କୋରାପୁଟ,୨୪ା୧୦(ଅମିତାଭ ବେହେରା): କୋରାପୁଟ ସଦ୍ଭାବନା ସଭାଗୃହରେ ଜିଲାର ଆଦିବାସୀ ମହୋତ୍ସବ ପରବ ପାଳନ ନେଇ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲାର ଲକ୍ଷ୍ମୀପୁର ବ୍ଲକ୍ର କୁଟୁଣୀପଦରରୁ ନଭେମ୍ବର ୧୨ରେ ପରବ ଆରମ୍ଭ ହେବ ବୋଲି ଏଥିରେ ନିଷ୍ପତ୍ତି ହୋଇଛି।
ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ଆଇଏଏସ୍ ପ୍ରୋବେଶନାରି ସନ୍ତୋଷ କୁମାର ପାତ୍ର, ଜିଲା ପରିଷଦ ସଭାପତି ସସ୍ମିତା ମେଲେକା, ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଏସ୍ପି ରୋହିତ ବର୍ମା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଉପଜିଲାପାଳ ପ୍ରେମଲାଲ ହିଆଲ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସ୍ନେହପ୍ରଭା ମାଝୀ, ଜିଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି, ତହସିଲଦାର ଶୟଦ ସବିର ସାହା, ଏମ୍ପିଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
କୁଟୁଣୀପଦର ଶିବମନ୍ଦିରରୁ ପରବ ୨୦୨୫ ଶୁଭାରମ୍ଭ କରାଯିବ ବୋଲି ସୂଚନା ରହିଛି। ଜିଲାର ସମସ୍ତ ପଞ୍ଚାୟତରେ ନଭେମ୍ବର ୧୩ରୁ ୨୩ ଯାଏ ପାଳନ ହେବ। ବ୍ଲକ୍ ଓ ସହରାଞ୍ଚଳରେ ନଭେମ୍ବର ୨୪ରୁ ଡିସେମ୍ବର ୪ ଯାଏ ପାଳନ କରାଯିବ।
କୋରାପୁଟ ପୌର ପରିଷଦ ଅନ୍ତର୍ଗତ ପରବ ପଡ଼ିଆରେ ଡିସେମ୍ବର ୧୮ରୁ ୨୨ ଯାଏ ଜିଲାସ୍ତରୀୟ ପରବ ଉତ୍ସବ ପାଳନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଜିଲାସ୍ତରୀୟ ପରବରେ ପଲ୍ଲିଶ୍ରୀ ଓ ଖାଦ୍ୟ ମେଳାର ଆୟୋଜନ କରାଯାଇ ନୂତନ ଭାବେ ଫୁଲ ପ୍ରଦର୍ଶନୀ କରିବାକୁ ନିଷ୍ପତ୍ତି ହୋଇଛି। ଜିଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

