ଭୁବନେଶ୍ୱର,୧୮।୮(ବ୍ୟୁରୋ): ଦୁର୍ନୀତି ଏବଂ ଅସଦାଚରଣ ଭଳି କାର୍ଯ୍ୟ ପାଇଁ ରାଜ୍ୟ ସରକାର ଶୂନ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଥିଲେ। ସେହିପରି ଦୁର୍ନୀତି ଅଭିଯୋଗରେ ପୂର୍ବତନ କୋରାପୁଟ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ରାଜ୍ୟ ସରକାର ସୋମବାର ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ଅଭିଯୋଗରେ ଜୁଲାଇ ୨ ତାରିଖରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଭୁବନେଶ୍ୱର ଯିବା ବାଟରେ ତାଙ୍କଠାରୁ ଭିଜିଲାନ୍ସ ୧୧ ଲକ୍ଷ ଟଙ୍କା ଜବତ କରିଥିଲା। ସେ ତାହାର ହିସାବ ଦେଇ ପାରି ନ ଥିଲେ। ସେହିଦିନ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଭିଜିଲାନ୍ସ ଚଢଉ ବେଳେ ତାଙ୍କର ୩.୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ଦୁର୍ନୀତି କ୍ଷେତ୍ରରେ ଶୂନ ସହନଶୀଳତା ନୀତି ବଳରେ ପି.କେ. ମହାନ୍ତିଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସରକାରଙ୍କ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ କୁୁହାଯାଇଛି।


