ନୂଆଦିଲ୍ଲୀ,୨୫ା୮: ଫାଣ୍ଟାସି ସ୍ପୋଟର୍ସ କମ୍ପାନୀ ଡ୍ରିମ ୧୧ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ସ୍ପନସରଶିପ୍ ଚୁକ୍ତିରୁ ଓହରି ଯାଇଛି। ଏଥିଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ନୂଆ ସ୍ପନସର ଖୋଜା ପ୍ରକ୍ରିୟା ଆରମ୍ଭ କରାଯାଇଛି। କିନ୍ତୁ ଆସନ୍ତା ମାସରେ ହେବାକୁ ଥିବା ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ନୂଆ ସ୍ପନସର ମିଳିବାର ସମ୍ଭାବନା ଖୁବ କମ୍।
ସଂସଦରେ ପାରିତ ହୋଇଥିବା ‘ପ୍ରମୋଶନ ଆଣ୍ଡ୍ ରେଗୁଲେଶନ ଅଫ୍ ଅନ୍ଲାଇନ୍ ଗେମିଂ’ ଆଇନ ଅଧୀନରେ ଭାରତ ସରକାର ରିୟଲ ମନି ଗେମିଂକୁ ବ୍ୟାନ କରିଥିବାରୁ ଡ୍ରିମ୍ ୧୧ ଭାରତୀୟ କ୍ରିକେଟ୍ ଦଳର ଟାଇଟଲ ସ୍ପନସରଶିପ୍ ଜାରି ନ ରଖିବାକୁ ନିଷ୍ପତ୍ତି ନେଇଛି।
ଡ୍ରିମ୍୧୧ ସହ ଚୁକ୍ତି ଶେଷ ହୋଇଥିବା ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି। ”ଆମ ଆଭିମୁଖ୍ୟ ପୂରା ସ୍ପଷ୍ଟ। ସରକାରଙ୍କ ଗାଇଡ୍ଲାଇନ କାରଣରୁ ବିସିସିଆଇ ଡ୍ରିମ୍ ୧୧ ଏବଂ ଏହା ଭଳି ଗେମିଂ କମ୍ପାନୀ ସହ ସ୍ପନସରଶିପ୍ ସମ୍ପର୍କ ରଖିପାରିବ ନାହିଁ। ନୂଆ କଟକଣା ଆଧାରରେ ଡ୍ରିମ୍ ୧୧ ସହିତ ଆମର କୌଣସି ସମ୍ଭାବନା ନାହିଁ। ଏଣୁ ଆମେ ସେମାନଙ୍କ ସହ ରହିପାରିବୁ ନାହିଁ ଏବଂ ଆମେ କିଛି ବିକଳ୍ପ ଖୋଜିବାକୁ ଚେଷ୍ଟା କରୁଛୁ। ଏହି ପ୍ରକ୍ରିୟା ଚାଲିଛି। ବର୍ତ୍ତମାନ ସ୍ପନସରଶିପ ସ୍ଥାନ ଖାଲି ରହିଛି। ଏ କ୍ଷେତ୍ରରେ କିଛି ଅପଡେଟ୍ ହେଲେ ଜଣାଇବୁ“ ବୋଲି ସାଇକିଆ କହିଛନ୍ତି। ୨୦୨୩ରେ ୩୫୮ କୋଟି ଟଙ୍କାରେ ଡ୍ରିମ୍ ୧୧ ଭାରତୀୟ ଜାତୀୟ ଦଳର ସ୍ପନସରଶିପ୍ ୩ ବର୍ଷ ଲାଗି ହାସଲ କରିଥିଲା।


