ନୈତିକ ଶିକ୍ଷାର ଆବଶ୍ୟକତା

ଅନୁଲିପ୍ତା ମିଶ୍ର

ଶିକ୍ଷା ସମାଜର ମାନଦଣ୍ଡ। ସମାଜକୁ ଉନ୍ନତ, ମହତ ଓ ପ୍ରଗତିଶୀଳ କରିବାରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜୀବନକୁ ସୁସ୍ଥ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ଶିକ୍ଷା ହିଁ ପଥପ୍ରଦର୍ଶକ ସାଜିଥାଏ। ଦେଶ ଓ ଜାତିର ସାମୂହିକ କଲ୍ୟାଣ ପାଇଁ ଶିକ୍ଷା ଏକ ଅମୋଘ ଅସ୍ତ୍ର ସଦୃଶ କାର୍ଯ୍ୟ କରେ। ସେହିପରି ଛାତ୍ରମାନେ ହିଁ ସମାଜର ମେରୁଦଣ୍ଡ ଓ ଦେଶର ଭବିଷ୍ୟତ ନିର୍ମାତା। ଦେଶ ଗଠନରେ ଛାତ୍ରମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ଏକ ଶୃଙ୍ଖଳିତ, ମାର୍ଜିତ, ସଂଯତ ଓ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଛାତ୍ର ବା ଯୁବଗୋଷ୍ଠୀଙ୍କ ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବର୍ତ୍ତମାନର ଯୁବଗୋଷ୍ଠୀ ଯେ ପଥଭ୍ରଷ୍ଟ, ବିପଥଗାମୀ ଓ ବିଶୃଙ୍ଖଳିତ ଏହା ଅସ୍ବୀକାର କରାଯାଇ ପାରେନା। ଏହି ବିଶୃଙ୍ଖଳାର ଅନେକ କାରଣ ମଧ୍ୟରୁ ମୁଖ୍ୟ କାରଣ ହେଉଛି ଆଜିର ଛାତ୍ରମାନଙ୍କ ମଧ୍ୟରେ ନୈତିକ ଶିକ୍ଷାର ଘୋର ଅଭାବ। ଏଥିପାଇଁ ଅବଶ୍ୟ ଛାତ୍ରଙ୍କୁ କେବଳ ଦାୟୀ କରାଯାଇ ନ ପାରେ। ଛାତ୍ର ତା’ର ଦୈନନ୍ଦିନ ଜୀବନରେ ଯାହା ଦେଖେ ତାକୁ ହିଁ ଅନୁକରଣ କରେ। ଛାତ୍ରମାନଙ୍କୁ ସଂଯତ, ଶୃଙ୍ଖଳିତ କରିବାକୁ ଆଜିର ଅଭିଭାବକମାନେ ବୋଧହୁଏ ଆଦୌ ସଚେତନ ନୁହନ୍ତି।
ପିଲାଟିଏ ଜନ୍ମହେଲେ ପ୍ରଥମେ ସେ ତା’ର ମାତା ପିତା ଓ ପରିବାର ସଂସ୍ପର୍ଶରେ ଆସିଥାଏ । ପରିବାର ହିଁ ତା’ ପାଇଁ ହୁଏ ପ୍ରଥମ ପାଠଶାଳା ଓ ମାତା ପିତା ହିଁ ପ୍ରଥମ ଗୁରୁ। ପରିବାରରୁ ଆରମ୍ଭ ହୁଏ ତା’ର ନୈତିକ ଶିକ୍ଷା ଓ ଅନୁଶାସନ। ସ୍ନେହ, ଶ୍ରଦ୍ଧା, ଦୟା, କ୍ଷମା, ପରୋପକାର, ସାଧୁତା, ସହନଶୀଳତା, ସମ୍ମାନ, ସଂଯମ, ଆଧ୍ୟାତ୍ମିକତା, ଧୈର୍ଯ୍ୟ, ତ୍ୟାଗ ଆଦି ଗୁଣାବଳୀର ବିକାଶ ପ୍ରଥମେ ପରିବାରରୁ ହିଁ ଆରମ୍ଭ ହୋଇଥାଏ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ବର୍ତ୍ତମାନର ଛାତ୍ର ସମାଜ ଏସବୁ ସୁଗୁଣଠାରୁ ବହୁତ ଦୂରରେ। ହିଂସା, ଈର୍ଷା, ରାଗ, ଦ୍ୱେଷ, ପରଶ୍ରୀକାତରତା, ଅସହିଷ୍ଣୁତା ଆଦି ଦୁର୍ଗୁଣର ଅଧିକାରୀ ଆଜିର ଅଧିକାଂଶ ଯୁବଗୋଷ୍ଠୀ।
ଆଜିର ଯନ୍ତ୍ର ଯୁଗରେ ଯନ୍ତ୍ର ପାଲଟିଗଲାଣି ମନୁଷ୍ୟ। ଦିନଥିଲା ଜେଜେମା, ଜେଜେବାପାଙ୍କ ପାଖରେ ବସି ଛୋଟବେଳୁ ପିଲାଟିଏ ଶୁଣୁଥିଲା ରାମାୟଣ ଓ ମହାଭାରତ ଆଦି ପୌରାଣିକ କାହାଣୀ। ଧ୍ରୁବ, ପ୍ରହଲ୍ଲାଦ, ନଚିକେତା, ଶ୍ରବଣ କୁମାର, ଏକଲବ୍ୟ, ଆରୁଣିଙ୍କ ପରି ମହାନ୍‌ ଚରିତ୍ରମାନଙ୍କର କଥାଗାଥା ସବୁ। ଯାହା ତା’ର ଆଚାର, ବିଚାର, ବ୍ୟବହାର ଓ ଚରିତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଉଥିଲା ଏବଂ ତା’ର ବ୍ୟକ୍ତିତ୍ୱର ବିକାଶରେ ସହାୟକ ହେଉଥିଲା। ଯୌଥ ପରିବାର ଭିତରେ ରହି ପରିବାରର ବିଭିନ୍ନ ସଦସ୍ୟଙ୍କ ସଂସ୍ପର୍ଶରେ ଆସି ତା’ ମଧ୍ୟରେ ବିକାଶ ଲାଭ କରୁଥିଲା ସ୍ନେହ, ଶ୍ରଦ୍ଧା, ଭକ୍ତି, ଭଲପାଇବା, ତ୍ୟାଗ ସହନଶୀଳତା, ସମବେଦନା ଭଳି ଦିବ୍ୟ ଗୁଣ ସବୁ। କିନ୍ତୁ ବର୍ତ୍ତମାନର ଏଇ ଆଧୁନିକ ବିଜ୍ଞାନ ଯୁଗରେ ଏସବୁ ସ୍ବପ୍ନ ପ୍ରାୟ। କେବଳ ଅର୍ଥ, ପ୍ରତିଷ୍ଠା, ପ୍ରତିପତ୍ତି ପଛରେ ଅଣନିଃଶ୍ବାସୀ ହୋଇ ଧାଇଁ ଚାଲିଛି ମନୁଷ୍ୟ। ନିଜ ପିଲାଙ୍କୁ ପାଠ ପଢି ଭଲ ମଣିଷ ବଦଳେ ଅର୍ଥ ଉପାର୍ଜନ କରି ବଡ଼ ମଣିଷ ହେବାକୁ ଶିକ୍ଷା ଦେଉଛନ୍ତି ଅଭିଭାବକ। ଆଜିର ଛାତ୍ରମାନଙ୍କ ପାଖରେ ନା ଅଛି ଗୁରୁଜନଙ୍କ ପ୍ରତି ଭକ୍ତିଭାବ ନା ଅଛି ସାନମାନଙ୍କ ପାଇଁ ସ୍ନେହାଶିଷ। ସତ୍ୟ, ଦୟା, କ୍ଷମା, ସାଧୁତା, ପରୋପକାର ପରି ଶବ୍ଦ ସବୁ ମୂଲ୍ୟହୀନ ହୋଇପଡିଛି ଆଜିର ଛାତ୍ରମାନଙ୍କ ପାଇଁ। ଫଳସ୍ବରୂପ ସମାଜରେ ଅନ୍ୟାୟ, ଅନୀତି, ଅପରାଧ ତା’ର କାୟା ବିସ୍ତାର କରିଚାଲିଛି।
ଛାତ୍ରୀଛାତ୍ରମାନଙ୍କର ନୈତିକ ସ୍ଖଳନର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ମୋବାଇଲ ଫୋନ ଓ ସାମାଜିକ ଗଣମାଧ୍ୟମର ଅତ୍ୟଧିକ ବ୍ୟବହାର। ମୋବାଇଲ ଫୋନର ବହୁଳ ବ୍ୟବହାର ଫଳରେ ବର୍ତ୍ତମାନର ପାରିବାରିକ ସମ୍ପର୍କ ଏବେ ବିକଳାଙ୍ଗ ପ୍ରାୟ। ଅଯଥା ଭାବପ୍ରବଣତାର ବଶବର୍ତ୍ତୀ ହୋଇ ବାସ୍ତବତାଠାରୁ ବହୁ ଦୂରରେ ବର୍ତ୍ତମାନର ଛାତ୍ରସମାଜ। ଆତ୍ମସଂଯମତା