ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଗ୍ରୀନଲ୍ୟାଣ୍ଡକୁ ଆମେରିକାର “ନିଜସ୍ୱ ଅଞ୍ଚଳ” ଭାବେ ଅଭିହିତ କରି ସେ କହିଛନ୍ତି ଯେ, ଆମେରିକା ଏହି ଦ୍ୱୀପକୁ ନିଜ ଅଧୀନକୁ ନେବାକୁ ଚାହୁଁଛି, କିନ୍ତୁ ଏଥିପାଇଁ କୌଣସି ସାମରିକ ଶକ୍ତି ପ୍ରୟୋଗ କରାଯିବ ନାହିଁ।
ନିଜର ୭୦ ମିନିଟର ଭାଷଣରେ ଟ୍ରମ୍ପ ୟୁରୋପୀୟ ଦେଶଗୁଡ଼ିକୁ ଏକ ପ୍ରକାର ଚେତାବନୀ ଦେଇ କହିଛନ୍ତି, “ଯଦି ଆପଣମାନେ ହଁ କହିବେ, ତେବେ ଆମେ ଖୁସି ହେବୁ। କିନ୍ତୁ ଯଦି ନା କହିବେ, ତେବେ ଆମେ ତାହା ମନେ ରଖିବୁ।” ସେ ଗ୍ରୀନଲ୍ୟାଣ୍ଡକୁ ଏକ “ବଡ଼ ଓ ସୁନ୍ଦର ବରଫର ଖଣ୍ଡ” ବୋଲି କହିବା ସହ ଏହାର ସୁରକ୍ଷା ପାଇଁ ଆମେରିକାର ମାଲିକାନା ଜରୁରୀ ବୋଲି ଯୁକ୍ତି ବାଢ଼ିଛନ୍ତି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଡେନମାର୍କକୁ ସାହାଯ୍ୟ କରିଥିଲା। ଯୁଦ୍ଧ ପରେ ଗ୍ରୀନଲ୍ୟାଣ୍ଡକୁ ଡେନମାର୍କକୁ ଫେରାଇଦେବା ଏକ “ବୋକାମି” ଥିଲା ବୋଲି ଟ୍ରମ୍ପ କହିଛନ୍ତି। ରୁଷ ଏବଂ ଚାଇନା ଭଳି ଶତ୍ରୁ ଦେଶମାନଙ୍କଠାରୁ ନିଜ ପଶ୍ଚିମ ଗୋଲାର୍ଦ୍ଧକୁ ସୁରକ୍ଷିତ ରଖିବା ପାଇଁ ଗ୍ରୀନଲ୍ୟାଣ୍ଡ ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟ୍ରମ୍ପ ଏହି ଦ୍ୱୀପକୁ କିଣିବା କିମ୍ବା ଅଧୀନକୁ ନେବା ପାଇଁ ତୁରନ୍ତ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଟ୍ରମ୍ପଙ୍କ ଏହି ବୟାନ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ଏହାକୁ “ଅଯଥା ଆକ୍ରମଣାତ୍ମକ ମନୋଭାବ” ବୋଲି କହିଛନ୍ତି ଏବଂ ଆମେରିକା ବିରୋଧରେ ବାଣିଜ୍ୟିକ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛନ୍ତି।

