ବୃହତ୍‌ ସ୍ବାସ୍ଥ୍ୟଗତ ବିପଦ

୧୯୮୪ରୁ ପ୍ରତି ବର୍ଷ ମାର୍ଚ୍ଚ ଦ୍ୱିତୀୟ ବୁଧବାର ଦିନ ବିଶ୍ୱସ୍ତରରେ ପାଳିତ ହେଉଛି ଧୂମପାନ ନିଷେଧ ଦିବସ। ଧୂମପାନର ଭୟାବହତା ସମ୍ପର୍କରେ ସବୁ ସ୍ତରରେ ଜନସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ। ଏଠାରେ ଧୂମପାନ କହିଲେ ମୁଖ୍ୟତଃ ବିଡ଼ି, ସିଗାରେଟ ସେବନକୁ ବୁଝାଏ। ମଣିଷର ଧୂମପାନ ବଦଭ୍ୟାସ ବେଶ୍‌ ପୁରୁଣା। ଖ୍ରୀଷ୍ଟପୂର୍ବ ୫୦୦୦ରେ ମଣିଷ ଧୂମପାନ କରୁଥିବାର ପ୍ରମାଣ ମିଳେ। ତେବେ ଏକଦା ଏହା ଧାର୍ମିକ ଉତ୍ସବ ଅନୁଷ୍ଠାନ ସହ ସଂପୃକ୍ତ ଥିଲା। ୟୁରୋପୀୟମାନେ ଆମେରିକା ଭୂଖଣ୍ଡରେ ପାଦ ଦେବା ପରେ ତଥା ଧୂଅଁାପତ୍ରର ବ୍ୟାପକ ଉପତ୍ାଦନ ସହ ଏକା କ୍ରମଶଃ ଏକ ସାମାଜିକ ବ୍ୟାଧିରେ ପରିଣତ ହୋଇଥିଲା। ଧୂମପାନ ଏକାଧିକ ପ୍ରକାରର କର୍କଟ, ହୃଦ୍‌ରୋଗ, ନପୁଂସକତା, ଜନ୍ମଗତ ତ୍ରୁଟି ଆଦିର ମୁଖ୍ୟ କାରଣ।
ଧୂମପାୟୀମାନଙ୍କୁ ସେମାନଙ୍କ ଏ ଅଭ୍ୟାସରୁ ବିରତ ରଖିବା ଲାଗି ଇତିମଧ୍ୟରେ କେନ୍ଦ୍ର ସରକାର ଯେଉଁ ନୂତନ ନିୟମଟିର ପ୍ରଚଳନ କରିଛନ୍ତି ତାହା ସିଗାରେଟ ତିଆରି କରୁଥିବା କମ୍ପାନୀମାନଙ୍କ ଲାଗି ଗ୍ରହଣଯୋଗ୍ୟ ହୋଇପାରିନାହିଁ। ସରକାରଙ୍କ ନୂଆ ନିୟମ ଅନୁସାରେ ଏକ ସିଗାରେଟ ପ୍ୟାକେଟର ୮୫ ପ୍ରତିଶତ ସ୍ଥାନରେ ଧୂମପାନର ବିପଦକୁ ସୂଚାଉ ଥିବା ଚିତ୍ର ରହିବା ବାଧ୍ୟତାମୂଳକ। ଏଭଳି ହେଲେ ସିଗାରେଟ ଟାଣୁଥିବା ଲୋକଙ୍କ ଭିତରେ ଅନେକେ ଧୂମପାନରୁ ବିରତ ରହିପାରନ୍ତି ବୋଲି ଆଶା କରାଯାଉଛି। କିନ୍ତୁ ସିଗାରେଟ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକର କହିବା କଥା ହେଲା ଏ ମାମଲା ଅଦାଲତରେ ଥିବାରୁ ଏବଂ ଏକ ସଂସଦୀୟ କମିଟିରେ ବିଚାରାଧୀନ ଥିବାରୁ ଏ ନିୟମ ନେଇ ସ୍ପଷ୍ଟତା ନାହିଁ। ତେଣୁ ସେମାନେ ଏହାକୁ ଗ୍ରହଣ କରିବାକୁ ଅସମର୍ଥ। ଗଲା ବର୍ଷ ସେପ୍ଟେମ୍ବର ୨୪ରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏପ୍ରିଲ ୧, ୨୦୧୬ରୁ ଏ ନୂଆ ନିୟମ କଡ଼ାକଡ଼ି ଲାଗୁହୋଇଛି। କିନ୍ତୁ ଏହାକୁ ଆପାତତଃ ଗ୍ରହଣ ନକରି ଭାରତର ଅନ୍ୟତମ ସର୍ବବୃହତ୍‌ ସିଗାରେଟ ପ୍ରସ୍ତୁତକାରୀ କମ୍ପାନୀର କାରଖାନା ଇତିମଧ୍ୟରେ ବନ୍ଦ ହୋଇଯାଇଛି। ସିଗାରେଟ କମ୍ପାନୀଗୁଡ଼ିକର ଏଭଳି ଆଭିମୁଖ୍ୟ ପଛରେ ଥିବା କାରଣ ସଂପର୍କରେ ସେମାନେ ଯାହା ସଫେଇ ଦିଅନ୍ତୁ ନା କାହିଁକି, ଏହା ସ୍ପଷ୍ଟ ଭାବେ ବୁଝାପଡ଼େ ଯେ ଏ ନୂଆ ନିୟମକୁ ମାନିଲେ ସେମାନେ ଗ୍ରାହକମାନଙ୍କୁ ହରାଇବାର ଯଥେଷ୍ଟ ଆଶଙ୍କା ନେଇ ସଂତ୍ରସ୍ତ। ଏବେ ଦେଖାଗଲାଣି ଯେ ଧୂମପାନର କ୍ଷତି ବାବଦରେ ସଚେତନତାର ପ୍ରସାର ହେତୁ ଏବଂ ଲୋକେ ଆପଣା ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହେଉଥିବା କାରଣରୁ ଦେଶରେ ଧୂମପାନ କରୁଥିବା ଲୋକଙ୍କ ସଂଖ୍ୟାରେ ହ୍ରାସର ସୂଚନା ମିଳିଲାଣି। ଏକ ଅନୁଶୀଳନରୁ ଜଣାପଡ଼ିଛି ଯେ କିଶୋର ଏବଂ ତରୁଣ ବୟସରେ ଧୂମପାନ ପ୍ରତି ଆକର୍ଷିତ ହୋଇ ଏ ଅଭ୍ୟାସ ଆରମ୍ଭ କରିବା ହାରରେ ଯଦିଓ ହ୍ରାସ ଘଟି ନାହିଁ, କିନ୍ତୁ ବୟସ ବଢ଼ିବା ସହିତ ଏହାକୁ ଏକ ବଦ୍ଧମୂଳ ଅଭ୍ୟାସରେ ପରିଣତ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ଘଟି ଚାଲିଛି।
ଧୂମପାନ ସେବନରେ ମୁଖଗହ୍ବର, ହୃତ୍‌ପିଣ୍ଡ, ଯକୃତ, ଫୁସ୍‌ଫୁସ୍‌, ଅଗ୍ନ୍ୟାଶୟ ଓ ଖାଦ୍ୟନଳୀ ଇତ୍ୟାଦି ଶରୀରର ଅଂଶଗୁଡ଼ିକ ରୋଗାକ୍ରାନ୍ତ ହୁଅନ୍ତି। ଉଚ୍ଚରକ୍ତଚାପ, ହୃଦ୍‌ଘାତ, ପକ୍ଷାଘାତ, ଫୁସ୍‌ଫୁସ୍‌ କ୍ୟାନ୍‌ସର, ବୃକକ୍‌ କ୍ୟାନ୍‌ସର, ଖାଦ୍ୟନଳୀ କ୍ୟାନ୍‌ସର, ସ୍ବରନଳୀର କ୍ୟାନ୍‌ସର ଓ ଅଗ୍ନ୍ୟାଶୟର କ୍ୟାନ୍‌ସର ଇତ୍ୟାଦି ଧୂମପାନ ସେବନ ଯୋଗୁ ହୋଇଥାଏ। ବେଶି ସଂଖ୍ୟାରେ ଅଧିକ ବର୍ଷ ଧୂମପାନ କଲେ ଏହି ରୋଗ ସବୁ ଦେଖାଯାଏ। ଯେଉଁମାନେ ଧୂମପାନ କରୁନାହାନ୍ତି କିନ୍ତୁ ପରିବେଶରେ ଧୂମପାନ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି, ଯାହାକୁ କି ଦ୍ୱିତୀୟ ସ୍ତରର ଧୂମପାନ କୁହନ୍ତି ତାହା ମଧ୍ୟ ଶରୀର ପକ୍ଷେ କ୍ଷତିକାରକ। ଦ୍ୱିତୀୟସ୍ତର ଧୂମପାନ ହେଉଛି ସିଗାରେଟ୍‌ର ଧୂଅଁା ଓ ମନୁଷ୍ୟର ନିଃଶ୍ୱାସରେ ଛାଡ଼ୁଥିବା ଧୂଅଁାର ମିଶ୍ରଣ। ଗର୍ଭବତୀ ମହିଳାମାନେ ଏହି ଦ୍ୱିତୀୟ ସ୍ତରର ଧୂମପାନ ଦ୍ୱାରା ବିଶେଷ ଭାବେ ଆକ୍ରାନ୍ତ ହୁଅନ୍ତି ଓ ଶିଶୁ ମୃତ୍ୟୁର ହାର ମଧ୍ୟ ତିନିଗୁଣ ବୃଦ୍ଧିପ୍ରାପ୍ତ ହୁଏ। ଧୂମପାନ ଦ୍ୱାରା ମନୁଷ୍ୟର ଆୟୁଷ ମଧ୍ୟ ଦଶ ପନ୍ଦର ବର୍ଷ କମିଯାଏ। ରକ୍ତ କ୍ୟାନ୍‌ସର, ଯକୃତ୍‌ କ୍ୟାନ୍‌ସର, ବୃହଦ୍‌ନ୍ତ୍ର କ୍ୟାନ୍‌ସର ଓ ପିତ୍ତକୋଷ କ୍ୟାନ୍‌ସରର ସଂଖ୍ୟା ଧୂମପାନ ବ୍ୟକ୍ତିଙ୍କଠାରେ ବେଶି ସଂଖ୍ୟାରେ ଦେଖାଯାଏ। ଧୂମପାନ ଦ୍ୱାରା କାର୍ବନ ମନୋକ୍ସାଇଡ, ସାଇନାଇଡ୍‌ ଓ ବେନ୍‌ଜୋପାଇରିନ୍‌ ଇତ୍ୟାଦି ରାସାୟନିକ ବସ୍ତୁ ଶରୀରକୁ ପ୍ରବେଶ କରି ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କରନ୍ତି। ରକ୍ତ ଶିରା ପ୍ରଶିରା ସଙ୍କୁଚିତ ହୋଇ ବାରଜରସ୍‌ ରୋଗ ସୃଷ୍ଟି କରେ। ରକ୍ତରେ କୋଲେଷ୍ଟରଲ୍‌, ଫିବ୍ରିନୋଜେନ୍‌ ଇତ୍ୟାଦିର ଅଂଶ ବୃଦ୍ଧି ପାଇ ହୃଦ୍‌ଘାତ ହୁଏ। ହୁକା ସେବନ ମଧ୍ୟ ଧୂମପାନ ଭଳି କ୍ଷତିକାରକ। ଧୂମପାନ ଦ୍ୱାରା ଖାଦ୍ୟନଳୀ ଓ ପେଟରେ ଘାଆ ସୃଷ୍ଟି ହୁଏ।
