Posted inଜାତୀୟ

ଏକାଠି ଲଢ଼ିବେ ୧୭ ଦଳ

ପାଟନା/ନୂଆଦିଲ୍ଲୀ/ଜମ୍ମୁ,୨୪ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): କେନ୍ଦ୍ରରେ ଭାଜପାକୁ ହରାଇବା ପାଇଁ ସବୁ ଦଳକୁ ଏକାଠି ହେବାକୁ ପଡ଼ିବ। ଏଥିଲାଗି ଆବଶ୍ୟକ ହେଲେ ବ୍ୟକ୍ତିଗତ ମତଭେଦ, ମହତ୍ତ୍ୱାକାଂକ୍ଷା ଓ ଦଳୀୟ ସ୍ବାର୍ଥ ତ୍ୟାଗ କରିବାକୁ ହେବ। ନିର୍ବାଚନରେ ବିରୋଧୀ ମେଣ୍ଟ ବିଜୟୀ ହେଲେ ଆମ ଭିତରୁ ଜଣକୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା। ଏପରି ସଂକଳ୍ପ ନେଇ ୧୭ ବିପକ୍ଷ ଦଳର ୩୨ ଜଣ ନେତା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରୀ ବାସଭବନରେ ପୂର୍ବାହ୍ଣ ୧୧ଟା ୩୦ରେ ଏକତ୍ରିତ ହୋଇଥିଲେ। ବିରୋଧୀଙ୍କ ଏହି ବୈଠକ ୪ ଘଣ୍ଟା ଧରି ଚାଲିଥିଲା। ଏଥିରେ ଅଧ୍ୟକ୍ଷତା କରିଥିବା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ ଏକ ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଆମେ ଜାତୀୟ ସ୍ବାର୍ଥ ପାଇଁ କାମ କରୁଛୁ। କିନ୍ତୁ ଭାଜପା ଦେଶର ସ୍ବାର୍ଥ ବିରୋଧରେ ଯାଉଛି। ଗୈରିକ ଦଳ ଭାରତର ଇତିହାସକୁ ବଦଳାଇବାକୁ ଉଦ୍ୟମ କରୁଛି। ଏଥିଲାଗି ମିଳିତ ରଣନୀତିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଆମେ ଶିମ୍‌ଲାରେ ପୁଣି ଏକାଠି ହେବୁ ବୋଲି ନୀତୀଶ କହିଥିଲେ।
ସୂତ୍ରରୁ ଜଣାପଡ଼ିଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅମଲାତନ୍ତ୍ରୀ ନିୟନ୍ତ୍ରଣ ସମ୍ପର୍କିତ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଖୋଲାଖୋଲି ଭାବେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି କହିଥିଲେ। ରାଜ୍ୟ ସଭାରେ କଂଗ୍ରେସ ସଦସ୍ୟମାନେ ଏହି ଅଧ୍ୟାଦେଶକୁ ରୋକିବାରେ ସମର୍ଥନ ନ କଲେ ଭବିଷ୍ୟତରେ ବିରୋଧୀଙ୍କ କୌଣସି ବୈଠକରେ ତାଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସାମିଲ ହେବ ନାହିଁ ବୋଲି ସେ କହିଥିଲେ। ଏହି ପ୍ରସଙ୍ଗକୁ ନେଇ ଏଏପି ଏବଂ କଂଗ୍ରେସ ମଧ୍ୟରେ ମତଭେଦ ଦେଖାଦେଇଥିଲା। କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ କହିଥିଲେ, ଶିମ୍‌ଲା ବୈଠକରେ ଏକ ସାଧାରଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ। ଆଗକୁ କିପରି ବଢ଼ିହେବ ସେନେଇ ନିଷ୍ପତ୍ତି ନିଆଯିବ। ପ୍ରତ୍ୟେକ ରାଜ୍ୟ ପାଇଁ ପୃଥକ୍‌ ଯୋଜନା କରିବାକୁ ପଡ଼ିବ। ଆମେ ମିଳିତ ଭାବେ କାର୍ଯ୍ୟ କରିବୁ ଏବଂ ଭାଜପାକୁ କେନ୍ଦ୍ରରୁ ହଟାଇଦେବୁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ଆମ ଭିତରେ କେତେକ ମତଭେଦ ଥାଇପାରେ। କିନ୍ତୁ ଆମେ ନମନୀୟ ହୋଇ ଏକାଠି ଲଢ଼ିବୁ ଏବଂ ନିଜ ବିଚାରଧାରାକୁ ସୁରକ୍ଷା ଦେବୁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ କହିଥିଲେ, ପାଟନାରୁ ଆରମ୍ଭ ହୋଇଥିବା ପ୍ରଥମ ବୈଠକ ଜନ ଆନ୍ଦୋଳନର ରୂପ ନେବ। କେନ୍ଦ୍ରରେ ଏକଚ୍ଛତ୍ରବାଦୀ ଏନ୍‌ଡିଏ ସରକାର କ୍ଷମତାକୁ ଫେରିଲେ ଭବିଷ୍ୟତରେ ଆଉ ନିର୍ବାଚନ ହେବ ନାହିଁ। ଆମେ ସମସ୍ତେ ଏକ ହୋଇଛୁ ଏବଂ ଭାଜପା ବିରୋଧରେ ମିଳିତ ଭାବେ ଲଢ଼େଇ କରିବୁ। ଭାଜପା ଇତିହାସ ବଦଳାଇବାକୁ ଚାହୁଁଛି, କିନ୍ତୁ ଆମେ ଇତିହାସର ସୁରକ୍ଷା ସୁନିଶ୍ଚିତ କରିବୁ। ସେହିପରି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର କହିଥିଲେ, ଜୟପ୍ରକାଶ ନାରାୟଣ (ଜେପି) ଆନ୍ଦୋଳନ ଭଳି ବିରୋଧୀ ସାମ୍ମୁଖ୍ୟ ଜନସାଧାରଣଙ୍କ ଆଶୀର୍ବାଦ ପାଇବ। ଦେଶକୁ ବଞ୍ଚାଇବାକୁ ହେଲେ ମିଳିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ଏହା ହେଉଛି ପାଟନା ବୈଠକର ସ୍ପଷ୍ଟ ସନ୍ଦେଶ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନଙ୍କ ମତରେ ଏହି ଆରମ୍ଭ ଦେଶ ପାଇଁ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏବଂ ସବୁ ନେତା ସକାରାମତ୍କ ଚିନ୍ତା ନେଇ ଆଗକୁ ବଢ଼ିବେ। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କହିଥିଲେ, ବିରୋଧୀ ମିଳିତ ଭାବେ ଭାଜପା ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ଲଢ଼େଇ କରନ୍ତୁ ବୋଲି ଦେଶବାସୀ ଚାହୁଁଛନ୍ତି। ଭାରତ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ଚନ୍ଦନକାଠ ବାଣ୍ଟୁଛନ୍ତି। ମୁଁ ଏବେ ସୁସ୍ଥ ଅଛି ଏବଂ ତାଙ୍କୁ ମୁକାବିଲା କରିପାରିବି। ଏହି ଅବସରରେ ଲାଲୁ ରାହୁଲଙ୍କୁ ମଜାରେ କହିଥିଲେ, ବିଳମ୍ବ ହୋଇନାହିଁ। ଏବେ ବି ସମୟ ଅଛି, ବାହା ହୋଇଯାଆନ୍ତୁ। ରାହୁଲ ଉତ୍ତର ରଖିଥିଲେ, ଆପଣ କହିଲେଣି ମାନେ ବିବାହ କରିବି।
ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା କହିଥିଲେ, କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୧୭ ଦଳ ‘କ୍ଷମତା ପାଇଁ ନୁହେଁ, ବରଂ ସିଦ୍ଧାନ୍ତକୁ ନେଇ’ ଏକାଠି ହୋଇଛୁ। ମାର୍କ୍ସବାଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌) ନେତା ସୀତାରାମ ୟେଚୁରୀ ଭାଜପାର ୯ ବର୍ଷ ଶାସନ ଦେଶ ଓ ସମ୍ବିଧାନ ପାଇଁ ବିପର୍ଯ୍ୟୟ ସୃଷ୍ଟିକାରୀ ହୋଇଥିବା ଅଭିଯୋଗ ଆଣିଥିଲେ। ଆମେ ଗାନ୍ଧିଜୀଙ୍କ ଭାରତକୁ ଗୋଡ୍‌ସେଙ୍କ ଦେଶରେ ପରିଣତ ହେବାକୁ ଦେବୁନାହିଁ ବୋଲି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ଡ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି ପ୍ରକାଶ କରିଥିଲେ। ବୈଠକରେ ଦ୍ରାବିଡ ମୁନେତ୍ରା କାଝାଗାମ (ଡିଏମ୍‌କେ) ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା-ୟୁଟିବି ମୁଖ୍ୟ ଉଦ୍ଧବ ଠାକ୍‌ରେ, ତାଙ୍କ ପୁଅ ଆଦିତ୍ୟ ଠାକ୍‌ରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ (ଏଏପି ନେତା) ଭଗଓ୍ବନ୍ତ ମାନ୍‌, ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍‌) ନେତା ଡି. ରାଜା ଏବଂ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଯୋଗଦେଇଥିଲେ।
ଅନ୍ୟପକ୍ଷେ ୨ ଦିନିଆ ଜମ୍ମୁ ଗସ୍ତରେ ଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି, ପାଟନାରେ ଆଜି ଏକ ଫଟୋ ସେସନ୍‌ ଚାଲିଛି। ଯେତେ ଦଳ ଏକତ୍ରିତ ହେଲେ ମଧ୍ୟ ସେମାନେ କେବେହେଲେ ଏକାଠି ହୋଇପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ୨୦୨୪ରେ ୩୦୦ରୁ ଊର୍ଦ୍ଧ୍ୱ ଆସନ ଦଖଲ କରି ପୁଣି ସରକାର ଗଢ଼ିବେ ଏବଂ ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀରେ ବିରୋଧୀ ମହାମେଳିକୁ ‘ଅନେକ ମୁଣ୍ଡିଆଳ ଥିବା ସ୍ବାର୍ଥପର ମେଣ୍ଟ’ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, ଏହି ଦଳଗୁଡ଼ିକ ଯେତେବେଳେ ବି ଏକାଠି ହୁଅନ୍ତି ସେମାନେ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣରେ ମାତି ଦେଶର ଅର୍ଥନୀତିକୁ ସଙ୍କୁଚିତ କରିଦିଅନ୍ତି। ଏଏପି ଆରମ୍ଭରୁ ବ୍ଲାକ୍‌ମେଲିଂ କରିବାରେ ଲାଗିଛି। ଏଥିରୁ ଏହି ଅପବିତ୍ର ମେଣ୍ଟର ଭବିଷ୍ୟତ ଜଳଜଳ ଦେଖାଯାଉଛି। ପ୍ରକାଶ ଯେ, ବର୍ତ୍ତମାନ ଲୋକ ସଭାରେ ୫୪୩ ଆସନ ମଧ୍ୟରୁ ଏହି ଦଳଗୁଡ଼ିକର ମିଳିତ ଆସନ ସଂଖ୍ୟା ୨୦୦ରୁ କମ୍‌। ୧୭ ଦଳର ନେତାମାନେ ୩୦୦ରୁ ଅଧିକ ଆସନ ଦଖଲ କରି ନିରଙ୍କୁଶ କ୍ଷମତା ଉପଭୋଗ କରୁଥିବା ଭାଜପା ବିରୋଧରେ ଗୋଟିଏ ଟେବୁଲରେ ଏକାଠି ହୋଇଛନ୍ତି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ୨୦୧୯ରେ ପ୍ରାୟ ୫୦ ଆସନରେ ବିଜୟୀ ହୋଇଥିଲା, ଯାହାକି ୨୦୧୪ ଲୋକ ସଭା ନିର୍ବାଚନର ୪୪ ତୁଳନାରେ ସାମାନ୍ୟ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ବ୍ରହ୍ମପୁର , ୨୩।୧୨( ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ସୋମବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି ।...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

ପ୍ରଧାନମନ୍ତ୍ରୀ ଚେହେରା ବଦଳାଇଲା କଂଗ୍ରେସ! ରାହୁଲ ଗାନ୍ଧୀ ନୁହଁନ୍ତି, ଏହି ନେତା… ସାଂସଦଙ୍କ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ଜାତୀୟ କଂଗ୍ରେସର ଆଭ୍ୟନ୍ତରୀଣ ଏବଂ ବାହ୍ୟ ରାଜନୈତିକ ଦୃଶ୍ୟପଟରେ, ପୂର୍ବ ଅନେକ ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି ଯେ ପୂର୍ବତନ ଦଳର ଅଧ୍ୟକ୍ଷ...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri