ଆଗ୍ରା,୧୦।୯: ଉତ୍ତର ପ୍ରଦେଶର ଆଗ୍ରାରେ ଜଣେ ବିବାହିତ ମହିଳା ତାଙ୍କ ସ୍ବାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ପାଇଁ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହାସହ ତାଙ୍କ ଶରୀରର ଅଙ୍ଗଗୁଡ଼ିକ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ଅଭିଯୋଗରେ ମାମଲା ରୁଜୁ କରିଛନ୍ତି। ବିବାହିତ ମହିଳା ଅଭିଯୋଗ କରିଛନ୍ତି, ତାଙ୍କ ଶାଶୁ ତାଙ୍କୁ ପ୍ରତିଦିନ ଘରୁ ଅଧିକ ଯୌତୁକ ଆଣିବାକୁ ଚାପ ପକାଉଥିଲେ। ସେ ମହିଳା ନୁହେଁ, ପୁରୁଷ ପରି ଦେଖାଯାଉଥିଲା କହୁଥିଲେ। ଏହି ପ୍ରସଙ୍ଗରେ ମୋ ସ୍ବାମୀ ମୋତେ ତିନି ତଲାକ ଦେଇଥିଲେ। ଏବେ ସେ ମୋତେ ଫେରାଇ ରଖିବା ବଦଳରେ ଏକ ସ୍କର୍ପିଓ ଗାଡ଼ି ଦାବି କରୁଛନ୍ତି।
ବିବାହିତ ମହିଳା କହିଛନ୍ତି, ମୋ ବାପା ଏତେ ଟଙ୍କା କେଉଁଠାରୁ ଆଣିବେ କହିବାରୁ, ସେମାନେ ରାଗରେ ମୋତେ ବାନ୍ଧିକି ମାଡ଼ ମାରିଥିଲେ। ମୋ ପରିବାର ସଦସ୍ୟ ଏହା ଜାଣି ମୋତେ ବାପ ଘରକୁ ନେଇଆସିଥିଲେ। ମୁଁ ପୋଲିସରେ ଅଭିଯୋଗ କରିଥିଲି, କିନ୍ତୁ ସେମାନେ ସାହାଯ୍ୟ କରି ନ ଥିଲେ। ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶରେ ତାଜଗଞ୍ଜ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ସୂଚନା ଅନୁଯାୟୀ, ନାଗଲା ମେୱାଟିରେ ରହୁଥିବା ଯୁବତୀଙ୍କ ବିବାହ ୧୧ ନଭେମ୍ବର ୨୦୨୪ରେ ବୁଲନ୍ଦସହରର ଶିକାରପୁରର ଆଶିକ ମନସୁରୀଙ୍କ ସହ ହୋଇଥିଲା। ପୀଡିତାଙ୍କ ଅନୁଯାୟୀ, ବିବାହରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହି ସମୟରେ ୫୦ ଗ୍ରାମ ସୁନା ନେଇଥିଲି। ଶାଶୁ ନଜରିନ, ଶ୍ୱଶୁର ଶମିମ ଏବଂ ଅନ୍ୟମାନେ ଯୌତୁକରେ ସନ୍ତୁଷ୍ଟ ନ ଥିଲେ। ସେମାନେ ବାରମ୍ବାର ଯୌତୁକ ଦାବି କରୁଥିଲେ। ଅଧିକ ଯୌତୁକ ଆଣ ବୋଲି କହି ମୋତେ ମୋ ବାପଘରକୁ ପଠାଉଥିଲେ।
ପୀଡିତା କହିଛନ୍ତି, ଯେତେବେଳେ ଶ୍ୱଶୁର ଘର ଲୋକେ ଅନ୍ୟ କୌଣସି ବାହାନା ପାଇଲେ ନାହିଁ, ସେମାନେ ମୋ ଶରୀର ଗଠନ ନେଇ ମୋତେ ଗାଳି ଦେବା ଆରମ୍ଭ କଲେ। ଶାଶୁ କହୁଥିଲେ, ମୁଁ ପୁରୁଷ ପରି ଦେଖାଯାଉଛି। ମୋଠାରେ ମହିଳାଙ୍କ ପରି ଲକ୍ଷଣ ନାହିଁ। ଶାଶୁ ଏବଂ ଅନ୍ୟମାନେ ଏହି ଅଭାବ ପାଇଁ ଏକ ସ୍କର୍ପିଓ କାର ଏବଂ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ। ମୁଁ ମନା କରିବାରୁ ସେମାନେ ମୋତେ ଘରେ ବାନ୍ଧି ମାଡ଼ ମାରିବା ସହ ଖାଇବାକୁ ଦେଉ ନ ଥିଲେ।
ପୀଡିତା କହିଛନ୍ତି, ପ୍ରଥମେ ତାଙ୍କ ସ୍ବାମୀ ଆଶିକ ତାଙ୍କ ଓକିଲଙ୍କ ମାଧ୍ୟମରେ ତାଙ୍କୁ ତିନି ତଲାକ ଦେବା ପାଇଁ ଦୁଇଟି ନୋଟିସ ପଠାଇଥିଲେ। ଏହା ପରେ, ସେ ତାଙ୍କ ସମ୍ପର୍କୀୟଙ୍କୁ ସାକ୍ଷୀ କରି ୧୦ ଫେବୃଆରୀ ୨୦୨୫ ରେ ସମସ୍ତଙ୍କ ସମ୍ମୁଖରେ ତିନିଥର ତଲାକ କହିଥିଲେ।

