ଖଡ଼ିଆଳ,୨୪ା୬ (ସୁଜିତ କୁମାର ପ୍ରଧାନ)- ଅଧିକ ଧାନ ଗଚ୍ଛିତ ରଖିବା ଅଭିଯୋଗରେ ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଲକ୍ଷ୍ମୀପୁରସ୍ଥିତ ବଂଶଲ ଆଗ୍ରୋ ରାଇସ୍ ମିଲକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ଗତ ୨୦ ତାରିଖରେ ଜିଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି ରାଇସ୍ ମିଲରେ ଯୋଗାଣ ବିଭାଗ ଚଢାଉ କରିଥିଲା। ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ ଖଡ଼ିଆଳ ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାଏକଙ୍କ ଉପସ୍ଥିତିରେ ତଦନ୍ତ ହୋଇଥିଲା।
ରାଇସ୍ ମିଲ୍ ପରିସରରେ ୭ଟି ଷ୍ଟକ, ଆର୍ଏମ୍ସି ଭଡ଼ା ଗୋଦାମର ଗୋଟିଏ ଷ୍ଟକ, ରାଜାପଡ଼ା ଭଡ଼ା ଗୋଦାମର ୨ଟି ଷ୍ଟକରେ ଯାଞ୍ଚ ହୋଇଥିଲା। ଯାଞ୍ଚ ସମୟରେ ମିଲରେ ଧାର୍ଯ୍ୟଠାରୁ ୭୧.୬୭ କୁଇଣ୍ଟାଲ ଧାନ ଓ ୨.୧୧ କୁଇଣ୍ଟାଲ ଚାଉଲ ଅଧିକ ବାହାରିଥିଲା। ଏହି ରିପୋର୍ଟ ପାଇବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୧୦୭୯୭ରେ ରାଇସ ମିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାଇସ ମିଲ ମାଲିକଙ୍କ ନାଁରେ ଥାନାରେ ମାମଲା ରୁଜୁ କରିବାକୁ ସିଏସ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


