ବହୁସଂଖ୍ୟକବାଦୀ ଚିନ୍ତାଧାରା

ଆକାର ପଟେଲ
ଏକ ପୁରାତନ ଓ ଗୌରବାବହ ଦେଶ ଏପରି ନୀତି ନିର୍ଦ୍ଧାରଣ କରିବା ପାଇଁ ଭୋଟ ଦେଲା, ଯାହା ଆପ୍ରବାସନକୁ ବିରୋଧ କରେ। ଆପ୍ରବାସନକୁ ବିରୋଧ କରୁଥିବା ଦଳ ସପକ୍ଷରେ ଦେଶର ମୁଖ୍ୟଭାଗର ସଂଖ୍ୟାଗରିଷ୍ଠ ଜନସାଧାରଣ ଅଛନ୍ତି। କିନ୍ତୁ ଛୋଟ ଛୋଟ ରାଜ୍ୟରେ ଦେଖାଦେଇଛି ସମସ୍ୟା। ସେମାନେ ଏ ନୀତିକୁ ଦୃଢ଼ଭାବରେ ବିରୋଧ କରୁଛନ୍ତି। ଏହା ହେଉଛି ବ୍ରେକ୍‌ଜିଟ ନିର୍ବାଚନର କଥା, ଯାହାର ଫଳାଫଳ ଚଳିତ ମାସରେ ପ୍ରକାଶ ପାଇଛି। ଏହି ଦେଶକୁ ସଂଯୁକ୍ତ ରାଷ୍ଟ୍ର (ୟୁକେ ବା ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌) କୁହାଯାଏ କାରଣ ଏହା ଚାରୋଟି ଦେଶର ସମାହାର: ଇଂଲଣ୍ଡ, ସ୍କଟ୍‌ଲାଣ୍ଡ, ଓ୍ବେଲ୍‌ସ ଓ ଉତ୍ତର ଆୟର୍ଲାଣ୍ଡ। ପ୍ରଥମ ତିନୋଟି ଦେଶ ଗୋଟିଏ ଦ୍ୱୀପରେ ଅଛନ୍ତି, ଯାହାର ନାମ ଗ୍ରେଟ୍‌ ବ୍ରିଟେନ। ଚତୁର୍ଥ ଦେଶଟି ଅନ୍ୟ ଦ୍ୱୀପର ଏକ ଅଂଶ, ଯାହା ବାହ୍ୟତଃ ରିପବ୍ଲିକ୍‌ ଅଫ୍‌ ଆୟର୍ଲାଣ୍ଡ ସହ ସଂଯୁକ୍ତ। ୨୦୧୬ରେ ନିଆଯାଇଥିବା ଜନମତରେ ଇଂଲଣ୍ଡ ଓ ଓ୍ବେଲ୍‌ସ ବ୍ରେକ୍‌ଜିଟ ସପକ୍ଷରେ ଭୋଟ ଦେଇଥିଲେ, ଅର୍ଥାତ୍‌ ସେମାନେ ୟୁରୋପୀୟ ସଂଘରୁ ଅଲଗା ହେବା ପାଇଁ ଚାହୁଁଥିଲେ। ସାଧାରଣ ନିର୍ବାଚନରେ ବି ସମାନ ଫଳାଫଳ ମିଳିଲା। ବୋରିସ୍‌ ଜନ୍‌ସନଙ୍କ କଞ୍ଜର୍‌ଭେଟିଭ୍‌ ପାର୍ଟି ହେଉଛି ସଂଖ୍ୟାଗରିଷ୍ଠ ଦଳ ଯିଏ ୟୁରୋପ-ବିରୋଧୀ ଓ ଆପ୍ରବାସନ-ବିରୋଧୀ ଆଭିମୁଖ୍ୟ ନେଇ ନିର୍ବାଚନ ଲଢ଼ିଥିଲା ଏବଂ ଇଂଲଣ୍ଡ ଓ ଓ୍ବେଲ୍‌ସରେ ବିପୁଳ ଭୋଟରେ ଜିତିଲା। କିନ୍ତୁ ସ୍କଟ୍‌ଲାଣ୍ଡ ସ୍ଥାନୀୟ ଦଳକୁ ଭୋଟ ଦେଲା ଯିଏ କି ୟୁକେରୁ ଓହରିଯିବାକୁ ଦାବି କରୁଛି। ଉତ୍ତର ଆୟର୍ଲାଣ୍ଡ ଇତିହାସରେ ପ୍ରଥମ ଥର ପାଇଁ ଅଲଗାବାଦୀ ସିନ୍‌ ଫିନ୍‌ଙ୍କୁ ଅଧିକ ଭୋଟ ଦେଇଛି। ସିନ୍‌ ଫିନ୍‌ ଚାହାନ୍ତି ଉତ୍ତର ଆୟର୍ଲାଣ୍ଡ ୟୁକେରୁ ଅଲଗା ହୋଇ ରିପବ୍ଲିକ୍‌ ଅଫ୍‌ ଆୟର୍ଲାଣ୍ଡ ସହ ମିଶିଯିବା ପାଇଁ, ଯାହା ୟୁରୋପୀୟ ସଂଘର ଏକ ଅଂଶ। ସ୍କଟ୍‌ଲାଣ୍ଡ ଦୀର୍ଘକାଳରୁ ଅନୁଭବ କରିଆସୁଛି ଯେ, ଇଂଲଣ୍ଡ ସହ ଏହା ଅର୍ଥନୈତିକ ବନ୍ଧନରେ ବାନ୍ଧି ହୋଇଥିଲେ ମଧ୍ୟ ଇଂରେଜମାନେ ଏହାକୁ ଐତିହାସିକ ଭାବେ ଦଖଲ କରିଆସୁଛନ୍ତି। ସେହିପରି ଉତ୍ତର ଆୟର୍ଲାଣ୍ଡର କ୍ୟାଥଲିକ୍‌ ଓ ଅନେକ ପ୍ରୋଟେଷ୍ଟାଣ୍ଟ ସଂସ୍କୃତି ଓ ଭାଷାଗତ ସାମଞ୍ଜସ୍ୟ ଦୃଷ୍ଟିରୁ ରିପବ୍ଲିକ୍‌ ଅଫ୍‌ ଆୟର୍ଲାଣ୍ଡ ଆଡ଼କୁ ଅଧିକ ଆକର୍ଷିତ ହୋଇଥାନ୍ତି। ରିପବ୍ଲିକ୍‌ ଅଫ୍‌ ଆୟର୍ଲାଣ୍ଡ ସହ ସେମାନଙ୍କର ବାଣିଜି୍ୟକ ସମ୍ପର୍କ ମଧ୍ୟ ୟୁକେର ଅବଶିଷ୍ଟ ଅଞ୍ଚଳ ଅପେକ୍ଷା ଅଧିକ। ଏ କଥା ନୂଆ ନୁହେଁ ଏବଂ ଜନମତ ଗ୍ରହଣ ଓ ସାଧାରଣ ନିର୍ବାଚନ ପୂର୍ବରୁ ବି ଏହା ଜଣା ଥିଲା। ୟୁରୋପ ନୀତିରେ ପରିବର୍ତ୍ତନ ଆହୁରି ଅଧିକ ସମସ୍ୟାକୁ ଡାକିଆଣି ପାରେ। କିନ୍ତୁ ବହୁସଂଖ୍ୟକବାଦୀମାନେ ଆପ୍ରବାସନ-ବିରୋଧୀ ତତ୍ତ୍ୱ ଉପରେ ଦୃଢ଼ ଅଛନ୍ତି। ସେମାନେ ବର୍ତ୍ତମାନ ନିର୍ବାଚନରେ ଜିତି ବିଜୟ ଉତ୍ସବ ମନାଉଛନ୍ତି।
ଏବେ ଆମ ଦେଶର ସ୍ଥିତି ବିଷୟରେ ଆଲୋଚନା କରିବା। ଭାରତ ବର୍ତ୍ତମାନ ଏକ ଆପ୍ରବାସନ-ବିରୋଧୀ ନୀତି କାର୍ଯ୍ୟକାରୀ କରିବାକୁ ଯାଉଛି। ଏହା ଉପରେ ଭଲଭାବରେ ବିତର୍କ କରାଯାଇ ନାହିଁ। ସେଥିପାଇଁ ଅଧିକାଂଶ ଭାରତୀୟ ଏହା ସମ୍ପୂର୍ଣ୍ଣ ରୂପେ ବୁଝିନାହାନ୍ତି। ଏ ପ୍ରସଙ୍ଗକୁ ବିଭିନ୍ନ ଲୋକ ନାନା ପ୍ରକାରେ ଉପସ୍ଥାପନ କରୁଛନ୍ତି। ଶାସକ ଦଳ କହୁଛି ଯେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ୨୦୧୫ ପୂର୍ବରୁ ଆସିଥିବା ଅଣମୁସଲମାନ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବ। ଯେଉଁ ମୁସଲମାନମାନେ ନିଜ ନାଗରିକତ୍ୱର ପ୍ରମାଣ ଦେଇପାରିବେ ନାହିଁ, ସେମାନଙ୍କୁ ଅଟକ କେନ୍ଦ୍ରଗୁଡ଼ିକରେ ରଖାଯିବ। ସେମାନେ ଯେଉଁ ଦେଶରୁ ଆସିଛନ୍ତି, ସେ ଦେଶଗୁଡ଼ିକର ନାଗରିକତ୍ୱର ପ୍ରମାଣ ଦେଇ ନ ପାରିଲେ ସେ ଦେଶଗୁଡ଼ିକୁ ବି ସେମାନଙ୍କୁ ପଠାଯାଇପାରିବ ନାହିଁ। ସେମାନେ ଭାରତରେ ସବୁଦିନ ପାଇଁ ବନ୍ଦୀ ହୋଇ ରହିଯିବେ, ଯାହା ଏବେ ଆସାମରେ ଘଟୁଛି। ଭାଜପା ସରକାର ଯେପରି ଭାବେ ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ଉପସ୍ଥାପନ କରୁଛି, ତାହା ହେଉଛି ନିଜ ଦେଶରେ ଉତ୍ପୀଡ଼ନର ଶିକାର ହୋଇ ଭାରତକୁ ଆସିଥିବା କେତେକ ବିଦେଶୀ ସମ୍ପ୍ରଦାୟକୁ ସୁରକ୍ଷା ଦେବା ପାଇଁ ଏକ ପଦକ୍ଷେପ। କିନ୍ତୁ ନର୍ଥଇଷ୍ଟ ପରି କେତେକ ରାଜ୍ୟରେ କେବଳ ନିର୍ଦ୍ଦିଷ୍ଟ ଧର୍ମର ନୁହନ୍ତି, ହିନ୍ଦୁ ଶରଣାର୍ଥୀମାନଙ୍କ ଯୋଗୁ ମଧ୍ୟ ସମସ୍ୟା ଉପୁଜୁଛି। ସେଥିପାଇଁ ସେମାନେ ସିଏବିକୁ ବିରୋଧ କରୁଛନ୍ତି। ଦେଶର ଅନ୍ୟ ଅଞ୍ଚଳର ଅଧିବାସୀମାନେ ଏହାକୁ ଏକ ସାମ୍ପ୍ରଦାୟିକ ସମସ୍ୟା ବୋଲି ଭାବୁଛନ୍ତି। ଯେଉଁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ଆସାମ ଭାଜପାର ଦାବି ଯୋଗୁ କିଛି ସପ୍ତାହ ତଳେ କାର୍ଯ୍ୟକାରୀ କରିବାକୁ ଗ୍ରହଣ କରାଯାଇଛି, ତାହାକୁ ସେଇ ଆସାମ ଭାଜପା ହିଁ ଏବେ ପ୍ରତ୍ୟାଖ୍ୟାନ କରୁଛି। ସେମାନେ କହୁଛନ୍ତି ଯେ, ଯେଉଁ ୧୯ ଲକ୍ଷ ଲୋକଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି, ସେମାନଙ୍କୁ ନିଜ ନାଗରିକତାର ପ୍ରମାଣ ଦେବା ପାଇଁ ଆଉ ଗୋଟିଏ ସୁଯୋଗ ମିଳୁ। କାରଣ ହେଲା ଉକ୍ତ ବାଦ୍‌ ପଡ଼ିଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ହିନ୍ଦୁ ଅଛନ୍ତି, ଯେଉଁମାନେ ନିଜ ନାଗରିକତା ସମ୍ବନ୍ଧୀୟ କାଗଜପତ୍ର ଦାଖଲ କରିପାରି ନାହାନ୍ତି। ବର୍ତ୍ତମାନ ଯେଉଁ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହେଲା ସେଥିରେ ମୁସଲମାନମାନଙ୍କୁ ବାଦ୍‌ ଦେଇ କେବଳ ବାଦ୍‌ ପଡ଼ିଥିବା ହିନ୍ଦୁମାନଙ୍କୁ ଗ୍ରହଣ କରିବାକୁ ବ୍ୟବସ୍ଥା କରାଯାଇଛି। କିନ୍ତୁ ନର୍ଥଇଷ୍ଟ ଏହି ସମାଧାନକୁ ଗ୍ରହଣ କରିବାକୁ ରାଜି ନୁହେଁ। ଏନ୍‌ଆର୍‌ସିର ମୂଳରେ ଅଛି ଅନେକ ଦଶନ୍ଧି ତଳେ ରାଜୀବ ଗାନ୍ଧୀ ଆସାମ ସରକାରଙ୍କ ସହ କରିଥିବା ଏକ ରାଜିନାମା। କିନ୍ତୁ ବର୍ତ୍ତମାନ ଯେଉଁ ସମସ୍ୟା ଦେଖାଦେଇଛି, ତାହାର କାରଣ ହେଉଛି ଭାଜପାର ବହୁସଂଖ୍ୟକବାଦୀ ଚିନ୍ତାଧାରା। ଇଂଲଣ୍ଡ ଭଳି ଏହାର ପାର୍ଶ୍ୱପ୍ରତିକ୍ରିୟା ଆଜି ନ ହେଲେ ଆଗାମୀ ଦିନରେ ଦେଖିବାକୁ ମିଳିବ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri