ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି। ବଡ ପୁଅ ଘର ଖଣ୍ଡେ ପାଇଛି। ସାନପୁଅ ବୋହୁ ବାପା ପାଖରେ ରହୁଛନ୍ତି। ଆଜକୁ ବହୁ ବର୍ଷ ବିତିଗଲାଣି। ବହୁବାର ଆବେଦନ କଲେ ମଧ୍ୟ ଘର ଲିଷ୍ଟରୁ କଟିଯାଉଥିବାରୁ ଓକିଲ ପଞ୍ଚାୟତକୁ ଯାଇ ଅଭିଯୋଗ କରୁଛନ୍ତି। ହେଲେ ଫଳ ଶୂନ। ୨୦୧୯ରେ ହୋଇଥିବା ବାତ୍ୟାରେ କଚା ଘରଟି ଭାଙ୍ଗି ଯାଇଥିଲା। ତତକାଳିନ ଲାଇନ୍ପଡ଼ା ରାଜସ୍ବ ନିରୀକ୍ଷକ ନିଜେ ତଦାରଖ କରି ସରକାରଙ୍କ ଅନୁକମ୍ପା ଅର୍ଥ ରାଶି ପାଇଁ ସବୁ କାଗଜ ପତ୍ର ନେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସାହାଯ୍ୟ ପାଇ ପାରିଲେ ନାହିଁ। ଚଳିତ ବର୍ଷ ଲଗାଣ ବର୍ଷାରେ ଖଣ୍ଡିଏ ପାଲ ପାଇଁ ଆରଆଇ ଅଫିସରୁ ତହସିଲ ଅଫିସକୁ ଦୌଡ଼ି ଦୌଡି ଖଣ୍ଡେ ଜରି ପାଲ ମିଳିଲା ନାହିଁ। ଏନେଇ ଘର ଖଣ୍ଡେ ପାଇଁ ଓକିଲ ସରକାରଙ୍କୁ ନିବେଦନ କରିଛନ୍ତି।


