ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ ବସ୍ଷ୍ଟାଣ୍ଡ ପରିଦର୍ଶନ କରିବା ସହ ସେଠାରେ ଥିବା ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିଥିଲେ।
ବସ୍ଷ୍ଟାଣ୍ଡରେ ପରିମଳ ବ୍ୟବସ୍ଥା ଅତି ନିମ୍ନମାନର ଥିବାରୁ ଏବଂ ଯାତ୍ରୀମାନଙ୍କ ପାଇଁ ଉପଯୁକ୍ତ ସୁବିଧା ନଥିବାରୁ ମହାରାଜା ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିପାଇଁ ସେ ପରିବହନ ବିଭାଗକୁ ୭ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଜରିମାନା କରିଛନ୍ତି।
ମହାରାଜାଙ୍କ ନିକଟରେ ହାଜର ହେବାରେ ବିଳମ୍ବ କରିଥିବାରୁ ଅଧିକାରୀମାନଙ୍କୁ ଆଉ ୫ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଜରିମାନା କରାଯାଇଛି। ସମୁଦାୟ ୧୨ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ରାଜକୋଷରେ ଜମା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ମଦ୍ୟପାନ କରି ଗାଡ଼ି ଚଲାଉଥିବା ଚାଳକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ମହାରାଜା ପରିବହନ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ୧୯୪୭ ମସିହାରୁ ଭାରତର ସ୍ୱାଧୀନତାକୁ ଉତ୍ସବ ଭାବେ ପାଳନ କରିବା ପାଇଁ ବରଗଡ଼ରେ ଏହି ଯାତ୍ରା ଆରମ୍ଭ ହୋଇଥିଲା।
ଏହି ସମୟରେ ସମଗ୍ର ବରଗଡ଼ ସହର ‘ମଥୁରା ନଗରୀ’ ପାଲଟୁଥିବା ବେଳେ ଅମ୍ବାପାଲି ଗ୍ରାମ ‘ଗୋପପୁର’ ସାଜିଥାଏ। ଜିରା ନଦୀକୁ ‘ଯମୁନା’ ଭାବେ ଗ୍ରହଣ କରାଯାଏ।
ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଅତ୍ୟାଚାରୀ ମହାରାଜା କଂସଙ୍କ ନିଧନ ଉପରେ ଏହି ନାଟକ ଆଧାରିତ। ଚଳିତ ବର୍ଷ ଡିସେମ୍ବର ୨୪ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆସନ୍ତା ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।
ବରଗଡ଼ର ପ୍ରତ୍ୟେକ ନାଗରିକ ଏହି ସମୟରେ ନିଜକୁ କଂସଙ୍କ ପ୍ରଜା ବୋଲି ମନେ କରନ୍ତି ଏବଂ ମହାରାଜାଙ୍କ ନିର୍ଦ୍ଦେଶକୁ ଶିରୋଧାର୍ଯ୍ୟ କରନ୍ତି।