ଓ ଆତ୍ମବିଶ୍ୱାସର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ଆଜିର ଯୁବଗୋଷ୍ଠୀଙ୍କ ମଧ୍ୟରେ। ସେମାନଙ୍କର ଚିନ୍ତା, ଚେତନା ଓ ଭାବନାରେ ଅପସଂସ୍କୃତିର ଛିଟା ଦୃଶ୍ୟମାନ। ‘ମୁଁ’ ଏବଂ ‘ମୋର’ ଭାବ ମଧ୍ୟରେ ସୀମିତ ସେମାନଙ୍କ ମାନସିକତା। ଏହିଭଳି ପରିସ୍ଥିତିରେ ଏକ ଉନ୍ନତ ଓ ସୁସ୍ଥ ସମାଜର ପରିକଳ୍ପନା କରିବା ହିଁ ଏକ ବୃଥା ପ୍ରୟାସ ମାତ୍ର।
ଏକ ମାର୍ଜିତ ଓ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଛାତ୍ରମାନଙ୍କୁ ଉଚିତ ଓ ଉପଯୁକ୍ତ ଦିଗ୍‌ଦର୍ଶନ ଦେବା ସହ ସେମାନଙ୍କ ମଧ୍ୟରେ ମାନବୀୟ ମୂଲ୍ୟବୋଧର ବିକାଶ କରିବା ପାଇଁ ଚେଷ୍ଟା କରିବା ଜରୁରୀ। ଏଥିପାଇଁ ପ୍ରଥମେ ଅଭିଭାବକମାନେ ସଚେତନ ହୋଇ ସେମାନଙ୍କ ପିଲାମାନଙ୍କୁ ବାଲ୍ୟକାଳରୁ ଉପଯୁକ୍ତ ନୈତିକ ଶିକ୍ଷା ଓ ସଂସ୍କାର ଦେବା ସହିତ ସେମାନଙ୍କର ଭବିଷ୍ୟତ ଜୀବନ କିପରି ଶୃଙ୍ଖଳିତ ଓ ମାର୍ଜିତ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଏତଦ୍‌ବ୍ୟତୀତ ବିଦ୍ୟାଳୟ ସ୍ତରରେ ମଧ୍ୟ ସେମାନଙ୍କର ନୈତିକ ଚେତନାର ଜାଗରଣ ପାଇଁ ପାଠ୍ୟକ୍ରମରେ ମହାପୁରୁଷଙ୍କ ଜୀବନୀ ଓ ନୀତିଶିକ୍ଷାମୂଳକ ପୁସ୍ତକ ପ୍ରଚଳନର ଅତ୍ୟନ୍ତ ଆବଶ୍ୟକତା ରହିଛି। କାରଣ ବର୍ତ୍ତମାନର ଶିକ୍ଷା ପଦ୍ଧତି ଛାତ୍ରର ଚରିତ୍ର ଗଠନରେ ସାହାଯ୍ୟ କରୁନାହିଁ,ଏହା କେବଳ ପୁସ୍ତକଗତ ଜ୍ଞାନ ପ୍ରଦାନ କରୁଛି।
ଛାତ୍ରମାନେ ହିଁ ଦେଶର ଭବିଷ୍ୟତ। ଛାତ୍ରମାନଙ୍କର ଜୀବନର ବିକାଶରେ ହିଁ ଦେଶର ବିକାଶ। ଛାତ୍ରମାନଙ୍କ ଶୃଙ୍ଖଳାରେ ନିର୍ଭର କରେ ଦେଶର ଶୃଙ୍ଖଳା। ତେଣୁ ଆଜି ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଛାତ୍ରମାନଙ୍କ ମଙ୍ଗଳ ପାଇଁ ସଚେଷ୍ଟ ହେବା ଉଚିତ। ସାମ୍ପ୍ରତିକ ଯୁଗରେ ନୈତିକ ଶିକ୍ଷା ବୈଜ୍ଞାନିକ ଶିକ୍ଷାରେ ସମନ୍ବିତ ହୋଇ ଛାତ୍ର ଜୀବନକୁ ଗଢ଼ିବା ସଙ୍ଗେ ସଙ୍ଗେ ଦେଶ ଗଠନରେ ସହାୟକ ହେବା ଉଚିତ।
ସହକାରୀ ଶିକ୍ଷୟିତ୍ରୀ, ମହିଳୋ, ଜଗତ୍‌ସିଂହପୁର
ମୋ: ୯୯୩୮୪୦୦୨୦୫


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri