କାହିଁକି ହୁଏ ଚନ୍ଦ୍ର ଗ୍ରହଣ, କାହିଁକି ଦେଖିବାକୁ ମିଳେ ରକ୍ତ ଚନ୍ଦ୍ରମା ଜାଣନ୍ତୁ…

ଚଳିତ ମାସ ୭ ତାରିଖରେ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିଥିଲା। ଏହା ଭାରତ ସମେତ ପୃଥିବୀର ଅଧିକାଂଶ ଭୂଭାଗରେ ଦେଖାଯାଇଥିଲା। ଏହା ଏକ ରକ୍ତ ଚନ୍ଦ୍ରମା ଥିବାରୁ ଏହାର ଦର୍ଶନ ସାଧାରଣ ଜନତାଙ୍କ ମନରେ ଗଭୀର କୌତୂହଳ ଓ ଆଶଙ୍କା ସୃଷ୍ଟି କରିଥିଲା। ଏହି ଚନ୍ଦ୍ରଗ୍ରହଣ ସମୟରେ ଲୋକଙ୍କ ମନରେ ଅନେକ ଅନ୍ଧବିଶ୍ୱାସ ଓ ଭ୍ରାନ୍ତ ଧାରଣା ପରିଲକ୍ଷିତ ହୋଇଥିଲା। ମନ୍ଦିରରେ ଦେବନୀତିରେ ପରିବର୍ତ୍ତନ କରାଯାଇଥିଲା। ପାକ ପ୍ରକ୍ରିୟା, ଦୂର ଯାତ୍ରା ତଥା ଭୋଜନ ଉପରେ କଟକଣା ଜାରି କରାଯାଇଥିଲା। ଗ୍ରହଣ ଉପରାନ୍ତେ ଲୋକେ ନଦୀ କିମ୍ବା ପୁଷ୍କରିଣୀରେ ତୁରନ୍ତ ସ୍ନାନ କରିଥିଲେ। ତେବେ ପ୍ରଶ୍ନ ହେଉଛି: ଚନ୍ଦ୍ର ଗ୍ରହଣ କାହିଁକି ହୁଏ ଏବଂ ବେଳେବେଳେ ରକ୍ତ ଚନ୍ଦ୍ରମା ଦେଖିବାକୁ ମିଳେ କାହିଁକି? ଏ ସମ୍ପର୍କରେ ଥିବା ଆମର ପାରମ୍ପରିକ ଧାରଣା କେତେ ଦୂର ଯଥାର୍ଥ ?
ପ୍ରକୃତରେ ଚନ୍ଦ୍ରଗ୍ରହଣ ଏକ ମହାକାଶୀୟ ଘଟଣା ଏବଂ ଛାଇ ଆଲୁଅର ଖେଳ। ସୂର୍ଯ୍ୟ ଚାରିପଟେ ପୃଥିବୀ ଓ ଚନ୍ଦ୍ର ନିଜ କକ୍ଷପଥରେ ଘୂରୁଥିଲାବେଳେ କେବେ କେବେ ଏକ ପୂର୍ଣ୍ଣିମା ତିଥିରେ ସେ ତିନୋଟି ପିଣ୍ଡ ଏକ ସରଳରେଖାରେ ରହିଯାନ୍ତି। ଏହି ଅବସ୍ଥାରେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ରହିଗଲେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼େ ଏବଂ ଚନ୍ଦ୍ର କ୍ଷଣିକ ପାଇଁ ଆକାଶରୁ ଅନ୍ତର୍ହିତ ହୋଇଯାଏ। ଏହା ହିଁ ଚନ୍ଦ୍ର ଗ୍ରହଣ। ମାତ୍ର ପୃଥିବୀର କକ୍ଷତଳ ପ୍ରତି ଚନ୍ଦ୍ରର କକ୍ଷତଳର ଆନତି ହେତୁ (ପ୍ରାୟ ୫ ଡିଗ୍ରୀ) ସବୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହୁଏ ନାହିଁଚ୍‌; କେତେକ ନିର୍ଦ୍ଦିଷ୍ଟ ପୂର୍ଣ୍ଣମୀରେ ହିଁ ଚନ୍ଦ୍ରଗ୍ରହଣ ହୋଇଥାଏ। ତେବେ ଏକ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟ ଆକାଶରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇ ଯାଉଥିଲାବେଳେ ଏକ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣରେ କିନ୍ତୁ ଚନ୍ଦ୍ର ସମ୍ପୂର୍ଣ୍ଣ ଅଦୃଶ୍ୟ ହୁଏ ନାହିଁ; ଏହା ଏକ ମଳିନ ଲାଲ କିମ୍ବା କମଳା ବର୍ଣ୍ଣର ପିଣ୍ଡ ରୂପେ ଆକାଶରେ ରହିଯାଏ। ଏହାର କାରଣ ସୂର୍ଯ୍ୟର କିଛି ଲାଲ ରଶ୍ମି ପୃଥିବୀର ବାୟୁମଣ୍ଡଳ ଦ୍ୱାରା ପ୍ରତିସରଣ ପ୍ରଭାବରୁ ବଙ୍କେଇ ଯାଇ ଚନ୍ଦ୍ର ଉପରେ ପଡ଼ିଥାଏ। ପୁଣି ବାୟୁମଣ୍ଡଳରେ ଥିବା ଧୂଳିକଣାର ବିଚ୍ଛୁରଣ ଫଳରେ କମ୍‌ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ନୀଳ ରଶ୍ମି ବିଚ୍ଛୁରିତ ହୋଇ ଏଣେତେଣେ ଚାଲିଯାଏ ଏବଂ କେବଳ ଅଧିକ ତରଙ୍ଗ ଦୈର୍ଘ୍ୟର ଲାଲ କିରଣ ହିଁ ଚନ୍ଦ୍ର ପୃଷ୍ଠରେ ପହଞ୍ଚତ୍ ଥାଏ। ଫଳରେ ଗ୍ରହଣର ଚରମ ଅବସ୍ଥାରେ ଚନ୍ଦ୍ର ସମ୍ପୂର୍ଣ୍ଣ ଅଦୃଶ୍ୟ ନ ହୋଇ ଏକ ରକ୍ତ ବର୍ଣ୍ଣର ପିଣ୍ଡ ସଦୃଶ ଆକାଶରେ ଝୁଲି ରହେ। ଏହାକୁ ହିଁ ‘ରକ୍ତ ଚନ୍ଦ୍ରମା’ କହନ୍ତି।
ଚନ୍ଦ୍ର ଗ୍ରହଣ ସମ୍ପର୍କରେ ବିଭିନ୍ନ ସଂସ୍କୃତିରେ ଅନେକ ବିଶ୍ୱାସ, ଅନ୍ଧବିଶ୍ୱାସ ରହିଛି। ମଧ୍ୟ ଆମେରିକାରେ ଖ୍ରୀଷ୍ଟପୂର୍ବ ୨୦୦୦ରେ ବାସ କରୁଥିବା ମୟମାନେ ବିଶ୍ୱାସ କରୁଥିଲେ ଯେ, ଚନ୍ଦ୍ରକୁ ଆକାଶରେ ଏକ ଜାଗୁଆର ଭଳି ହିଂସ୍ର ଜୀବ ଭକ୍ଷଣ କରିବାରୁ ଚନ୍ଦ୍ର ସାମୟିକ ପାଇଁ ଅଦୃଶ୍ୟ ହୋଇଯାଏ। ସେହିପରି ଦକ୍ଷିଣ ଆମେରିକାରେ ୧୪୦୦ରୁ ୧୫୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ବାସ କରୁଥିବା ଇନକାମାନେ ବିଶ୍ୱାସ କରୁଥିଲେ ଯେ, ଏକ ହେଟାବାଘ ଜାତୀୟ ଜୀବ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରକୁ ଆକାଶରେ ଖାଇଦିଏ। ଫଳରେ ଚନ୍ଦ୍ର ରକ୍ତ ବର୍ଣ୍ଣ ପାଲଟିଯାଏ। ସେମାନଙ୍କ ବିଶ୍ୱାସ ଯେ, ଏହି ଜୀବ ଆକାଶରେ ଚନ୍ଦ୍ରକୁ ଭକ୍ଷଣ କଲାପରେ ପଥିବୀକୁ ଫେରି ସମସ୍ତ ଜୀବଜନ୍ତୁଙ୍କୁ ମଧ୍ୟ ଖାଇଯିବ। ତେଣୁ ସେମାନେ ଏହି ଜୀବକୁ ଘଉଡ଼ାଇବା ପାଇଁ ବାଜା ବଜେଇ ଆକାଶକୁ ତୀର ଓ ବର୍ଛା ନିକ୍ଷେପ କରୁଥିଲେ। ଚାଇନାରେ ଲୋକଙ୍କର ବିଶ୍ୱାସ ଥିଲା ଯେ, ଏକ ଭୟଙ୍କର ଡ୍ରାଗନ କିମ୍ବା ପୁରାଣ ବର୍ଣ୍ଣିତ ‘ଚନ୍‌ ଚୁ’ ନାମକ ଏକ ବିଚିତ୍ର ତିନିଗୋଡ଼ିଆ ବେଙ୍ଗ ଆକାଶରେ ଚନ୍ଦ୍ରକୁ ଭକ୍ଷଣ କରେ। ମେସୋପଟାମିଆ ସଭ୍ୟତାରେ ଲୋକେ ବିଶ୍ୱାସ କରୁଥିଲେ ଯେ, ଚନ୍ଦ୍ର ଗ୍ରହଣ ସମୟରେ ସାତୋଟି ରାକ୍ଷସ ଚନ୍ଦ୍ରକୁ ଆକ୍ରମଣ କରିଥାନ୍ତି। ସେମାନେ ବିଶ୍ୱାସ କରୁଥିଲେ ଯେ, ସେହି ରାକ୍ଷସମାନେ ଚନ୍ଦ୍ରକୁ ଆକ୍ରମଣ କଲାପରେ ପୃଥିବୀକୁ ଫେରି ନିଜ ରାଜାଙ୍କୁ ମଧ୍ୟ ଆକ୍ରମଣ କରିବେ। ସେଥିପାଇଁ ସେମାନେ ନିଜ ରାଜାଙ୍କୁ ରକ୍ଷା କରିବା ପାଇଁ ତାଙ୍କୁ ଲୁଚାଇ ଏକ ନକଲି ରାଜାଙ୍କ ଅବତାରଣା କରୁଥିଲେ। ଗ୍ରହଣ ସମ୍ପୂର୍ଣ୍ଣ ଛାଡିଗଲା ପରେ, ସେମାନେ ପ୍ରକୃତ ରାଜାଙ୍କୁ ଗୋପନରୁ ବାହାର କରି ନକଲି ରାଜାଙ୍କୁ ଲୁଚାଇ ଦେଉଥିଲେ କିମ୍ବା ବିଷ ଦେଇ ଜୀବନରୁ ମାରି ଦେଉଥିଲେ। ହିନ୍ଦୁମାନଙ୍କର ବିଶ୍ୱାସ ଯେ, ରାହୁ ନାମକ ଏକ କ୍ଷୁଧିତ ଦାନବ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ରକୁ ଗିଳି ଦିଏ। ମାତ୍ର ଭଗବାନ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ରରେ ରାହୁର ଶିର କାଟି ଦେଇଥିବାରୁ ଚନ୍ଦ୍ର କିଛି ସମୟ ପରେ ରାହୁ ଦାନବର ଗଳା ମଧ୍ୟରୁ ନିର୍ଗତ ହୋଇ ଆକାଶରେ ଦୃଶ୍ୟ ହୁଏ ; ଅର୍ଥାତ ଗ୍ରହଣ ସମ୍ପୂର୍ଣ୍ଣ ଛାଡିଯାଏ। ରକ୍ତ ଚନ୍ଦ୍ରମା ସମ୍ପର୍କରେ ବାଇବେଲରେ ମଧ୍ୟ ବର୍ଣ୍ଣନା ଅଛି। ଏହା ସମୁଦାୟ ଖ୍ରୀଷ୍ଟ ଜଗତ ପାଇଁ ଅଶୁଭର ସଙ୍କେତ ବୋଲି ବିଶ୍ୱାସ କରାଯାଏ।
ଅତୀତରେ ପ୍ରଖ୍ୟାତ ଇଟାଲୀୟ ନାବିକ କଲମ୍ବସ ଥରେ ଏହିପରି ଏକ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ସାହାଯ୍ୟ ନେଇ ଜାମାଇକାର ସ୍ଥାନୀୟ ଅଧିବାସୀମାନଙ୍କୁ ଚମତ୍କୃତ କରି ଦେଇଥିଲେ। ଖ୍ରୀଷ୍ଟାବ୍ଦ ୧୫୦୪ରେ କଲମ୍ବସଙ୍କ ଅଭିଯାତ୍ରୀ ଦଳଟି ପହଞ୍ଚିଥିଲେ ଜାମାଇକା ଦ୍ୱୀପପୁଞ୍ଜରେ। ସ୍ଥାନୀୟ ଅଧିବାସୀମନେ କିନ୍ତୁ ଏହି ଶ୍ୱେତାଙ୍ଗ ଅଭିଯାତ୍ରୀ ଦଳକୁ କୌଣସି ସାହାଯ୍ୟ ସହଯୋଗ କଲେ ନାହିଁ। ଏଥିରେ କଲମ୍ବସ ରାଗିଯାଇ ଘୋଷଣା କଲେ ଯେ ସେ ସେହି ଦିନ ରାତିରେ ସେମାନଙ୍କ ପ୍ରିୟ ଦେବତା ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଲୁଚାଇ ଦେବେ। ଶେଷରେ ସେହି ବହୁ ପ୍ରତୀକ୍ଷିତ ସମୟ ଆଗତ ହେଲା। ଅକସ୍ମାତ ଆକାଶରେ କାହୁଁ କଳାହାଣ୍ଡିଆ ବାଦଲଖଣ୍ଡଟିଏ ମାଡି ଆସିଲା ଏବଂ ଚନ୍ଦ୍ରକୁ ସଙ୍ଗେ ସଙ୍ଗେ କବଳିତ କରି ଢାଙ୍କି ଦେଲା। ନିଜ ପ୍ରିୟ ଦେବତା ଚନ୍ଦ୍ରର ଏ ଦଶା ଦେଖି ସ୍ଥାନୀୟ ଅଧିବାସୀମାନେ କଲମ୍ବସଙ୍କୁ ଦେବତା ତୁଲ୍ୟ ମଣି ପ୍ରାର୍ଥନା କଲେ ଚନ୍ଦ୍ର ପୂର୍ବ ତେଜ ପୁଣି ଫେରାଇ ଦେବା ନିମନ୍ତେ। କଲମ୍ବସଙ୍କ ନିର୍ଦ୍ଦେଶରେ କିଛି ସମୟ ପରେ ଚନ୍ଦ୍ରର ପୂର୍ବ ତେଜ ପୁଣି ଫେରି ଆସିଲା। ମାତ୍ର କଲମ୍ବସ ଯେ ଏହି ଚମତ୍କାରିତା ଦେଖାଇବା ପାଇଁ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ସାହାଯ୍ୟ ନେଇଥିଲେ ତାହା ମୂର୍ଖ ଜାମାଇକାବାସୀମାନେ ଜାଣିପାରିଲେ ନାହିଁ ! (କ୍ରମଶଃ..)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର-୧୩
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri