍ଦିର ପୁଷ୍କରିଣୀରୁ ଗଙ୍ଗା ଆବାହନ କରାଯାଇ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାପରେ ବିଦ୍ୟାଳୟ ପରିସରରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ଶୁଭାରମ୍ଭ କରାଯାଇଛି।

ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସ୍ୱାମୀ ଯୋଗାନନ୍ଦ ସରସ୍ୱତୀ, ସ୍ୱାମୀ ଭାସ୍କରତୀର୍ଥ, ସ୍ୱାମୀ ହରି ଶରଣାନନ୍ଦଙ୍କ ସମେତ ବହୁ ବିଶିଷ୍ଟ ସାଧୁ, ସନ୍ଥ ଓ ମହନ୍ତ ଯୋଗ ଦେଇଥିଲେ। ସମସ୍ତ ସାଧୁ ସନ୍ଥଙ୍କୁ ବିଦ୍ୟାଳୟ ପରିଚାଳନା ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ୧୦୮ ଭାଗବତ ଟୁଙ୍ଗୀ ଅଧିକାରୀ ଓ ସଙ୍କୀର୍ତ୍ତନ ମଣ୍ଡଳୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ସନ୍ଧ୍ୟା ସମୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, ନୃତ୍ୟ ନିର୍ଦ୍ଦେଶକ ହରିହର ଦାସ ଏବଂ ସୌରଭ ଭରଦ୍ୱାଜଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ଦୁଇ ଦିନିଆ ସମାରୋହକୁ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ପୂର୍ବତନ ଛାତ୍ରଛାତ୍ରୀ ଏବଂ ଅଭିଭାବକ ବୃନ୍ଦ ପରିଚାଳନା କରୁଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳରେ ଏକ ଭକ୍ତିପୂତ ପରିବେଶ ସୃଷ୍ଟି କରିଛି।


