ମଙ୍ଗଳ ହେଉଛି ଆମ ସୌରମଣ୍ଡଳର ଚତୁର୍ଥ ଗ୍ରହ ଏବଂ ପୃଥିବୀର ପଡ଼ୋଶୀ ଗ୍ରହ। ଏହି ଗ୍ରହଟି ଏହାର ଅନନ୍ୟ ଲାଲ ରଙ୍ଗ ଯୋଗୁଁ ଆରମ୍ଭରୁ ମଣିଷଙ୍କ ମଧ୍ୟରେ ଆକର୍ଷଣ ଏବଂ ଆଲୋଚନାର ବିଷୟ ହୋଇଆସିଛି। ଏହାର ରଙ୍ଗ ଯୋଗୁଁ ଏହାକୁ ‘ଲାଲ ଗ୍ରହ’ ନାମ ଦିଆଯାଇଛି। କିନ୍ତୁ ଏହି ପ୍ରଶ୍ନ ପ୍ରାୟତଃ ଉଠେ ଯେ ଏହି ଗ୍ରହ ଲାଲ ହେବାର ପ୍ରକୃତ କାରଣ କ’ଣ? ଯାହାର ଏବେ ବୈଜ୍ଞାନିକମାନେ ଖୁଲାସା କରିଛନ୍ତି।
ସିଏନଏନ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ମଙ୍ଗଳ ଗ୍ରହର ରଙ୍ଗ ଏହାର ପୃଷ୍ଠରେ ଥିବା କଳଙ୍କ ରଙ୍ଗର ଧୂଳିକଣା ଯୋଗୁଁ ହୋଇଛି, ଯାହାକୁ ଫେରିହାଇଡ୍ରାଇଟ କୁହାଯାଏ। ଏହି ଧୂଳି ଯୋଗୁଁ ମଙ୍ଗଳ ଗ୍ରହ ଲାଲ ରଙ୍ଗ ହୋଇଯାଏ। ମଙ୍ଗଳ ଗ୍ରହକୁ ପଠାଯାଇଥିବା ମହାକାଶଯାନ ଏବଂ ଲ୍ୟାଣ୍ଡରରୁ ମିଳିଥିବା ତଥ୍ୟ ଆଧାରରେ ଏହି ରହସ୍ୟ ଉନ୍ମୋଚିତ ହୋଇଛି। ପୃଥିବୀରେ ଘଟୁଥିବା ରାସାୟନିକ ପ୍ରକ୍ରିୟା ପରି, ଯେତେବେଳେ ପଥରରେ ଥିବା ଲୁହା ପାଣି ସହିତ କିମ୍ବା ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ଥିବା ପାଣି ଏବଂ ଅମ୍ଳଜାନ ସହିତ ମିଶିଯାଏ, ସେତେବେଳେ ଆଇରନ ଅକ୍ସାଇଡ ସୃଷ୍ଟି ହୁଏ।
କୋଟି କୋଟି ବର୍ଷ ଧରି, ମଙ୍ଗଳ ଗ୍ରହର ପବନ ପୂରା ଗ୍ରହରେ ଆଇରନ ଅକ୍ସାଇଡ ପ୍ରସାରିତ କରି ଏହାକୁ ଧୂଳିରେ ପରିଣତ କରିଥିଲା। ଏହି କାରଣରୁ ମଙ୍ଗଳ ଗ୍ରହର ରଙ୍ଗ ଲାଲ ଦେଖାଯାଏ। ମଙ୍ଗଳ ଗ୍ରହରେ ଆଉ ତରଳ ପାଣି ନ ଥିବାରୁ, ବୈଜ୍ଞାନିକମାନେ ପୂର୍ବରୁ ବିଶ୍ୱାସ କରୁଥିଲେ ଯେ ଏହାର କଳଙ୍କି ଲାଲ ରଙ୍ଗ ଧୂଳିରେ ଥିବା ହେମାଟାଇଟ ଭଳି ଶୁଖିଲା ଆରନ ଅକ୍ସାଇଡ ଯୋଗୁଁ ହୋଇଛି। ତଥାପି, ସାଟେଲାଇଟ ତଥ୍ୟ ଏବଂ ପରୀକ୍ଷାଗାର ପ୍ରକ୍ରିୟାର ଏକ ନୂତନ ଅଧ୍ୟୟନ ପରେ ଫେରିହାଇଡ୍ରାଇଟ ମଙ୍ଗଳ ଗ୍ରହର ଲାଲ ରଙ୍ଗ ପାଇଁ ବୋଲି ଖୁଲାସା ହୋଇଛି।
ଭାଲେଣ୍ଟିନସଙ୍କ ଅନୁସାରେ, ମଙ୍ଗଳ ଗ୍ରହରେ ଫେରିହାଇଡ୍ରାଇଟ୍ର ଅସ୍ତିତ୍ୱ ସୂଚାଇ ଦିଏ ଯେ ଗ୍ରହଟି ମୂଳତଃ ତରଳ ଜଳୀୟ ପରିବେଶରେ ଥିଲା, ଯାହା ଜୀବନ ପାଇଁ ଆବଶ୍ୟକ। “ଏହି ଗବେଷଣା ଏକ ରହସ୍ୟ ଉନ୍ମୋଚନ କରିବାର ସୁଯୋଗ ପ୍ରଦାନ କରେ,” ଅଧ୍ୟୟନର ସହ-ଲେଖକ ଜ୍ୟାକ ମଷ୍ଟର୍ଡ କହିଛନ୍ତି। ଯଦିଓ ଏହି ଗବେଷଣାର ଫଳାଫଳ ଉତ୍ସାହଜନକ ଥିଲା, କିନ୍ତୁ ମଙ୍ଗଳ ଗ୍ରହରୁ ନିଆଯାଇଥିବା ପ୍ରକୃତ ନମୁନା ଦ୍ୱାରା ହିଁ ଏହାକୁ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରାଯାଇପାରିବ।


