ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଗ୍ରାମର ଦୂର୍ଯ୍ୟ ବେହେରା ଅସଦାଚରଣ କରିବା ସହ ତଳେ ପକାଇ ମାଡ଼ ମାରି ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଶୁକ୍ରବାର ସାରେ ଶ୍ବଶୁରଙ୍କ ସହ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଛନ୍ତି । ମହିଳା ଜଣକ ସକାଳେ ଗ୍ରାମର ବାଦୁଆ ପୋଖରୀକୁ ଲୁଗାପଟା ସଫା କରିବା ସହ ଗାଧୋଇବା ପାଇଁ ଯାଇଥିବା ବେଳେ ତାଙ୍କୁ ଏକୁଟିଆ ପାଇ ସେଠାରେ କେହି ନ ଥିବା ସୁଯୋଗରେ ଦୁର୍ଯ୍ୟ ତାଙ୍କୁ ଭିଡି ଧରିବା ସହ ଟଣାଓଟରା କରିଥିଲେ। ସେ ପାଟି କରିବାରୁ ଦୂର୍ଯ୍ୟ ମହିଳାଙ୍କ ପିନ୍ଧାଲୁଗା ଟାଣି ଠେଲି ଦେବାରୁ ସେ ତଳେ ପଡିଯାଇଥଲେ। ଦୂର୍ଯ୍ୟ ତାଙ୍କୁ ମାଡ଼ି ବସିଥିଲେ। ମହିଳା ଜଣକ ଚିତ୍କାର କରିବାରୁ ସେ ସେଠାରୁ ଦୌଡ଼ି ପଳାଇଥିଲେ। ମହିଳା ଜଣକ ପାଖ ଜମିରେ କାମ କରୁଥିବା ତାଙ୍କ ଶ୍ବଶୁରଙ୍କୁ କାନ୍ଦି କାନ୍ଦି ସମସ୍ତ ଘଟଣା ଜଣାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ପୋଲିସ ଘଟଣାର ତଦନ୍ତ ଚଳାଇଛନ୍ତି।

