ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସର ମଧ୍ୟରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷନ ଏବଂ ଏଏସ୍ପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରହିଛି। ଲୋକଙ୍କ ମଧ୍ୟରେ ଏହି ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଅଭିଯୋଗ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ହୋଇଛ। ଏହି ଅଭିଯୋଗ ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମାନ, ମୋବାଇଲ ନେଟୱାର୍କ, ପିଇବାପାଣି, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୀରାଧିକାରୀ, ଜମି ବିବାଦ ଭଳି ବଡ଼ ବଡ଼ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ସମ୍ଭାବନା ରହିଛି। ତେବେ ଯେଉଁ ଭଳି ଅଭିଯୋଗ ପହଞ୍ଚିବ ତାର ସମାଧାନ ସେଠାରେ ହିଁ କରାଯିବ। ଏ ନେଇ ଜିଲାର ସମସ୍ତ ଅଧିକାରୀମାନେ ଉପସ୍ଥିତ ରହି ଏହାର ସମାଧାନ କରିବେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଲୋକମାନେ ଦୂର ଦୁରାନ୍ତରୁ ଅଭିଯୋଗ ପାଇଁ ପହଞ୍ଚିବେ ସେମାନେ କିଭଳି ଅଭିଯୋଗ କରିପାରିବେ ସେ ନେଇ ସ୍ଥାନୀୟ ବଡିିଓ ପ୍ରୀତିରଞ୍ଜନ ରଥ ସମସ୍ତ ପ୍ରସ୍ତୁତି କରିଛନ୍ତି। ଏଥି ସହ ବ୍ଲକ କାର୍ଯ୍ୟାଳୟରେ ରହିଥିବା ସମସ୍ତ ବିଭାଗର କର୍ମଚାରୀ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ବିଶେଷ କରି ସେମାନଙ୍କ ଆବେଦନପତ୍ର ସଂଗ୍ରହ, ନାମ ପଞ୍ଜୀକରଣ ଆଦି କରି ଅଭିଯୋଗକାରୀଙ୍କୁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚାଇବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ବିଡିଓ ରଥ କହିଛନ୍ତି। ସୂଚନାଯୋଗ୍ୟ, କନ୍ଧମାଳ ଜିଲାପାଳ ବେଦଭୂଷଣ କନ୍ଧମାଳରେ ନିଯୁକ୍ତି ପାଇବା ପରେ ପ୍ରଥମଥର ପାଇଁ ଅଗଷ୍ଟ ୧୧ରେ ଦାରିଙ୍ଗବାଡି ଠାରେ ସର୍ବାଧିକ ରେକର୍ଡ ୨୫୬ଟି ଅଭିଯୋଗ ଶୁଣିଥିଲେ।


