ମହାକାଳପଡ଼ା,୧୦ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ୩୯ ବର୍ଷିଆ ମହିଳାଙ୍କୁ ବତିଘର ଅଞ୍ଚଳର ଶିକ୍ଷକ ବଳାତ୍କାର କରିଥିବା ବୁଧବାର ଅଭିଯୋଗ ହୋଇଛି। ସରକାରୀ ଶିକ୍ଷକ ଜଣକ ହେଲେ ରଞ୍ଜିତ ମଣ୍ଡଳ। ଅଭିଯୋଗକୁ ଭିତ୍ତିକରି ପୋଲିସ ରଞ୍ଜିତଙ୍କୁ ଉଠାଇ ନେଇଛି। ଅପରପକ୍ଷେ ବୁଧବାର ମହାକାଳପଡ଼ା ଥାନା ମହିଳା ତଦନ୍ତ ଅଧିକାରୀ ଭାରତୀୟ ନ୍ୟାୟ ସଂହିତା ଧାରା ୧୮୦ ଅନୁସାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଅପରାହ୍ନରେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି। ଗୁରୁବାର କେନ୍ଦ୍ରାପଡ଼ା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ଭାରତୀୟ ନ୍ୟାୟ ସଂହିତା ୧୮୩ ଧାରା ଅନୁସାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏ ନେଇ ପୋଲିସ ଶିକ୍ଷକଙ୍କ ବିରୋଧରେ ନଂ. ୧୩୯/୨୫ରେ ଏକ ମାମଲା ରୁଜୁ କରିଛି। ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ପୀଡ଼ିତା ମହିଳାଙ୍କୁ କେନ୍ଦ୍ରାପଡ଼ା ସର୍ଟଷ୍ଟେ ହୋମ୍ରେ ଅବସ୍ଥାନ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କୁ ପଚାରିବାରେ ମହିଳାଙ୍କ ଅଭିଯୋଗ ମୁତାବକ ଶିକ୍ଷକ ଜଣକ ତାଙ୍କୁ ପାରାଦୀପ ନେଇ ବଳାତ୍କାର କରିଥିବା ଦର୍ଶାଇଛନ୍ତି। ତାହାକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କୁ ପଚାରିବାରେ ଉକ୍ତ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ମିଳିନି। ଅଭିଯୋଗ ମିଳିଲେ ସରକାରୀ ବ୍ୟବସ୍ଥା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


