ନୂଆଦିଲ୍ଲୀ,୧।୧୨: ସଂସଦର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିନରେ କଂଗ୍ରେସ ଏମ୍ପି ରେଣୁକା ଚୌଧୁରୀ ଏକ ଅନନ୍ୟ ବିବାଦରେ ଫସିଯାଇଛନ୍ତି। ସେ ପୋଷା କୁକୁର ସହିତ ତାଙ୍କ କାରରେ ସଂସଦରେ ପହଞ୍ଚିଥିଲେ। ତାଙ୍କ ଆସିବାର ଭିଡିଓ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଥିଲା ଏବଂ ଭାଜପା ଏହାକୁ ସଂସଦର ମର୍ଯ୍ୟାଦା ଉଲ୍ଲଂଘନ ବୋଲି କହି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।
ରେଣୁକା ଚୌଧୁରୀଙ୍କୁ ଏହି ଘଟଣା ବିଷୟରେ ପ୍ରଶ୍ନ ହେବାରୁ, ସେ ଜବାବ ଦେଇ କହିଥିଲେ ଯେ ଏହି ଘଟଣାକୁ ଅଯଥାରେ ବଢାଇ ଦିଆଯାଉଛି। ଏଥିରେ କ’ଣ ସମସ୍ୟା? ଯଦି ଏକ ମୂକ ପଶୁ ଭିତରକୁ ପଶିଯାଏ ତେବେ ବଡ଼ କଥା କ’ଣ? ଏହା ଛୋଟ, କାମୁଡିବ ନୁହେଁ। ସଂସଦ ଭିତରେ ଏମିତି ଲୋକ ଅଛନ୍ତି, ଯେଉଁମାନେ କାମୁଡ଼ି ପାରିବେ। ଏହି ବିବୃତ୍ତି ବିବାଦକୁ ଆହୁରି ଖୋରାକ ଯୋଗାଇଥିଲା।
ରେଣୁକା ଚୌଧୁରୀ ବିରୋଧୀଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟର ମଧ୍ୟ ଜବାବ ଦେଇଥିଲେ। ସେ ପଚାରିଥିଲେ, ଯଦି ସରକାର ଅଧିବେଶନ ବିଷୟରେ ଏତେ ଚିନ୍ତିତ, ତେବେ ନିର୍ଦ୍ଧାରିତ ଏକ ମାସର ଅଧିବେଶନକୁ କେବଳ ପନ୍ଦର ଦିନକୁ କାହିଁକି ହ୍ରାସ କରାଯାଇଥିଲା? ସେ ପଚାରିଲେ, ଆମେ ଗୃହରେ କେଉଁ ପ୍ରସଙ୍ଗ ଉଠାଇବୁ ସେ ବିଷୟରେ ଆପଣ କାହିଁକି ଚିନ୍ତିତ? ଯଥେଷ୍ଟ ପ୍ରସଙ୍ଗ ନ ଥିଲା କି? ତେବେ ଅଧିବେଶନକୁ କାହିଁକି ସଂକ୍ଷିପ୍ତ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।
Dharitri – Odisha’s No.1 Odia Daily


