ମୋରଡ଼ା,୧୫।୧୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାସ୍ଥିତ ଜବାହର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମୀନାକ୍ଷୀ ନନ୍ଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବିଦ୍ୟାର୍ଥୀ ସମୟ ହେଉଛି ଜୀବନକୁ ସରସ, ସୁନ୍ଦର ଗଢ଼ିତୋଳିବାର ପ୍ରକୃତ ସମୟ। ଏହି ସମୟର ସଦୁପଯୋଗ ଯିଏ ଠିକ୍ ଢଙ୍ଗରେ କରିଥାଏ ତାହାର ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ । ତେଣୁ ଛାତ୍ରୀଛାତ୍ରମାନେ ଏହି ବିଦ୍ୟାର୍ଥୀ ସମୟର ସଦୁପଯୋଗ କରିବା ଜରୁରୀ ବୋଲି ମନ୍ତ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ସମ୍ମାନିତ ଅତିଥି ଭାବେ ଭାଜପା ଜିଲା ଉପସଭାପତି ପ୍ରଦୀପ କୁମାର ମହାନ୍ତି, ବିଇଓ ବିଜୟ କୁମାର ପାଣିଗ୍ରାହୀ, ବ୍ୟାଙ୍କ ଅଫ ଇଣ୍ଡିଆ ଚିତ୍ରଡା ଶାଖା ପରିଚାଳକ ତରୁଣ କୁମାର ଦେହୁରୀ, ରାମଚନ୍ଦ୍ର ସୋରେନ,ପ୍ରକାଶ ଚନ୍ଦ୍ର ମହାନ୍ତ, ପ୍ରଭାତ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶେଷ ମହାନ୍ତ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ଶିକ୍ଷକ ଅରୁଣ କୁମାର ବେହେରା।


