ଭକ୍ତି, ଭକ୍ତ ଓ ଭଗବାନ୍‌

ଅଧୁନା ଭାରତ ବର୍ଷରେ ଏକ ଅଦ୍ଭୁତ ପରିବେଶ ସୃଷ୍ଟି ହୋଇଛି। ମନ୍ଦିର, ମସ୍‌ଜିଦ, ଗୀର୍ଜା, ଗୁରୁଦ୍ୱାର ସବୁଠି ପ୍ରବଳ ଭିଡ଼। ପୂଜାର୍ଚ୍ଚନା ଚାଲିଛି। ଧୂପ, ଝୁଣାର ବାସ୍ନାରେ ମହକୁଛି ସାରା ପ୍ରାଙ୍ଗଣ। ଘଣ୍ଟ, ଘଣ୍ଟା, ଝାଲି, ମୃଦଙ୍ଗ, ଶଙ୍ଖ, ତୂରୀର ଧ୍ୱନିରେ ପ୍ରକମ୍ପିତ ହେଉଛି ଆଖପାଖ ଅଞ୍ଚଳ। ଡାକବାଜି ଯନ୍ତ୍ର ମାଧ୍ୟମରେ ମନ୍ତ୍ର ଉଚ୍ଚାରଣ, ନମାଜ ପଠନ, ପ୍ରାର୍ଥନା ଶୋଇଥିବା ଲୋକଙ୍କୁ ବି ଜଣାଇ ଦେଉଛି ଏହା ପୂଜାବେଳ, ଆରାଧନା ସମୟ। ସତରେ କ’ଣ ତେବେ ଚାରିଆଡ଼େ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ? ନା ଈଶ୍ୱର ସର୍ବ ଶକ୍ତିମାନ, ଈଶ୍ୱର ସବୁଠି ଅଛନ୍ତି, ଈଶ୍ୱର ସବୁ ଦେଖୁଛନ୍ତି ଓ ଶୁଣୁଛନ୍ତି ଏହିସବୁ କଥାଗୁଡ଼ିକ ଆମେ ଭୁଲ୍‌ ବୋଲି ପ୍ରମାଣ କରିବାକୁ ଚାହୁଁଛୁ ? ଈଶ୍ୱର ଯେ ଏକ ଓ ଅଭିନ୍ନ ଏହା କ’ଣ ସତ୍ୟ ନୁହେଁ ବୋଲି ଧରି ନେଇଛୁ ? ଯଦି ନା, ତେବେ କ’ଣ ଈଶ୍ୱରଙ୍କୁ କିଛି ଶୁଭୁନି ? ହଁ, ନିଶ୍ଚୟ ତାହା ହୋଇ ନ ଥିଲେ ଏତେ ବଡ଼ ପାଟିରେ ଡାକବାଜି ଯନ୍ତ୍ରର ସହାୟତାରେ ମନ୍ତ୍ର ପାଠ ହୁଅନ୍ତା କାହିଁକି ? ନମାଜ ପଢ଼ା ଯାଆନ୍ତା କାହିଁକି ? ଈଶ୍ୱର ଯେ କିଛି ଦେଖିପାରୁ ନାହାନ୍ତି, ଏହା ସତ୍ୟ। ତାହା ହୋଇ ନ ଥିଲେ ଭକ୍ତି ଦେଖେଇବା ପାଇଁ ଚିତା, ଚୈତନ୍ୟ କାଟି, ଗଳାରେ ରୁଦ୍ରାକ୍ଷର ମାଳା ପିନ୍ଧି, ରଙ୍ଗ ବେରଙ୍ଗର ପୋଷାକ ପରିଧାନ କରି ନ ଥା’ନ୍ତୁ। ଆମେ ଧରି ନେଇଛୁ କେବଳ ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ୱାରକୁ ଗଲେ ଈଶ୍ୱର ଦର୍ଶନ ଦେବେ, ମନସ୍କାମନା ପୂରଣ କରିବେ, ସେ ଭକ୍ତର ସ୍ବୀକୃତି ଦେବେ। ତା’ ହୋଇ ନ ଥିଲେ ଇଟା, ପଥରରେ ଗଢ଼ା ଏକ ଆବଦ୍ଧ କୋଠରି ଭିତରେ, ସର୍ବ ସମ୍ମୁଖରେ ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଏତେ ଠେଲାପେଲା ହୁଅନ୍ତା କାହିଁକି ? ଯେଉଁମାନେ ଈଶ୍ୱରଙ୍କ ଦର୍ଶନ ପାଇଥିଲେ ବୋଲି ଆମେ ଦାବି କରୁଛୁ ସେମାନେ କ’ଣ ସତରେ ଏମିତି ଏକ ଆବଦ୍ଧ କୋଠରି ଭିତରେ ତାଙ୍କର ସନ୍ଧାନ ପାଇଥିଲେ?
ଏସବୁ ସତ୍ତ୍ୱେ ଆମେ ନିଦ୍ୱର୍ନ୍ଦ୍ୱରେ କହିପାରିବା ଭକ୍ତଙ୍କ ସଂଖ୍ୟା ବଢ଼ିଛି। ପୂଜାପାଠ ବଢ଼ିଛି ସବୁ ଧର୍ମରେ, ସବୁ ସମ୍ପ୍ରଦାୟରେ । ୨୦୨୩ ସୁଦ୍ଧା ଦେଶର ମନ୍ଦିର ସଂଖ୍ୟା ୩୫ ଲକ୍ଷରୁ ଊର୍ଦ୍ଧ୍ୱ, ମସ୍‌ଜିଦ ସଂଖ୍ୟା ପାଖାପାଖି ୫୫ ହଜାର, ଗୀର୍ଜା ସଂଖ୍ୟା ୨୮ ହଜାରରୁ ଅଧିକ, ଗୁରୁଦ୍ୱାର ସଂଖ୍ୟା ପାଖାପାଖି ୮ ହଜାର। ଏହା ବାଦ୍‌ ଅନ୍ୟ ଧର୍ମାବଲମ୍ବୀ ଲୋକଙ୍କ ସକାଶେ ସ୍ବତନ୍ତ୍ର ମଠ, ଆରାଧନା ପୀଠ, ପ୍ରାର୍ଥନା ଗୃହ ରହିଛି। କିନ୍ତୁ ଛୋଟ ବଡ଼ ମନ୍ଦିର, ଗ୍ରାମ ଦେବୀ, ଆଶ୍ରମ ଏସବୁକୁ ଧରିଲେ ଆମ ଦେଶରେ ଏମାନଙ୍କ ସଂଖ୍ୟା ଏକ କୋଟିରୁ ଊର୍ଦ୍ଧ୍ୱ ହେବ। ତଥାପି ନୂତନ ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ୱାର ଗଢ଼ିବାର ଅଭୀପ୍ସା ଲୋକଙ୍କ ଭିତରେ କମି ନାହିଁ। ଗଁା, ସହର, ସାହି, ବସ୍ତି ସବୁଠି ଈଶ୍ୱରଙ୍କ ପାଇଁ ବାସସ୍ଥାନ ନିର୍ମାଣ ଚାଲିଛି। ଏହା ସୂଚେଇ ଦେଉଛି ଭକ୍ତମାନଙ୍କ ସଂଖ୍ୟା କ୍ରମଶଃ ବଢ଼ୁଛି। କେବଳ ନୂଆ ନୂଆ ଧର୍ମ ପୀଠ ଯେ ତିଆରି ହେଉଛି ତାହା ନୁହେଁ ସବୁଠି ଭକ୍ତଙ୍କ ସମାଗମ ଅଣାୟତ୍ତ ହେବାରେ ଲାଗିଛି। ଦଳାଚକଟାଜନିତ ଛୋଟ ବଡ଼ ଅଘଟଣ ମଧ୍ୟ ଘଟୁଛି। ମହାକୁମ୍ଭରେ ସରକାରୀ ତଥ୍ୟ ଅନୁଯାୟୀ ୬୬ କୋଟିରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ବୋଲି କୁହାଯାଉଛି। ପୁରୀ ରଥଯାତ୍ରା ଦିନ କେମିତି ଭକ୍ତଙ୍କ ଦ୍ୱାରା ବଡ଼ଦାଣ୍ଡ ଉଛୁଳି ଉଠୁଛି ଆମେ ସଭିଏ ଦେଖୁଛନ୍ତି। ଏଇ କିଛି ବର୍ଷ ହେଲା ଶିବ ଲିଙ୍ଗରେ ପାଣି ଢାଳିବା ପାଇଁ ପାଣି ଭାର ଧରି ଯାଉଥିବା କାଉଡ଼ିଆଙ୍କ ଯାତ୍ରାକୁ ଦେଖିଲେ ସହଜରେ ହୃଦୟଙ୍ଗମ କରିହେବ ଭକ୍ତଙ୍କ ସଂଖ୍ୟା କେତେ ବଢ଼ିଛି। ଯେକୌଣସି ବ୍ରତ, ଓଷା ସମୟରେ ମନ୍ଦିର ବେଢ଼ା ଲୋକାରଣ୍ୟ ହୋଇପଡ଼ୁଛି। ନୂଆ ନୂଆ ନାମରେ ଦେବଦେବୀଙ୍କର ପୂଜାର୍ଚ୍ଚନା ଦେଖିବାକୁ ମିଳୁଛି। କେବଳ ଦେବଦେବୀଙ୍କ ନିକଟରେ ଭିଡ଼ ଜମୁ ନାହିଁ, ସବୁଠାରୁ କୌତୂହଳ ବିଷୟ ହେଉଛି ଏ ଦେଶରେ ବାବା ମାତା ସଂଖ୍ୟା ଯେତେ ବଢ଼ୁଛି ସେମାନଙ୍କ ଚତୁଃପାର୍ଶ୍ୱରେ ଭକ୍ତଙ୍କ ଭିଡ଼ ସେତେ ବଢ଼ୁଛି। ଲୋକେ ଯେତେ ଠକାମିର ଶିକାର ହେଉଛନ୍ତି ସେମାନଙ୍କ ସାନିଧ୍ୟ ଲାଭ ନିମନ୍ତେ ସେତେ ଅଧିକ ସଂଖ୍ୟକ ଲୋକ ଭକ୍ତଙ୍କ ତାଲିକାରେ ନାମ ଲେଖାଉଛନ୍ତି।
ସମ୍ପ୍ରତି ଈଶ୍ୱରଙ୍କ ଜନ୍ମ ଦିନ ପାଳନ କରିବାର ଏକ ନୂତନ ସଂସ୍କୃତି ଲୋକଙ୍କ ଭିତରେ ଉନ୍ମାଦନା ସୃଷ୍ଟି କରିଛି। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ରାମ ଜୟନ୍ତୀ, ହନୁମାନ ଜୟନ୍ତୀ, ମହାବୀର, ମହମ୍ମଦ, ଯିଶୁ, ନାନକ ଆଦି ଜୟନ୍ତୀ ଯେମିତି ପାଳନ କରାଯାଉଛି, ପୂର୍ବେ ଏମିତି ହେଉଥିଲା ବୋଲି ମନେହେଉ ନାହିଁ। ଛୋଟ ବଡ଼ ସବୁ ସହରରେ ଭକ୍ତଙ୍କ ସୁସଜ୍ଜିତ ସମାବେଶ ଆୟୋଜନ ହେଉଛି। ବଡ଼ ବଡ଼ ନିର୍ଦ୍ଧାରିତ ପତାକା ଉଡ଼ୁଛି ଫର ଫର ହୋଇ। ଉଜ୍ଜ୍ୱଳ ଆଲୋକ ସହିତ ଡିଜେ ବାଜୁଛି ସର୍ବୋଚ୍ଚ ସ୍ବରରେ। ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ରର ଶବ୍ଦରେ ପ୍ରକମ୍ପିତ ହେଉଛି ଖଣ୍ଡ ମଣ୍ଡଳ। ନୃତ୍ୟ ସାଙ୍ଗକୁ ଲାଠି, ଖଣ୍ଡା ଖେଳ ମଧ୍ୟ ଦେଖିବାକୁ ମିଳୁଛି। ଦେଖଣାହାରୀ ଭାବରେ ପିଲାଛୁଆ, ନାରୀ ପୁରୁଷଙ୍କ ଭିଡ଼ ଜମୁଛି ରାସ୍ତାର ଉଭୟ ପାର୍ଶ୍ୱରେ। ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବେଶ୍‌ କିଛି ପୋଲିସ୍‌ ବାଧ୍ୟ ବାଧକତାର ସହିତ ଆଗରେ ପଛରେ ଚାଲୁଛନ୍ତି। ଏହା ସତ୍ତ୍ୱେ ସାମ୍ପ୍ରଦାୟିକ ଦଙ୍ଗାକୁ ଏଡ଼ାଇ ଦିଆଯାଇ ପାରୁ ନାହିଁ। ଜୟନ୍ତୀର ପୂର୍ବରୁ କିଛି ଦିନ ଓ ପରବର୍ତ୍ତୀ କିଛି ଦିନ ଉଜେନା ଲାଗି ରହୁଛି ସମ୍ପ୍ରଦାୟ ମଧ୍ୟରେ।
