ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400 ପ୍ରଣାଳୀ ପରେ, ଭାରତ ଏବେ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ‘ହାଇ-ପାୱାର ଲେଜର ଅସ୍ତ୍ର’ ପ୍ରସ୍ତୁତ କରୁଛି। ଏହା ପାରମ୍ପରିକ ଗୋଳାବାରୁଦ ବିନା ଶତ୍ରୁପକ୍ଷର ଡ୍ରୋନ୍ ଏବଂ ମିସାଇଲକୁ ଆକାଶରେ ଧ୍ୱଂସ କରିବାରେ ସକ୍ଷମ ହେବ।
ଭାରତ ସରକାର ସମଗ୍ର ଦେଶକୁ ଏକ ଅଭେଦ୍ୟ ସୁରକ୍ଷା କବଚରେ ଘେରିବା ପାଇଁ ‘ମିଶନ ସୁଦର୍ଶନ ଚକ୍ର’ ଆରମ୍ଭ କରିଛନ୍ତି। ଏହି ମିଶନ ଅଧୀନରେ ଆକାଶ-NG ଏବଂ S-400 ଭଳି କ୍ଷେପଣାସ୍ତ୍ର ସହିତ ଏହି ନୂତନ ଲେଜର ଅସ୍ତ୍ରକୁ ସାମିଲ କରାଯିବ। ସୂଚନା ଅନୁଯାୟୀ, ଭାରତ ରୁଷର ଅତ୍ୟାଧୁନିକ S-500 ପ୍ରଣାଳୀ ଆଣିବା ପାଇଁ ମଧ୍ୟ ଯୋଜନା କରୁଛି।
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏହି ଲେଜର ଅସ୍ତ୍ର ଉପରେ କାମ କରୁଛି। ଏହାର କିଛି ମୁଖ୍ୟ ଦିଗ ହେଲା, ଏହା ଏକ ଶକ୍ତିଶାଳୀ ହାଇ-ଏନର୍ଜି ଲେଜର (HEL) ଅସ୍ତ୍ର, ଯାହା ଶତ୍ରୁର ବିମାନ ବା କ୍ଷେପଣାସ୍ତ୍ରକୁ ପୋଡ଼ି ପାଉଁଶ କରିଦେବ। ୨୦ କିଲୋମିଟର ଦୂରତାରେ ଥିବା ଲକ୍ଷ୍ୟକୁ ଏହା ଅତି ସୂକ୍ଷ୍ମ ଭାବେ ଟାର୍ଗେଟ କରିପାରିବ। ଏହି ଅସ୍ତ୍ରରୁ ଗୋଟିଏ ‘ସଟ୍’ ମାରିବା ପାଇଁ ପ୍ରାୟ କିଛି ଖର୍ଚ୍ଚ ହେବ ନାହିଁ ଏବଂ ଏଥିରେ ଗୋଳାବାରୁଦ ଶେଷ ହେବାର ଭୟ ନାହିଁ। ଏହା ଦ୍ରୁତଗତିରେ ଆସୁଥିବା ଡ୍ରୋନ୍, କ୍ରୁଜ୍ ମିସାଇଲ୍ ଏବଂ ଲଢୁଆ ବିମାନକୁ ମଧ୍ୟ ଅକାମୀ କରିଦେବ।
DRDO ଏହି ପ୍ରଣାଳୀର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶର ସଫଳ ପରୀକ୍ଷଣ କରିସାରିଛି। ଏଥିରେ ବ୍ୟବହୃତ ‘ସେଣ୍ଟ୍ରିଫ୍ୟୁଗାଲ୍ ବବଲ୍’ (SOG) ଏବଂ ‘ସୁପରସୋନିକ ନୋଜଲ୍’ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଲେଜରର ଶକ୍ତି ଓ ସଠିକତାକୁ ବଜାୟ ରଖିବାରେ ସାହାଯ୍ୟ କରେ।
ଏହି ସ୍ୱଦେଶୀ ଜ୍ଞାନକୌଶଳ ସଫଳ ହେଲେ ଭାରତ ବିଶ୍ୱର ସେହି କିଛି ସୀମିତ ଦେଶଙ୍କ ତାଲିକାରେ ସାମିଲ ହେବ, ଯାହାଙ୍କ ପାଖରେ ଶକ୍ତିଶାଳୀ ‘ଡାଇରେକ୍ଟେଡ୍ ଏନର୍ଜି ୱେପନ୍’ (DEW) ରହିଛି। ଏହା ଦେଶର ସୀମା ସୁରକ୍ଷାକୁ ଏକ ନୂଆ ଦିଶା ପ୍ରଦାନ କରିବ।

