କ୍ରୂର ପ୍ରବଞ୍ଚନା

ବୈକୁଣ୍ଠନାଥ ମିଶ୍ର
ବର୍ତ୍ତମାନ ସମାଜ ଭଦ୍ରମୁଖାପିନ୍ଧା ରାକ୍ଷସମାନଙ୍କର କ୍ରୀଡ଼ାଙ୍ଗନରେ ପରିଣତ ହୋଇଛି। ପରର ସର୍ବସ୍ବ ଲୁଣ୍ଠନ, ପରକୁ ବିପଦମୁହଁକୁ ଠେଲି ତା’ ଅସହାୟତାର ଫାଇଦା ନେବା, ସତ୍ୟକୁ ଉପେକ୍ଷା କରି ମିଥ୍ୟାର ପକ୍ଷ ଗ୍ରହଣ କରିବା, କୋମଳମତି ବାଳିକାଙ୍କୁ ଯୌନ ଉତ୍ପୀଡ଼ନ ପ୍ରଭୃତି ସମସ୍ତ କୁଗୁଣର ଅଧିକାରୀମାନଙ୍କ ଦ୍ୱାରା ଏ ପୃଥିବୀ ସନ୍ତ୍ରସ୍ତ। ମାନବିକ ମୂଲ୍ୟବୋଧ ସୁଦୂର ପରାହତ। ବିଶ୍ୱାସର ସୁଦୃଢ଼ ରଜ୍ଜୁଟି ଛିନ୍ନ ହୋଇଛି। ସଂଶୟର ମଳିନ ଆବରଣ ସ୍ବଚ୍ଛ ମସ୍ତିଷ୍କକୁ ଆବୃତ କରିଛି। ସର୍ବତ୍ର ଏକ ଅସ୍ବାଭାବିକ ପରିସ୍ଥିତି।
ବହୁଦିନ ତଳେ ଆମ ଗ୍ରାମକୁ ଗୋଟିଏ ବର ଆସିଲା। ବରର ଶୋଭାଯାତ୍ରା, ପାଟପଟୁଆର ତତ୍କାଳୀନ ସମ୍ଭ୍ରାନ୍ତ ପରିବାରର ପରିଚୟ ବହନ କରୁଥିଲା। ଗ୍ରାମରେ ଏକ ଯୁବକ ସଂଘ ଓ ଯୁବକ ସଂଘ ଆନୁକୂଲ୍ୟରେ ଏକ କ୍ଷୁଦ୍ର ପାଠାଗାର ଗଢି ଉଠିଥିଲା, ଯାହା ଅବସର ବିନୋଦନର ପ୍ରମୁଖ ଉତ୍ସ ଥିଲା। କେବଳ ବେସରକାରୀ ଦାନ ହିଁ ଏ ଦୁଇ ଅନୁଷ୍ଠାନର ଆୟର ଉତ୍ସ। ଯୁବକ ସଂଘର ସର୍ବସମ୍ମତ ପ୍ରସ୍ତାବ ଅନୁଯାୟୀ ଗ୍ରାମକୁ ଆସୁଥିବା ବରମାନଙ୍କଠାରୁ କିଛି ଚାନ୍ଦା ସଂଗ୍ରହ କରାଯାଉଥିଲା। ଆମର କର୍ଣ୍ଣଗୋଚର ହୋଇଥାଏ ଯେ ଆଗନ୍ତୁକ ବରଟି ଜଣେ ଗ୍ରାଜୁଏଟ ଏବଂ କଲିକତାର ଏକ କମ୍ପାନୀରେ ଉଚ୍ଚ ବେତନଭୋଗୀ କର୍ମଚାରୀ। ସଂଘର ଅନ୍ୟ ଏକ ପ୍ରସ୍ତାବ ଅନୁଯାୟୀ ଆଗନ୍ତୁକ ବରମାନେ ନିଜ ହାତରେ ଦାନରାଶି ଲେଖି ସ୍ବାକ୍ଷର କରିବେ। ବର ଶୋଭାଯାତ୍ରା ଗ୍ରାମରେ ପ୍ରବେଶ କରିବା ପରେ ସଂଘର ସଦସ୍ୟମାନେ ରସିଦ ବହି ସହ ବର ପାଲିଙ୍କିକୁ ଘେରିଗଲେ। ଚାନ୍ଦା ଦେବାକୁ ସମ୍ମତ ବରପକ୍ଷ କିନ୍ତୁ ବର ନିଜେ ଚାନ୍ଦା ପରିମାଣ ଲେଖି ସ୍ବାକ୍ଷର କରିବାରେ ଘୋର କୁଣ୍ଠା ପ୍ରକାଶ କଲେ। ସେମାନଙ୍କ ଯୁକ୍ତି ହେଲା ଚାନ୍ଦା ତ ଦିଆଯିବ କିନ୍ତୁ ବରର ଦସ୍ତଖତରେ କ’ଣ ପ୍ରୟୋଜନ? ସେମାନେ ଯେତେ କୁଣ୍ଠିତ ହେଉଥାନ୍ତି, ସଂଘ ସଦସ୍ୟମାନେ ସେତିକି ଜିଦ କରୁଥାନ୍ତି। ଶେଷରେ ବରର ମାମୁ ବରକୁ କହିଲେ ପୁଅରେ ଦେ ଧାଡିଏ ଗାରେଇ ଦେ, ସେମାନେ ଯାନ୍ତୁ। ଆମ ଆଶଙ୍କା ସତ ହେଲା ଯେତେବେଳେ ଠିକ୍‌ ଭାବରେ କଲମ ଧରି ପାରୁ ନ ଥିବା ବରଟି ରସିଦ ବହିରେ ଏକ ଲମ୍ବା ଗାର ଟାଣିଦେଲା। ସମବେତ ଜନତାଙ୍କ ମଧ୍ୟରେ ଏକ ଗୁଞ୍ଜରଣ ସୃଷ୍ଟି ହେଲା ଯେ ବରଟି ‘ଶ୍ରୀଅକ୍ଷର ବିବର୍ଜିତ’। ମାଟ୍ରିକ ପାସ କରିଥିବା ଝିଅଟି ସିଧା ସିଧା ଏ ବିବାହକୁ ପ୍ରତ୍ୟାଖ୍ୟାନ କଲା। ବର ଖାଲି ଶିଶୁପାଳ ବନିଲା ନାହିଁ ବରଂ ମିଥ୍ୟା ଓ ପ୍ରବଞ୍ଚନା ପାଇଁ ପୋଲିସ ଦ୍ୱାରା ଗିରଫ ହେଲା। ଆଜକୁ ପ୍ରାୟ ପଚାଶ ବର୍ଷ ତଳର ଏଭଳି ଏକ ଘଟଣା ଆମ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମଙ୍ଗୁଳା କନ୍ୟାର ଅପବାଦ ସହି ନ ପାରି ବିଚରା ଝିଅଟି ଆତ୍ମହତ୍ୟାର ପଥ ବାଛିନେଲା।
ସେତେବେଳେ ଶିକ୍ଷାର ପ୍ରସାର ଘଟି ନ ଥିଲା। ଗ୍ରାମାଞ୍ଚଳର ନବେ ଭାଗ ଲୋକ ଅଶିକ୍ଷିତ। ତେଣୁ ଗ୍ରାମର ନିରୀହ ଜନତା ଚତୁର ଲୋକମାନଙ୍କ ଦ୍ୱାରା ଶୋଷିତ ହେଉଥିଲେ। ମାତ୍ର ସମ୍ପ୍ରତି ଯୁଗ ବଦଳିଛି। ଶିକ୍ଷାର ବ୍ୟାପକ ପ୍ରସାର ସମାଜରେ ନବ ଚେତନାର ଉନ୍ମେଷ କରିଛି। ମଣିଷ ଯେତେ ଶିକ୍ଷିତ ହେଉଛି ସେତେ ଅଧିକ ଶଠତାର ଶିକାର ହେଉଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅପପ୍ରୟୋଗ କରି କିଛି ମନ୍ଦ ପ୍ରକୃତିର ବ୍ୟକ୍ତି ସହଜରେ ଅନ୍ୟକୁ ଠକିବାରେ ସଫଳ ହେଉଛନ୍ତି। ଏଟିଏମ୍‌ ଲୁଟ୍‌, ବ୍ୟାଙ୍କ ଖାତାରୁ ଅର୍ଥ ଗାଏବ ଇତ୍ୟାଦି ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅନ୍ଧକାର ପାର୍ଶ୍ୱ। ସବୁଠାରୁ ଉଦ୍‌ବେଗଜନକ କଥା ଏହି ଯେ, କିଛି ଖଳ ପ୍ରକୃତିର ବ୍ୟକ୍ତି ସହଜରେ ଅନ୍ୟକୁ ଠକି ପାରୁଛନ୍ତି। ବିହାରର ସହର୍ସା ଜିଲାରେ ୨୦୧୭ ମେ ମାସରେ ଗୋଟିଏ ବରଯାତ୍ରୀ ଦଳ ପୂର୍ବ ନିର୍ଦ୍ଧାରିତ କନ୍ୟା ସହ ବିବାହ ପାଇଁ କନ୍ୟା ଘରେ ପହଞ୍ଚିଲେ। ଭୋଜିଭାତ ଓ ନୃତ୍ୟସଙ୍ଗୀତର ଆସର ମଧ୍ୟରେ ବିବାହ ପର୍ବ ଆରମ୍ଭ ହେବା ଉପରେ। ପୂର୍ବରୁ କିଛି ସମ୍ପର୍କୀୟ ବରକୁ ଦେଖି କିଛିଟା ସନ୍ଦେହ କରୁଥିଲେ। ସନ୍ଦେହ ମୋଚନ ପାଇଁ କେତେଜଣ ବର ସହ କଥା ହୋଇଥିଲେ। ପୂର୍ବରୁ କନ୍ୟାପକ୍ଷ ଅବଗତ ଥିଲେ ଯେ ବର ଏମ୍‌ଏ ପାସ କରିଛି ଓ ତା’ର ଏକ ବିଶାଳ ବ୍ୟବସାୟ ପ୍ରତିଷ୍ଠାନ ଅଛି। କିନ୍ତୁ କିଛି ସମୟର ବୌଦ୍ଧିକ କସରତ ପରେ ଜଣାପଡିଲା ଯେ ବରଟି ମାଟ୍ରିକ ପାସ କରିନାହିଁ କିମ୍ବା ତା’ର ସେପରି କୌଣସି ବ୍ୟବସାୟ ପ୍ରତିଷ୍ଠାନ ନାହିଁ। ଏକଥା ଜାଣି ଝିଅଟି ସେ ବରକୁ ବିବାହ କରିବ ନାହିଁ ବୋଲି ରୋକଠୋକ ମନା କରିଦେଲା। ତା’ର ଯୁକ୍ତି ହେଲା ଯେଉଁ ଲୋକ ବିବାହ ପୂର୍ବରୁ ଛଳନାର ଆଶ୍ରୟ ନେଇପାରେ, ସେ ବିବାହ ପରେ ଯେ କୌଣସି ଆପରାଧିକ କାର୍ଯ୍ୟ ଆପଣେଇପାରେ। କିନ୍ତୁ କନ୍ୟାର ପରିବାର ଆତ୍ମୀୟସ୍ବଜନ ଯେତେବେଳେ ସେହି ବରକୁ ବିବାହ କରିବାକୁ ଚାପ ପକାଇଲେ ବିଚରା ଝିଅଟି ଅନନ୍ୟୋପାୟ ହୋଇ ସମସ୍ତଙ୍କ ଅଗୋଚରରେ ଆତ୍ମହତ୍ୟା କରିଦେଲା। ବରଟି କେବଳ ଶିଶୁପାଳ ବନିଲା ନାହିଁ, ବରଂ ତା’ର ଠିକଣା ବଦଳିଗଲା ଜେଲର ଚାରିକାନ୍ଥର ବେଷ୍ଟନୀ ମଧ୍ୟକୁ।
ଆଉ ଏକ ରୋମାଞ୍ଚକର ଘଟଣାର ଦୃଷ୍ଟାନ୍ତ ଉପସ୍ଥାପନ କରାଯାଇପାରେ, ଯାହା ଘଟିଛି ପଶ୍ଚିମବଙ୍ଗରେ। ଏକ ସମ୍ଭ୍ରାନ୍ତ ପରିବାରର ଉଚ୍ଚଶିକ୍ଷିତା ଝିଅ ହେଲେ ଆକାଂକ୍ଷା। ପିତା ଷ୍ଟେଟ୍‌ବ୍ୟାଙ୍କର ଜଣେ ପଦସ୍ଥ ଅଧିକାରୀ ଓ ମାତା ଜଣେ ଗୃହିଣୀ। ଆକାଂକ୍ଷା