ଓ୍ବାଶିଂଟନ୍,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଧମକ ଦେଇଛନ୍ତି। ଭାରତ ଆମେରିକା ବଜାରରେ ଚାଉଳ ଗଦେଇବା ଉଚିତ ନୁହେଁ। ଟାରିଫ୍ ହିଁ ଏହି ସମସ୍ୟାର ସହଜ ସମାଧାନ ବୋଲି ଟ୍ରମ୍ପ୍ କହିଛନ୍ତି।
ସୋମବାର ଟ୍ରମ୍ପ୍ ହ୍ବାଇଟ୍ ହାଉସ୍ରେ କୃଷି ସେକ୍ଟରର ପ୍ରତିନିଧି, ଟ୍ରେଜେରି ସଚିବ ସ୍କଟ୍ ବେସେଣ୍ଟ, କୃଷି ସଚିବ ବ୍ରୁକ୍ ରୋଲିନ୍ଙ୍କ ସମେତ ତାଙ୍କ କ୍ୟାବିନେଟ ସଦସ୍ୟମାନଙ୍କ ସହ ଏକ ବୈଠକରେ ଏକାଠି ହୋଇଥିଲେ। ସେ ଦେଶର କୃଷକମାନଙ୍କ ପାଇଁ ୧୨ ବିଲିୟନ ଡଲାର ସଂଘୀୟ ସହାୟତା ଘୋଷଣା କରିଛନ୍ତି। ଅନ୍ୟ ଦେଶଗୁଡ଼ିକର ଚାଉଳ ଆମେରିକା ବଜାରରେ ଭର୍ତ୍ତି ହୋଇଯାଉଥିବାରୁ ଆମେରିକା ଦକ୍ଷିଣ ଭାଗର ଧାନଚାଷୀମାନେ ଅସୁବିଧାରେ ପଡ଼ୁଥିବା ଲୁଇସିଆନାର କେନେଡି ରାଇସ୍ ମିଲ୍ ସିଇଓ ମେରିଲ୍ କେନେଡି କହିଥିଲେ। ଭାରତ, ଚାଇନା ଏବଂ ଥାଇଲାଣ୍ଡ ଆମେରିକାକୁ ଅଧିକ ଚାଉଳ ରପ୍ତାନି କରୁଛନ୍ତି। ଆମେରିକାର ସର୍ବବୃହତ୍ ଚାଉଳ ବଜାର ପୁଏର୍ଟୋ ରିକୋକୁ ଚାଇନା ଅଧିକ ଚାଉଳ ପଠାଉଥିବାରୁ ସ୍ଥାନୀୟ ବ୍ୟବସାୟୀମାନେ ଚଳିତବର୍ଷ ସେଠାକୁ ଚାଉଳ ପଠାଇପାରି ନାହାନ୍ତି ବୋଲି କେନେଡି କହିଥିଲେ। ତେଣୁ ଉପରୋକ୍ତ ଦେଶଗୁଡ଼ିକ ଉପରେ ଟାରିଫ୍ ଦୁଇଗୁଣ କରାଯିବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଥିଲେ। ଅଧିକ ଚାଉଳ ପଠାଇବା ପାଇଁ ଭାରତକୁ କାହିଁକି ଅନୁମତି ଦିଆଯାଉଛି ବୋଲି ଟ୍ରମ୍ପ୍ ବେସେଣ୍ଟଙ୍କୁ ପ୍ରଶ୍ନ କରିଥିଲେ। ଏହାର ସହଜ ସମାଧାନ ପାଇଁ ଭାରତ ଉପରେ ଟାରିଫ୍ ଲଗାଇବାକୁ ହେବ। ଭାରତ ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମାମଲା ରହିଥିବା କେନେଡି ଟ୍ରମ୍ପ୍ଙ୍କୁ କହିଥିଲେ। ତେବେ ଟ୍ରମ୍ପ୍ଙ୍କ ଟାରିଫ୍ ଭାରତର ଚାଉଳ ବିଶେଷକରି ବାସମତି ରପ୍ତାନିକାରୀଙ୍କୁ ବିଶେଷ ପ୍ରଭାବିତ କରିବ ନାହିଁ। ବରଂ ଆମେରିକାର ବାସମତୀ ଚାଉଳ ଗ୍ରାହକମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହେବେ ବୋଲି ଅଖିଳ ଭାରତ ଚାଉଳ ରପ୍ତାନିକାରୀ ସଂଗଠନର ସାଧାରଣ ସମ୍ପାଦକ ଅଜୟ ଭାଲୋଟିଆ କହିଛନ୍ତି।
Dharitri – Odisha’s No.1 Odia Daily