ତେଣୁ ସିଗାରେଟ ପ୍ରସ୍ତୁତ କରୁଥିବା ଉଦ୍ୟୋଗ ଆଉ ଅଧିକ ଗ୍ରାହକ ହରାଇବା ସପକ୍ଷରେ ନାହିଁ। ସେଇ କାରଣରୁ ୨୦୧୪ର ନିୟମରେ ଅଣାଯାଇଥିବା ସଂଶୋଧନକୁ ସେମାନେ ସହଜରେ ମାନି ନେଇପାରୁନାହାନ୍ତି। କିନ୍ତୁ ଧୂମପାନ ଯେ ଏବେ ବି ଭାରତରେ ଏକ ସର୍ବବୃହତ୍‌ ସ୍ବାସ୍ଥ୍ୟଗତ ବିପଦ ଏବଂ ମାରକ ହୋଇ ରହିଛି ଏହା ଦ୍ୱିଧାହୀନ ଭାବେ କୁହାଯାଇପାରେ। ଭାରତରେ ଏବେ ପ୍ରତି ବର୍ଷ ଏକ ନିୟୁତ ଲୋକ ଧୂମପାନଜନିତ ବ୍ୟାଧିରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସାରା ପୃଥିବୀରେ ଧୂମପାନ କାରଣରୁ ମୃତ୍ୟୁମୁଖରେ ପଡ଼ୁଥିବା ଲୋକ ସଂଖ୍ୟାର ଏହାର ଏକ ଷଷ୍ଠାଂଶ। ଯଦି ଏ ହାରରେ ବିରାମ ନ ଲାଗେ ତେବେ ୨୦୩୦ବେଳକୁ ଏହି କାରଣରୁ ମୃତ୍ୟୁ ଲାଭ କରୁଥିବା ଭାରତୀୟମାନଙ୍କ ସଂଖ୍ୟାରେ ୩୦ପ୍ରତିଶତ ବୃଦ୍ଧି ଘଟିବାର ଆଶଙ୍କା ଅଛି। ଏହା ସତ ଯେ ଧୂମପାନକୁ ନେଇ ହୋଇଥିବା ନୂଆ ନିୟମକୁ ସିଗାରେଟ କମ୍ପାନୀମାନେ ଏତେ ସହଜରେ ଗ୍ରହଣ କରିବେ ନାହିଁ। ତେବେ ସରକାର ଏ କ୍ଷେତ୍ରରେ ଗୋଟିଏ କାମ କରିପାରିବେ। ସିଗାରେଟ ଟାଣିବା ଦ୍ୱାରା ହେଉଥିବା ସ୍ବାସ୍ଥ୍ୟଗତ କ୍ଷତିର ସଚିତ୍ର ସୂଚନାର ବହୁଳ ପ୍ରଚାର ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡ଼ିଆରେ କରି ଧୂମପାନ ରୋକିପାରିବେ। ବ୍ୟାପକ ଏବଂ ଲଗାତାର ପ୍ରଚାର ପ୍ରସାର ବଳରେ ପଲ୍‌ସ ପୋଲିଓ ଟିକାକରଣର ବାର୍ତ୍ତା ଯେମିତି ଜନମନ ଭିତରକୁ ଭେଦିଗଲା ସେମିତି ଧୂମପାନର କୁଫଳ ବାବଦ ସଚେତନତା ଯଦି ସାଧାରଣ ଲୋକ ମନକୁ ଭେଦିଯାଏ, ତେବେ ଅଧା ଲକ୍ଷ୍ୟ ହାସଲ ହେଲା ବୋଲି ବୁଝିବାକୁ ହେବ।

ଡା. ପ୍ରଫୁଲ୍ଲ କୁମାର ଦାସ
କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ,
ମୋ:୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri