ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକମାନେ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ ବୋଲି କହିଥିଲେ। ଡବଲ ଇଞ୍ଜିନ ସରକାର କୃଷକମାନଙ୍କ ସମସ୍ତ ମୌଳିକ ଆବଶ୍ୟକତା ପୂରଣ ପାଇଁ ପ୍ରତିଶ୍ରୁତି ବଦ୍ଧ। ମୁଁ ମଧ୍ୟ ହାତକୁ ହାତ ମିଶେଇବା ସହ କୃଷକ ମାନଙ୍କ ଆବଶ୍ୟକତା ପୂରଣ ପାଇଁ ଆଗାମୀ ଦିନରେ ପଦକ୍ଷେପ ନେବି ବୋଲି ବିଧାୟକ କହିଥିଲେ।
ଅନ୍ୟ ପକ୍ଷେ ବିଧାୟକ ମଧ୍ୟ ଏକ ମିନି ଟ୍ରାକ୍ଟର ଚଲାଉଥିବା ଦେଖିବାକୁ ମିଳିଛି। ଏଥିସହ ଭଞ୍ଜନଗର ନିର୍ବାଚନମଣ୍ଡଳୀ କୃଷି କ୍ଷେତ୍ରରେ କିଭଳି ଆହୁରି ଆଗକୁ ଯିବ ସେନେଇ ପଦକ୍ଷେପ ନେବି ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲାପାଳ ଉମା ଶଙ୍କର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ବଣ୍ଟନ କରାଯାଇଥିଲା। ଏଥିସହ ସବସିଡି ଅର୍ଥ ମଧ୍ୟ ପ୍ରଦାନ କରାଯାଇଥିଲା। ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଠୁ ପ୍ରସାଦ ପ୍ରଧାନ, ଏମପି ପ୍ରତିନିଧି ସନ୍ତୋଷ ତିଆଡି, ଭାଜପା ଓବିସି ନେତା ମାନସ ଜେନା ସମେତ
କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


