ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର କରି ଗର୍ଭବତୀଙ୍କୁ ବୁହା ହେଉଛି ତ କେଉଁଠି ଖଟିଆରେ ବୋହି ମେଡ଼ିକାଲ ନେଉଥିବାବେଳେ ଅଧା ବାଟରେ ଅଟୋରେ ମା’ଛୁଆ ଜନ୍ମ କରୁଛି ତ କେଉଁଠି ମୃତ ଛୁଆ ମଧ୍ୟ ଜନ୍ମ ହେବା ଭଳି ଦେଖିବାକୁ ମିଳୁଛି। ଶନିବାର ଖଟିଆରେ ବୋହି ଗର୍ଭବତୀଙ୍କୁ ମେଡିକାଲ ଆଣିଥିବାବେଳେ ମୋହନା ବ୍ଲକ ଢେପାଗୁଡ଼ା ପଞ୍ଚାୟତ ମଣିଢିଅ ଗାଁରେ ରାସ୍ତା ନ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନାନୁସାରେ, ମଣିଢିଅ ଗାଁର ତରା ରଇତଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ନିକଟସ୍ଥ ଗଞ୍ଜାମ ଜିଲା ଡେଙ୍ଗାଓସ୍ତା ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା। ବଣ ଓ ଜଙ୍ଗଲ ପାହାଡ଼ ପର୍ବତ ଘେରା ଭିତରେ ରହିଛି ଗାଁ । ପରିବାର ପକ୍ଷରୁ ବାଧ୍ୟହୋଇ ମଣିଢିଅଠାରୁ ଦୁଇ କିଲୋମିଟର ଦୂର ତମ୍ପା ନିକଟକୁ ଖଟିଆରେ ବୋହି ଆଣି ରାମ ନଦୀ ପାର କରିବା ପରେ ବହୁ ଦୂର ପର୍ଯ୍ୟନ୍ତ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଖଟିଆରେ ବୋହି ନେଇଥିଲେ। ଆମ୍ବୁଲାନ୍ସରେ ଡେଙ୍ଗାଓସ୍ତା ମେଡିକାଲ ନେବା ପରେ କମଳିନୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବାବେଳେ ମା’ ଛୁଆ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ମଣିଢିଅ ଯିବା ବାଟରେ ରାମ ନଦୀରେ ଦୀର୍ଘ ବର୍ଷ ଧରି ଗ୍ରାମବାସୀ ଏକ ପୋଲ ନିର୍ମାଣ କରାଯିବା ପାଇଁ ଅଭିଯୋଗ କରୁଥିଲେ ମଧ୍ୟ କେହି ଗୁହାରି ଶୁଣୁ ନ ଥିବା କହିଛନ୍ତି। ବିଶେଷ କରି ବର୍ଷା ଦିନ ଆସିଲେ ସମୂହ ଗ୍ରାମବାସୀ ଯାତାୟାତ ସମସ୍ୟା ଭୋଗୁଥିବାବେଳେ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହେଉଥିବା ଦେଖିବାକୁ ମିଳୁଛି।