ଖୁବ୍‌ ସ୍ମାର୍ଟ। ତାଙ୍କ ଫେସ୍‌ବୁକ ବନ୍ଧୁ ଉଦୟନ ମଧ୍ୟ ଜଣେ ସ୍ମାର୍ଟ ଓ ଉଦୀୟମାନ ଯୁବକ। ଉଦୟନ ବିଦେଶରେ ବସବାସ କରୁଥିବା ଜଣେ ଭାରତୀୟ (ଏନ୍‌ଆର୍‌ଆଇ)। ବିଦେଶ ଚାକିରି ସହ ଉଚ୍ଚ ବେତନ ଓ ବିଳାସପୂର୍ଣ୍ଣ ଜୀବନଶୈଳୀ କଥା ଶୁଣି ଆକାଂକ୍ଷା ତାଙ୍କ ପ୍ରତି ଢଳିଗଲେ। ଉଦୟନ ମଧ୍ୟ ଆଉ ପାଦେ ଆଗେଇଯାଇ କ୍ରମେ ଆକାଂକ୍ଷାର ପରିବାର ସହ ନିବିଡ ସମ୍ପର୍କରେ ବାନ୍ଧି ହୋଇଗଲେ। ଉଦୟନର ସମ୍ଭ୍ରାନ୍ତ ଠାଣି, ତା’ର ଚାକିରି ଓ ଉପାର୍ଜନର ଲୋଭନୀୟ ଆକର୍ଷଣରେ ପ୍ରଲୋଭିତ ମା’ବାପା ଉଦୟନ ହିଁ ଆକାଂକ୍ଷାର ଉପଯୁକ୍ତ ଜୀବନସାଥୀ ହୋଇପାରିବ ବୋଲି ନିଶ୍ଚିତ ହେଲେ। ଉଦୟନର ପ୍ରସ୍ତାବ ଅନୁସାରେ ଆକାଂକ୍ଷାର ମାତାପିତା ଆକାଂକ୍ଷାକୁ ଉଦୟନ ସହ ଯଦି ଆମେରିକା ପଠାନ୍ତି ତେବେ ସେ ମଧ୍ୟ ସେଠାରେ ଉଚ୍ଚବେତନ ସହ ଏନ୍‌ଆର୍‌ଆଇ ହୋଇ ରହିବ। ପ୍ରସ୍ତାବରେ ମା’ବାପା ଏକମତ ହେଲେ ଓ ଉଦୟନ ସହ ଆକାଂକ୍ଷା ଆମେରିକା ବାହାରି ପଡିଲେ। ଝିଅ ଯେପରି ଆମେରିକାରେ ଅର୍ଥ ସଙ୍କଟର ସମ୍ମୁଖୀନ ନ ହୁଏ, ସେଥିପାଇଁ ଆକାଂକ୍ଷାର ପିତା ଝିଅ ଆକାଉଣ୍ଟରେ ପ୍ରଚୁର ଟଙ୍କା ଭରିଦେଲେ। ଆଗକୁ ନାହିଁ କି ପଛକୁ ନାହିଁ। ସବୁ ସମ୍ପତ୍ତି ତ ଆକାଂକ୍ଷାର। ତେଣୁ ଏତେ କାର୍ପଣ୍ୟ କାହିଁକି? ଦିଲ୍ଲୀ ବିମାନବନ୍ଦରରେ ଶେଷଥର ପାଇଁ ଆକାଂକ୍ଷା ମା’ବାପାଙ୍କ ସହ କଥା ହୋଇଥିଲା। ବାସ୍ତବରେ ଉଦୟନ କୌଣସି ଏନ୍‌ଆର୍‌ଆଇ ନ ଥିଲା କିମ୍ବା ତା’ର ସେପରି କୌଣସି ଯୋଗ୍ୟତା ନ ଥିଲା। ଥିଲା କେବଳ ଏକ ସୁନ୍ଦର ସ୍ମାର୍ଟ ଚେହେରା, ବାକ୍‌ଚାତୁରି ଓ ଅନ୍ୟକୁ ପ୍ରଭାବିତ କରିବାର ପ୍ରଚଣ୍ଡ କଳାକୌଶଳ। ବିଶେଷକରି ଶିକ୍ଷିତା, ସୁନ୍ଦରୀ ଓ ଧନୀ ପରିବାରର ଝିଅମାନଙ୍କୁ ପ୍ରେମଜାଲରେ ଫସାଇ ଯୌନ ଓ ଅର୍ଥଶୋଷଣ କଳାରେ ସେ ଥିଲା ଅତ୍ୟନ୍ତ ଧୁରନ୍ଧର। ଏମିତିରେ ଅନେକ ଝିଅ ଉଦୟନର ଶିକାର ହୋଇ ଜୀବନର ଅନ୍ତିମ ଦୁଃଖଦ ପରିଣତିକୁ ସାମନା କରିଛନ୍ତି। ଝିଅମାନଙ୍କୁ କୌଶଳରେ ନିଜ ପଞ୍ଝାକୁ ଆଣି ସେ ସେମାନଙ୍କଠାରୁ କେବଳ ଟଙ୍କାପଇସା ଓ ମୂଲ୍ୟବାନ୍‌ ଅଳଙ୍କାର ଲୁଟି ନେଇନାହିଁ ବରଂ ସେମାନଙ୍କ ଇଜ୍ଜତ ଲୁଟି ନେଲା ପରେ ସେମାନଙ୍କୁ ଟେକାପଥର ପରି ଫିଙ୍ଗିଦେଇଛି। ଝିଅମାନଙ୍କ ପକ୍ଷରୁ ପ୍ରତିବାଦ ଉଠିଲେ ସେମାନଙ୍କୁ ଅତି ଚତୁରତାର ସହ ହତ୍ୟା କରି ପ୍ରମାଣ ନଷ୍ଟ କରିଛି। ଅର୍ଥପିପାସୁ ଉଦୟନ ଆକାଂକ୍ଷା ପୂର୍ବରୁ ଅନ୍ୟ ତିନିଜଣ ଯୁବତୀଙ୍କ ଜୀବନଦୀପ ନିର୍ବାପିତ କରିଛି। ବିଳମ୍ବରେ ହେଲେ ମଧ୍ୟ କୋଲକାତା ପୋଲିସ ଉଦୟନକୁ ଗିରଫ କରିଛି ଓ ତା’ର କଳାକାରନାମାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି।
ଆକାଂକ୍ଷା ପରି ଉଚ୍ଚଶିକ୍ଷିତା ଝିଅମାନଙ୍କର ଉଦ୍‌ବେଳିତ ଆକାଂକ୍ଷା ସେମାନଙ୍କ ଜୀବନର ଶୋଚନୀୟ ପରିଣତିକୁ ଆମନ୍ତ୍ରିତ କରେ। ଶିକ୍ଷାର ଯେତେ ବିକାଶ ଘଟିଲେ ମଧ୍ୟ ଆଧୁନିକତାର ସ୍ପର୍ଶରେ ଅବଦମିତ ବାସନାର ଦୁଷ୍ପ୍ରଭାବରେ ଝିଅମାନେ ଯେଉଁ ଭୁଲ୍‌ କରୁଛନ୍ତି, ତାହା ସେମାନଙ୍କୁ ଚରମ ଧ୍ୱଂସପଥକୁ ଟାଣି ନେଉଛି। ପଚାଶବର୍ଷ ତଳର ସେ ଅନ୍ଧାରି ଯୁଗ ଆଉ ନାହିଁ, ଯେଉଁ ସମୟରେ ମାତାପିତାଙ୍କ ଅଜ୍ଞତାରୁ ଝିଅକୁ ଦୁଃଖ ସହ୍ୟ କରି ସାରା ଜୀବନ ଲୁହ ଗଡାଇବାକୁ ହେଉଥିଲା। ଆଜି କିନ୍ତୁ ଶିକ୍ଷା, ସଂସ୍କୃତି, ବିଜ୍ଞାନ ଓ ବୌଦ୍ଧିକତାର ଯଥେଷ୍ଟ ବିକାଶ ଘଟିଥିଲେ ମଧ୍ୟ ସମାଜ ଆଜି ଉଦୟନ ପରି ଶଠମାନଙ୍କ ଦ୍ୱାରା ପ୍ରତାରିତ। ହେ ଆକାଂକ୍ଷାମାନେ! ଅନଳର ଦାହିକା ଶକ୍ତିକୁ ଆକଳନ କରି ନ ପାରି ପତଙ୍ଗମାନେ ସିନା ଝାସ ଦିଅନ୍ତି, ହେଲେ ତୁମେ କାହିଁକି ଏପରି କରୁଛ?
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri