ନୂଆଦିଲ୍ଲୀ,୨୬ା୧୦: ନିର୍ବାଚନ ଆୟୋଗ (EC) ସୋମବାର ଅକ୍ଟୋବର ୨୭ ତାରିଖରେ ଦେଶର ବିଭିନ୍ନ ରାଜ୍ୟ ପାଇଁ ସ୍ୱତନ୍ତ୍ର (Special Intensive Revision – SIR) ଭୋଟର୍ ସଂଶୋଧନ ତାଲିକାର କାର୍ଯ୍ୟସୂଚୀ ଘୋଷଣା କରିବେ। କମିଶନର୍ ଜ୍ଞାନେଶ୍ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪.୧୫ ରେ ଏହି ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହେବ।
ନିର୍ବାଚନ ଆୟୋଗ SIR ର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ ରୁ ୧୫ ଟି ରାଜ୍ୟର ତାଲିକା ଉନ୍ମୋଚନ କରିବାର ସମ୍ଭାବନା ରହିଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ୨୦୨୬ ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ପୁଡୁଚେରୀ ସାମିଲ୍ ଅଛନ୍ତି।
ଏହି ଭୋଟର୍ ତାଲିକା ସଂଶୋଧନର ମୂଳ ଲକ୍ଷ୍ୟ ହେଉଛି ଜନ୍ମସ୍ଥାନ ଯାଞ୍ଚ କରି ବେଆଇନ ବିଦେଶୀ ପ୍ରବାସୀମାନଙ୍କୁ ଚିହ୍ନଟ କରିବା ଏବଂ ତାଲିକାରୁ ବାଦ୍ ଦେବା। ନିକଟରେ ବାଂଲାଦେଶ ଏବଂ ମିଆଁମାରରୁ ଆସିଥିବା ଅବୈଧ ପ୍ରବାସୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପକୁ ଗୁରୁତ୍ୱ ଦିଆଯାଉଛି।
ନିକଟରେ ଭୋଟର୍ ତାଲିକା ଅପଡେଟ୍ ଶେଷ କରିଥିବା ବିହାର ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରାୟ ୭.୪୨ କୋଟି ଲୋକଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛି। ବିହାରରେ ନଭେମ୍ବର ୬ ଓ ୧୧ ତାରିଖରେ ନିର୍ବାଚନ ହେବ।
ସ୍ଥାନୀୟ ନିର୍ବାଚନ ଚାଲିଥିବା ରାଜ୍ୟଗୁଡ଼ିକରେ SIR କାର୍ଯ୍ୟକୁ ପରେ ସ୍ଥଗିତ ରଖାଯିବାର ସମ୍ଭାବନା ଅଛି। ପୁରୁଣା ରେକର୍ଡ ସହିତ ବର୍ତ୍ତମାନର ଭୋଟରଙ୍କ ତଥ୍ୟକୁ ମିଳାଇବା ପାଇଁ ଅନେକ ରାଜ୍ୟରେ ୨୦୦୨ ରୁ ୨୦୦୮ ପର୍ଯ୍ୟନ୍ତ ଭୋଟର୍ ତାଲିକା ଉପଲବ୍ଧ କରାଯାଇଛି।

