କଟକ,୨୧ା୧: ଦୁଇ ଆଇଏଏସ’ଙ୍କୁ ଗିରଫ ୱାରେଣ୍ଟ ପରେ ବୁଧବାର ଜଣେ ଜିଲା ଶିକ୍ଷାଧିକାରୀଙ୍କୁ ୱାରେଣ୍ଟ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଅଦାଲତ ଅବମାନନା ମାମଲାରେ ଢେଙ୍କାନାଳ ଜିଲା ଶିକ୍ଷା ଅଧିକାରୀ (DEO) ପରେଶ ପାତ୍ରଙ୍କୁ ଏହି ଗିରଫ ପରୱାନା ଜାରି କରିଛନ୍ତି। ଏକ ଅନୁକମ୍ପାମୂଳକ ନିଯୁକ୍ତି ସମ୍ପର୍କିତ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ହାଇକୋର୍ଟ DEOଙ୍କୁ ଜାନୁଆରୀ ୨୨ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁକମ୍ପାମୂଳକ ନିଯୁକ୍ତି ମାମଲାରେ ସେ କ’ଣ ପଦକ୍ଷେପ ନେଇଛନ୍ତି, ସେ ନେଇ ସ୍ପଷ୍ଟୀକରଣ ରଖିବେ। ଯଦି DEO ପାତ୍ର କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସନ୍ତୋଷଜନକ ଉତ୍ତର ପ୍ରଦାନ କରନ୍ତି ଏବଂ ନିୟମ ପାଳନ କରନ୍ତି, ତେବେ ଗିରଫ ପରୱାନା କାର୍ଯ୍ୟକାରୀ ହେବ ନାହିଁ।
ଅନ୍ୟ ଏକ ମାମଲାରେ କୋର୍ଟଙ୍କ ଆଦେଶ ଅବମାନନା କରିଥିବାରୁ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବିରୋଧରେ ମଧ୍ୟ ଗିରଫ ପରୱାନା ଜାରି ହୋଇଛି। ତାଙ୍କୁ ମଧ୍ୟ ଜାନୁଆରୀ ୨୨ରେ କୋର୍ଟରେ ହାଜର ହେବାକୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଏହି ମାମଲା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପୂର୍ବରୁ କୋର୍ଟରେ ଏକ ସଫତନାମା ଦାଖଲ କରିଥିବା ଜଣାପଡ଼ିଛି।

