ବୈଶିଙ୍ଗା,୧୨।୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପରିବାର ଲୋକେ ଘରେ କେହି ନ ଥିବା ସୁଯୋଗରେ ତାଲା କାଟି ଲକ୍ଷାଧିକ ଟଙ୍କାର ସୁନା,ରୂପା ଗହଣା ସହ ଆସବାବ ପତ୍ର ଓ ନଗଦ ୧୭ ହଜାର ଟଙ୍କା ଲୁଟି ନେଇଛନ୍ତି ଚୋର। ଏ ନେଇ ସୋମବାର ବୈଶିଙ୍ଗା ଥାନାରେ ଏତଲାକାରୀ ଶିକ୍ଷକ ବସନ୍ତ କୁମାର ସେନାପତିଙ୍କ ଅଭିଯୋଗକୁ ଭିତ୍ତି କରି ୧୮/୨୬ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ବୈଶିଙ୍ଗା ପୋଲିସ । ଏତଲାକାରୀଙ୍କ ଅଭିଯୋଗ ମୁତାବକ ସେ ନିଜ ପରିବାର ସହିତ ଶନିବାର ଶ୍ୱଶୁର ଘରକୁ ଯାଇଥିଲେ। ସୋମବାର ସକାଳ ସମୟରେ ଘରକୁ ଫେରି ଘରର ପ୍ରମୁଖ ଗ୍ରୀଲର ତାଲା କଟାଯାଇଥିବା ଦେଖିବାକୁ ପାଇଥିଲେ। ପରେ ଘର ଭିତରେ ପଶି ଦେଖିବା ବେଳକୁ ଘରର ଅନ୍ୟ ସମସ୍ତ କବାଟର ତାଲା ଭଙ୍ଗାଯିବା ସହ ଶୋଇବା ଘରେ ଥିବା ସମସ୍ତ ଆସବାବ ପତ୍ର ଏଣେତେଣେ ପଡିଛି। ଘରେ ଥିବା ସୁନା ଅଳଙ୍କାର ସାଙ୍ଗକୁ ନଗଦ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ପରିବାର ଏବଂ ଗ୍ରାମର ଅନ୍ୟ ଲୋକମାନଙ୍କୁ ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ । ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅପରାହ୍ନରେ ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହ ଫରେନସିକ ଟିମ ମଧ୍ୟ ତଦନ୍ତ ଚଳାଇଥିବା ଜଣାଯାଇଛି।


