ଜବରଦସ୍ତିଆ ଦକ୍ଷିଣା

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଠାକୁରଙ୍କ ପୂଜା ଆଳରେ ପୂଜକମାନେ ପଇସା ନେବା ବିଷୟଟି ଅନେକ ଥର ମୋତେ ବ୍ୟଥିତ କରିଛି। ସେ ଶ୍ରୀମନ୍ଦିରରେ ମୁଣ୍ଡରେ ବେତ ଛୁଅଁାଇ ଦେଇ ପଇସା ମାଗିବା ହଉ କି ବିମଳା ମନ୍ଦିରରେ ଜୋର କରି ହାତକୁ ଶଙ୍ଖା ଓ ସିନ୍ଦୂର ବଢ଼େଇ ଦେଇ ଦକ୍ଷିଣା ଦେବା କଥା; ଗଣେଶଙ୍କୁ ମୁଣ୍ଡିଆ ମାର, ମୂର୍ତ୍ତିର ପାଦକୁ ସ୍ପର୍ଶ କରି ଆଶୀର୍ବାଦ ନିଅ, ଶନି ମନ୍ଦିରରେ ନବଗ୍ରହଙ୍କ ପାଖରେ ଦୀପ ଜାଳ, ଶିବ ମନ୍ଦିରଗୁଡ଼ିକରେ ତମ୍ବା ନାଗଗୁଡ଼ିକୁ ବେଲପତ୍ର ଚଢାଅ; ଭକ୍ତମାନଙ୍କୁ ଏସବୁ ଉପଦେଶ ଦେବା ପଛରେ ପୂଜକ ବା ପଣ୍ଡିତମାନଙ୍କ ଉଦ୍ଦେଶ୍ୟ ଥାଏ ଦକ୍ଷିଣା ଆକାରରେ କିଛି ପଇସା ପାଇବା। ହେଲେ କିଛି ଦିନ ତଳେ ସାବିତ୍ରୀ ବ୍ରତ ପୂଜା ପାଇଁ ଘର ପାଖ ଏକ ଦେବୀ ମନ୍ଦିରକୁ ଯିବାର ଅନୁଭୂତି ମୋର ମନକୁ କେବଳ ବ୍ୟଥିତ କରିନାହିଁ, ବରଂ ବଦଳୁଥିବା ଏ ବ୍ୟବସ୍ଥା ପାଇଁ ମନରେ ବିଦ୍ରୋହର ଗୋଟିଏ ନିଆଁଝୁଲ ସୃଷ୍ଟି କରିଛି।
କଥାଟି ବିଷୟରେ ବିସ୍ତୃତ ଭାବରେ ନ ଜଣେଇଲେ ପାଠକେ ଏହା ବିଷୟରେ ଅନୁମାନ ଲଗେଇ ପାରିବେ ନାହିଁ, ଏଣୁ କଥାଟିକୁ ବର୍ଣ୍ଣନା କରିବାକୁ ଉଚିତ ମଣୁଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପୂଜା ସାମଗ୍ରୀ, ଶାଢ଼ି, ଚୁଡ଼ି, ଶଙ୍ଖା, ସିନ୍ଦୂର ସଜାଡ଼ି ଆମେ ମନ୍ଦିରରେ ପହଞ୍ଚତ୍ଲୁ। ସେମିତି କିଛି ଖାସ୍‌ ଭିଡ଼ ନ ଥାଏ ମନ୍ଦିରରେ। ପୂଜକ ସଭିଙ୍କୁ ଧାଡ଼ିରେ ଆସିବା ପାଇଁ କହୁଥାନ୍ତି। ଆମ ପାଳି ପଡ଼ି ଆମେ ଭୋଗଥାଳି ଏବଂ ଦକ୍ଷିଣା ଦେଇ ଅପେକ୍ଷା କରିଥାଉ। ଆମ ପାଖରେ ଜଣେ ନବ ବିବାହିତା ମହିଳା ଆସି ତାଙ୍କ ଥାଳିଟି ବଢ଼େଇଲେ। ଥାଳିରେ ଶାଢ଼ି ଖଣ୍ଡିଏ ଥାଏ ପୂଜା ପାଇଁ। ସେ ଥାଳି ବଢ଼େଇ ଦେଇ ନନାଙ୍କୁ ପଚାଶ ଟଙ୍କାଟିଏ ବଢ଼େଇ ଦେଲେ। ହଠାତ୍‌ ନନା କହି ଉଠିଲେ, ‘ଗୋଟିଏ ଶାଢ଼ି ପୂଜା କଲେ ୧oo ଟଙ୍କା ମାଆ, ଆଉ ପଚାଶ ଟଙ୍କା ଦିଅ’। ବିଚାରୀ ମହିଳା ଜଣକ ନିଜ ଶକ୍ତି ଅନୁସାରେ ସେତିକି ହିଁ ମନ୍ଦିରକୁ ନେଇକି ଆସିଥିଲେ ପୂଜକଙ୍କୁ ଦକ୍ଷିଣା ଦେବା ପାଇଁ, ସାଙ୍ଗେ ସାଙ୍ଗେ ସେ ଆଉ ପଚାଶ ଟଙ୍କା ଆଣିବେ ବା କେଉଁଠୁ? କାହାକୁ ମାଗି ପଇସା ଦେଇଦେବା ବି ଠିକ୍‌ ଲାଗିବ ନାହିଁ, ତେଣୁ ବାଧ୍ୟ ହୋଇ ସେ ମନ୍ଦିରର ଗୋଟିଏ କୋଣକୁ ଯାଇ ତାଙ୍କ ସ୍ବାମୀଙ୍କୁ ଫୋନ କଲେ ଏବଂ ଯେତେଶୀଘ୍ର ସମ୍ଭବ ପଇସା ନେଇକି ଆସିବା ପାଇଁ କହିଲେ। ସେହି ମହିଳା ଜଣକଙ୍କ ମୁହଁ ସେହି ସମୟରେ ଲଜ୍ଜାରେ ନାଲି ପଡ଼ିଯାଇଥାଏ, ସେଇ ଅନିଚ୍ଛାକୃତ ଭୁଲ୍‌ ପାଇଁ ଯାହା ସେ ଆଶା ହିଁ କରି ନ ଥିଲେ!
ମୋ ମନରେ ପ୍ରଶ୍ନ ଆସିଲା ଯେ ଶାଢ଼ି ଗୋଟାକୁ ପୂଜା କରିବା ପାଇଁ ୧oo ଟଙ୍କା ