ଦାରିଙ୍ଗବାଡି, ୧୭।୧(ଅରୁଣ ସାହୁ): ଆସନ୍ତା ୨୬ ସାଧାରଣତନ୍ତ୍ର ଦିବସକୁ ଲୋକାଭିମୁଖୀ କରାଯିବା ସହ ପ୍ରତିବର୍ଷ ଭଳି ବ୍ଲକସ୍ତରରେ ପାଳନ କରାଯିବାକୁ ଶନିବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ବିଡିଓ ତଥା ଜାତୀୟ ଦିବସ ପାଳନ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶି ସାହୁ ଗତ ବୈଠକର ବିବରଣୀ ପଠନ କରିଥିଲେ। ଏହି ପ୍ରରିପ୍ରେକ୍ଷୀରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବା ସହ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଡ଼ିଓ କହିଛନ୍ତି। ବିଶେଷ କରି ଏହି କମିଟି ରେ ଏକାଧିକ ଉପ କମିଟି କର୍ମକର୍ତ୍ତା ଓ ଦାୟିତ୍ୱ ବଣ୍ଟନ କରାଯାଇଛି। ଏହି ଦିବସ ପାଳନ ପୁର୍ବରୁ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ପ୍ରଥମେ ପଞ୍ଚାୟତସ୍ତରରେ କରାଯାଇ ସେମାନଙ୍କ ମଧ୍ୟରେ କୃତି ଛାତ୍ରୀଛାତ୍ରଙ୍କୁ ବ୍ଲକସ୍ତରରେ ଚୟନ କରାଯିବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦଳଗତ, ଏକକ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆଦି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟରେ ଭଲ ପ୍ରଦର୍ଶନ କରୁଥିବା କର୍ମଚାରୀ, କୃଷକ, ସ୍ବେଚ୍ଛାସେବୀ, ଡାକ୍ତର, ଅଙ୍ଗନୱାଡି, ଆଶା କର୍ମୀ, ପୋଲିସ, ସ୍ବାସ୍ଥ୍ୟକର୍ମୀ ଭଳି ଅନେକ ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ବ୍ଲକସ୍ତରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ପଡିଆରେ ହଜାର ସଂଖ୍ୟାରେ ଅଞ୍ଚଳବାସୀ ଯୋଗ ଦେବାକୁ ରହିଥିବାରୁ ଟ୍ରାଫିକ ନିୟନ୍ତ୍ରଣ, ସାମାଜିକ ସୁରକ୍ଷା ଓ ସାମୁହିକ ପ୍ୟାରେଡର ଚୟନ ଆଦି ଦାୟିତ୍ୱ ପୋଲିସ ତଦାରଖ କରିବାକୁ ନିଷ୍ପତ୍ତି ହୋଇଛି।
ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ବୈଠକରେ ପ୍ରସ୍ଥାବ ଦିଆଯାଇଥିଲା ଏଥିରେ ବିଡ଼ିଓ ଏବଂ ତହସିଲଦାର ମିଳିତ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି ବିଡିଓ କହିଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ୱାଇଁ, ଆଇଆଇସି ସଂଗ୍ରାମ କେଶରୀ ଜେନା,ଏବିଇଓ ଗୋକୁଳାନନ୍ଦ ନାୟକ ପ୍ରମୁଖ ମଞ୍ଚାସିନ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବଣିକ ସଙ୍ଘ, ହୋଟେଲ ସଙ୍ଘ, ବରିଷ୍ଠ ନାଗରିକ, ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ ବ୍ଲକ, ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦାନ କରିଥିଲେ।
Dharitri – Odisha’s No.1 Odia Daily