ଲୋକଙ୍କ ଭିତରେ ଭକ୍ତି ଭାବ କେତେ ବଢ଼ିଛି ତାହା ହିଁ ବିଚାର୍ଯ୍ୟ। ଗଭୀର ଭଲପାଇବା, ଶ୍ରଦ୍ଧା କରିବା, ସମ୍ମାନ ଦେବା ଅର୍ଥ ଭକ୍ତି କରିବା। ଯେଉଁଠି ଭକ୍ତି ଥାଏ ସେଇଠି ତ୍ୟାଗ ଥାଏ। ସତ୍ୟ, ନ୍ୟାୟ, ଅହିଂସା ବିନା ଭକ୍ତି ଅନ୍ତଃସାର ଶୂନ୍ୟ ଭାବନା କହିଲେ ଭୁଲ୍‌ ହେବ ନାହିଁ। ଭକ୍ତିରୁ ସୃଷ୍ଟି ହୁଏ ସମର୍ପଣ ଭାବ। ପ୍ରକୃତ ଭକ୍ତି ଥିଲେ ଘୃଣା, ଅସହିଷ୍ଣୁତା ପାଖ ମାଡ଼େ ନାହିଁ। କିନ୍ତୁ ଆଜିକାଲି ଯେଉଁମାନେ ନିଜକୁ ଭକ୍ତ ଭାବରେ ଉପସ୍ଥାପନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂକୀର୍ଣ୍ଣ ଧର୍ମ ବିଶ୍ୱାସୀ। ଅନ୍ୟ ଧର୍ମାବଲମ୍ବୀ ଲୋକଙ୍କୁ ଘୃଣା କରନ୍ତି। ଜାତି ଭେଦ ସହିତ ବୁଝାମଣା କରନ୍ତି। ନିଜକୁ ସୁରକ୍ଷିତ ରଖିବା ପାଇଁ ମିଥ୍ୟାର ଆଶ୍ରୟ ନିଅନ୍ତି। ଏମାନେ ଏମିତି ଭକ୍ତ ଯେ ମନ୍ଦିର ପ୍ରାଙ୍ଗଣରେ ସ୍ଥାପିତ କଂକ୍ରିଟ୍‌ ଷଣ୍ଢ ମୁହଁରେ ଘାସ ଦିଅନ୍ତି ହେଲେ ଜୀବିତ ଷଣ୍ଢ ପିଠିରେ ଧୁସ୍‌ ଧାସ୍‌ ପ୍ରହାର ପକାଇବାକୁ ଆଦୌ ସଂକୋଚ କରନ୍ତି ନାହିଁ। ଅଧିକାଂଶଙ୍କ ମୁହଁରେ ରାମ ନାମ ମାତ୍ର ରାବଣ ପ୍ରବୃତ୍ତି, ମୁହଁରେ ଜଗନ୍ନାଥ ମାତ୍ର କାମରେ କଳାପାହାଡ଼, ପ୍ରତ୍ୟହ ନମାଜ ପଠନ ମାତ୍ର ସନ୍ତ୍ରାସବାଦୀ କାର୍ଯ୍ୟ। ଅସତ୍‌ ଆଚରଣ କରୁଥିବା ଲୋକମାନେ ବେଶଭୂଷାରେ, କଥାବାର୍ତ୍ତାରେ ସିନା ଭକ୍ତ, ମାତ୍ର ସେମାନଙ୍କ ନିକଟରେ ଭକ୍ତି ନାହିଁ କି ରହିପାରେନା। କର୍ମ ନ କରି କିମ୍ବା କମ୍‌ ପରିଶ୍ରମରେ ଅଧିକ ପ୍ରାପ୍ତିର ଆଶା ରଖିଥିବା ବ୍ୟକ୍ତିମାନେ ଆଜି ଭକ୍ତ ସାଜି ଈଶ୍ୱରଙ୍କ ଅସ୍ତିତ୍ୱକୁ ଅସ୍ବୀକାର କରୁଛନ୍ତି ବୋଲି କହିବା ଅଯଥାର୍ଥ ହେବ ନାହିଁ। ଏହା ସତ୍ୟ ଯେ, ‘ସାଧୁତା ନ ଥାଇ ସନ୍ଥ, ସେବା ନ କରି ସେବିକା, ଭକ୍ତି ନ ଥାଇ ଭକ୍ତ ସମାଜ ପାଇଁ ମହା ବିପତ୍ତି’।

ଅକ୍ଷୟ କୁମାର ମିଶ୍ର
ସଭାପତି, ଓଷ୍ଟା
ମୋ :୯୯୩୮୭୬୩୨୩୭

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri