ପଟ୍ଟାଙ୍ଗି,୧୫।୧୧(ଶରତ କୁମାର ଧଳ): ପଡୋଶୀ ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ ଗୁଡିକରେ ବାରମ୍ବାର ଅନୁପ୍ରବେଶ କରି ନିଜର ସ୍ଥିତି ଜାହିର କରିବାକୁ ପଛାଉ ନ ଥିବାବେଳେ ଓଡିଶା କିନ୍ତୁ ଆନ୍ଧ୍ର ଅନୁପ୍ରବେଶକାରୀଙ୍କୁ ଘଉଡାଇ ଭୁଣ୍ଡରୁ ଦାୟତ୍ୱ ହଟାଇ ଦେଉଛି। ଖବର ପାଇ ଅଧିକାରୀମାନଙ୍କୁ ଘଉଡାଇ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ କୁ ଦେଇ ମୁଣ୍ଡରୁ ଦାୟିତ୍ୱ ହଟାଇ ଚାଲିଛି ବ୍ଲକ ପ୍ରଶାସନ ତଥା ଓଡିଶା । ଏହିପରି କାର୍ଯ୍ୟ ଦିନେ ନୁହେଁ କି ଦୁଇଦିନ ନୁହେଁ । ପଡୋଶୀ ଆନ୍ଧ୍ର ଓଡ଼ିଶାର କୋରାପୁଟ ଜିଲା ଅଧିନରେ ରହିଥିବା ପଟ୍ଟାଙ୍ଗି ବ୍ଲକର ସୀମାନ୍ତ କୋଟିଆ ପଞ୍ଚାୟତକୁ ବାରମ୍ବାର ଅନୁପ୍ରବେଶ କରି ବିବାଦ ସୃଷ୍ଟି କରୁଛି ।
ସେପଟେ ଏହିପରି ସ୍ଥିତିରେ ଶୁକ୍ରବାର ପୁଣି ଉକ୍ତ ରାଜ୍ୟର ସାଲୁର୍ ମଣ୍ଡଳମ ( ବ୍ଲକ ) ଅଧିନରେ ରହିଥିବା ତୋଣାମ PHC ଡାକ୍ତର ଅଜୟ କୁମାର ନିଜ ସହ ଏକ ଦଳ ନେଇ କୋଟିଆ ପଞ୍ଚାୟତ ତଳ ଗଞ୍ଜେଇ ପଦର ଗ୍ରାମରେ ପହଞ୍ଚି ସୱାସ୍ଥ୍ୟ ଶିବିର ଆୟୋଜନ କରି ସୀମାନ୍ତ ବାସୀଙ୍କୁ ଚିକିତ୍ସା କରି ମାଗଣାରେ ଔଷଧ ପ୍ରଦାନ କରୁଥିବା ବେଳେ ଓଡ଼ିଶାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ତଥା ବିଡ଼ିଓ ରାମକ୍ରିଷ୍ନା ନାୟକ ଖବର ପାଇ ଉକ୍ତ ଗ୍ରାମରେ ପହଞ୍ଚି ଆନ୍ଧ୍ରର ଡାକ୍ତରୀ ଦଳଙ୍କ ସହ ଆଲୋଚନା କରି ସୀମାନ୍ତ ଗ୍ରାମ ଛାଡ଼ି ଚାଲିଯିବାକୁ କହିଥିଲେ । ଏହାପରେ ଆନ୍ଧ୍ରର ଉକ୍ତ ଡାକ୍ତରୀ ଦଳ ତଳ ଗଞ୍ଜେଇ ପଦର ଗ୍ରାମ ଛାଡ଼ି ଚାଲି ଯାଇଥିଲେ। ସୀମାନ୍ତ ଉକ୍ତ ଗ୍ରାମବାସୀଙ୍କୁ ବିଡ଼ିଓ ନାୟକ କୋଟିଆ ପଞ୍ଚାୟତ ସଦର ମହକୁମାରେ ରହିଥିବା ସୱାସ୍ଥ୍ୟ କେନ୍ଦ୍ରରେ ଅନେକ ଉନ୍ନତ ମାନର ଔଷଧ ରହିଛି ଏବଂ ଡାକ୍ତର ମଧ୍ୟ ରହିଛନ୍ତି ବୋଲି କହିଥିଲେ। ଯେତେବେଳେ ଯାହା ସ୍ବାସ୍ଥ୍ୟ ସମସ୍ୟା ହେଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ନିଜ ପାଖରେ ପାଇ ପାରିବ କିନ୍ତୁ ଗୋଟିଏ ରୋଗ ପାଇଁ ଦୁଇ ରାଜ୍ୟରୁ ଭିନ୍ନ ଭିନ୍ନ ଔଷଧ ବ୍ୟବହାର କରିଲେ ସ୍ବାସ୍ଥ୍ୟ ପ୍ରତି ବିପଦ ହେବ ବୋଲି ବୁଝାଇ ଫେରିଥିଲେ ।
ସୂଚନା ମୁତାବକ ପଡୋଶୀ ଆନ୍ଧ୍ର ଏହିପରି ନିୟମିତ ଅନୁପ୍ରବେଶ କରି କିଛି ନା କିଛି ସରକାରୀ କାର୍ଯ୍ୟକ୍ରମ କରି ଫେରୁଥିବା ବେଳେ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଖବର ପାଇ ହେଉଥିବା କାର୍ଯ୍ୟକ୍ରମକୁ ବନ୍ଦ କରାଇ ଆନ୍ଧ୍ର ରାଜ୍ୟର ପଦାଧିକାରୀ ମାନଙ୍କୁ ଘଉଡାଇ ନିଜର ଦାୟିତ୍ୱ ସାରି ଦେଉଥିଲେ ମଧ୍ୟ ଆନ୍ଧ୍ର ରାଜ୍ୟ ଉପରେ କିମ୍ବା ଉକ୍ତ ରାଜ୍ୟର ପଦାଧିକାରୀ ମାନଙ୍କ କ୍ଷେତ୍ରରେ କୌଣସି ଫରକ ପଡୁନାହିଁ ।


