କ.ନୂଆଗାଁ ୨୫ା୨(କାଳୀ ପ୍ରସାଦ ତ୍ରିପାଠୀ): କନ୍ଧମାଳ ଜିଲା କ.ନୁଆଗାଁ ଥାନା ୫୯ନଂ ଜାତୀୟ ପଥ କନ୍ଦିବାନ୍ଦା ନିକଟରେ ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ କ.ନୁଆଗାଁ ବ୍ଲକ ଅନ୍ତର୍ଗତ ଆଡ଼ିମାହା ପଞ୍ଚାୟତ ସାଙ୍କୁଶବାଲି ଗାଁର ଜୀବନବନ୍ଧୁ ଦିଗାଳ। ଗୁରୁତର ଯୁବକ ଜଣକ ପିଣ୍ଟୁ ଦିଗାଳ ବୋଲି ଜଣାପଡିଛି। ଜୀବନବନ୍ଧୁ ପିଣ୍ଟୁଙ୍କ ଦାଦା ବୋଲି ଜଣାପଡିଛି।
ଜୀବନବନ୍ଧୁ ଓ ପିଣ୍ଟୁ କ.ନୁଆଗାଁ ବ୍ଲକ ଅନ୍ତର୍ଗତ ର୍ସିତ୍ତିଗୁଡ଼ା ପଞ୍ଚାୟତର ବେଟିଶଙ୍ଖ ଗାଁ ଶ୍ୱଶୁର ଘରକୁ କୌଣସି କାମରେ ଯାଇ ସେଠାରୁ ବାଇକ୍ରେ ଫେରିବା ବେଳେ କନ୍ଦିବାନ୍ଦା ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଉଭୟେ ଗୁରୁତର ହୋଇପଡ଼ିଥିଲେ । ଘଟଣା ସମ୍ପର୍କରେ କ.ନୁଆଗାଁ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କ.ନୁଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଜୀବନବନ୍ଧୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପିଣ୍ଟୁ ସେଠାରେ ଚିକିତ୍ସାଧୀନ ଅଛନ୍ତି। କ.ନୁଆଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


