ନୂଆଦିଲ୍ଲୀ,୨୩।୫: ପୁଣି ପଦାରେ ପଡିଛି ପାକିସ୍ତାନର ହୀନ ଚକ୍ରାନ୍ତ। ତୃଣମୂଳ କଂଗ୍ରେସ ଏମ୍ପିଙ୍କ ସମେତ ୨୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦିଲ୍ଲୀ-ଶ୍ରୀନଗର ଇଣ୍ଡିଗୋ ବିମାନଟି ଆକାଶରେ ଝଡ଼ତୋଫୋନର ସାମ୍ନା କରିଥିଲା। ଫଳରେ ପାଇଲଟଙ୍କୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ପଡ଼ିଥିଲା। ବିମାନଟି ଏୟାରବସ A320 ଅମୃତସର ଉପରେ ଉଡ଼ିବା ସମୟରେ, ପାଇଲଟ ପାକିସ୍ତାନର ଲାହୋର ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସେମାନଙ୍କ ଆକାଶ ମାର୍ଗରେ କିଛି ସମୟ ପାଇଁ ପ୍ରବେଶ କରିବା ଏବଂ ପାଗକୁ ଏଡାଇବା ପାଇଁ ଜରୁରୀକାଳୀନ ଅନୁମତି ମାଗିଥିଲେ। ତଥାପି, ପାକିସ୍ତାନ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ସହିତ, ଉଭୟ ଦେଶ ପରସ୍ପରର ବାୟୁମଣ୍ଡଳ ବ୍ୟବହାର କରିବାକୁ ପ୍ରତିବନ୍ଧକ ଲଗାଇଛନ୍ତି।
ଶ୍ରୀନଗରରେ ଇଣ୍ଡିଗୋର ବିମାନର ଜରୁରୀକାଳୀନ ଅବତରଣ ସମ୍ପର୍କରେ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏକ ବିବୃତ୍ତି ଜାରି କରି ପାକିସ୍ତାନର ପୋଲ୍ ଖୋଲିଛି। ବିବୃତ୍ତିରେ କୁହାଯାଇଛି ଯେ, ଝଡ଼ତୋଫାନରେ ଫସିଥିବା ଭାରତୀୟ ବିମାନକୁ ଲାହୋର ଆକାଶ ମାର୍ଗ ବ୍ୟବହାରକୁ ଅନୁମତି ଦେଇ ନ ଥିଲା ପାକିସ୍ତାନ।
ସୂଚନାଯୋଗ୍ୟ, ଇଣ୍ଡିଗୋ ବିମାନ ଯାଉଥିବା ବେଳେ ଝଡ଼ତୋଫାନ ହୋଇଥିଲା। ପାକିସ୍ତାନ ଏୟାରସ୍ପେସ୍ରେ ପ୍ରବେଶ ପାଇଁ ଅନୁମତି ମାଗିଥିଲେ ପାଇଲଟ। କିନ୍ତୁ ପାକିସ୍ତାନ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା। ଏହାପରେ ପାଇଲଟ ବାଧ୍ୟ ହୋଇ ଶ୍ରୀନଗର ATCକୁ ସାହାଯ୍ୟ ମାଗିଥିଲେ। ଏବେ ଏହି ଘଟଣାର ତଦନ୍ତ କରାଯାଉଥିବା DGCA ପକ୍ଷରୁ କୁହାଯାଇଛି।


