ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ ଶୁକ୍ରବାର ଅପରାହ୍ନରେ ଅନ୍ୟ ଜଣେ ଛାତ୍ର ଲିଙ୍ଗରାଜ ମହାପାତ୍ରଙ୍କ ମୃତଦେହ ମିଳିଛି। ୩ ଦିନ ପରେ ପଥର ଭିତରେ ଚାପିହୋଇ ରହିଥିବା ଲିଙ୍ଗରାଜଙ୍କ ମୃତଦେହକୁ ମାଥିଲି ଅଗ୍ନିଶମ ବାହିନୀ ଏବଂ କୋରାପୁଟ ଓଡ୍ରାଫ ଟିମ୍ ଠାବକରି ବାହାର କରିଥିଲେ। ଝରଣାର ସ୍ରୋତ ଏବଂ ଅଧିକ ଗଭୀର ପାଣି ଯୋଗୁ ମୃତଦେହ ଖୋଜିବା ସମ୍ଭବ ହୋଇପାରୁ ନ ଥିଲା । ତେବେ ଶୁକ୍ରବାର ଖୋଜାଖୋଜି କରିବାବେଳେ ନିଖୋଜ ଛାତ୍ର ଲିଙ୍ଗରାଜଙ୍କ ମୃତଦେହ ମିଳିଥିବା ଓଡ୍ରାଫ୍ ଟିମ୍ କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ମାଥିଲି ଥାନା ଆଇଆଇସି ଦୀପାଞ୍ଜଳୀ ପ୍ରଧାନ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଜୟପୁର ବିକ୍ରମ ବିଶ୍ବବିଦ୍ୟାଳୟର ୫ ଛାତ୍ର ଗୁମ୍ମାଝରଣ ଜଳପ୍ରପାତକୁ ଭୋଜି କରିବାକୁ ଆସିଥିଲେ । ସେମାନେ ହାତ ଧରାଧରି ହୋଇ ଗାଧୋଇବାବେଳେ ନାରାୟଣପାଟନାର ୨ ଛାତ୍ର ଏସ୍. ଶିଖର ଏବଂ ଜୟପୁର ନୂଆସାହିର ଲିଙ୍ଗରାଜ ମହାପାତ୍ରଙ୍କ ଗୋଡ଼ ଖସିଯିବାରୁ ସେମାନେ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ବୁଧବାର ଓଡ୍ରାଫ ଟିମ୍ ଏବଂ ଦମକଳ ବାହିନୀ ଶିଖରଙ୍କ ମୃତଦେହ ଠାବ କରିଥିଲେ।
Dharitri – Odisha’s No.1 Odia Daily


