ଖଜୁରୀପଡ଼ା,୧୨ା୧୧(ବିଦୁର ବେହେରା): ସରକାର ରାସ୍ତା, ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ବିଭାଗର ଅବହେଳା ଏବଂ ଠିକାଦାର ଓ ଯନ୍ତ୍ରୀଙ୍କ ପୋଲ ନିର୍ମାଣ କାର୍ଯ୍ୟ ତ୍ରୁଟି ଯୋଗୁ ଏବେ ପୋଲ ଦୁର୍ଘଟଣାର ସ୍ପଟ୍ ପାଲଟିଛି।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ୧୫୭ ନଂ ଜାତୀୟ ରାଜପଥରେ। ଏହି ରାଜପଥ ଫୁଲବାଣୀରୁ ରାଜଧାନୀ ଭୁବନେଶ୍ୱର ସଂଯୋଗ କରୁଛି। ଏହି ରାସ୍ତାରେ ଦୂତିପଡ଼ା ନିକଟସ୍ଥ ଜାମଝୋରିଠାରେ କିଛିବର୍ଷ ତଳେ ନୂତନ ପୋଲ ନିର୍ମାଣ କରାଯାଇଛି। ଯାହାର ନିର୍ମାଣ ଦାୟିତ୍ୱ ଫୁଲବାଣୀ ପୂର୍ତ୍ତ ବିଭାଗ ନିର୍ବାହ କରିଛି। ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ ଠିକାଦାରଙ୍କ କାର୍ଯ୍ୟ ତ୍ରୁଟି ଯୋଗୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ପୋଲଟି ବଙ୍କା ହୋଇ ଗଲା। ଯାହା ଫଳରେ ଏହି ପୋଲ ଠାରେ ଦୁର୍ଘଟଣା ଘଟୁଛି।
ବୁଧବାର କୋଲକାତାରୁ ନବରଙ୍ଗପୁରକୁ ଯାଉଥିବା ବିସ୍କୁଟ୍ ବୋଝେଇ ଟ୍ରକ୍ ନଂ WB 11J 7960 ଏହି ବଙ୍କା ପୋଲରେ ଦୁର୍ଘଟଣା ଘଟିଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ରଞ୍ଜେସ ସିଂ। ଚାଳକ ରଞ୍ଜେଶଙ୍କ କହିବା ଅନୁଯାୟୀ, ପୋଲଟି ବଙ୍କା ଥିବାରୁ ଗାଡ଼ି ବୁଲେଇବା ବେଳେ ସମସ୍ୟା ହେଉଛି। ଗାଡ଼ି ବ୍ରେକ୍ ଫେଲ ହୋଇ ଦୁର୍ଘଟଣା ଘଟିଛି।
ଘଟଣାସ୍ଥଳରେ ଖଜୁରୀପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ନେଇ ସ୍ଥାନୀୟ ବାସିନ୍ଦା ଗୋବିନ୍ଦ ଚନ୍ଦ୍ର ବେହେରା କହିଛନ୍ତି ଯେ, ପୁରୁଣା ରାସ୍ତା ଓ ପୋଲ ସିଧା ଥିଲା। କିନ୍ତୁ ନୂତନ ପୋଲ ନିର୍ମାଣ ଯନ୍ତ୍ରୀ ଏବଂ ଠିକାଦାରଙ୍କ କାର୍ଯ୍ୟ କରିବା ପ୍ରଣାଳୀରେ ତ୍ରୁଟି ଯୋଗୁ ପୋଲଟି ବଙ୍କା ହୋଇଯାଇଛି। ପୋଲ ନିକଟରେ ମୋ’ ଘର ଥିବାରୁ କେତେବେଳେ ଗାଡ଼ି ମୋଟର ମାଡ଼ିଯିବ ସେନେଇ ଆଶଙ୍କାରେ ରହୁଛି ବୋଲି କହିଛନ୍ତି। ପୋଲ ନିର୍ମାଣ ସମୟରେ ଆମେ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଲେ ନାହିଁ ବୋଲି ସେ କହିଛନ୍ତି।

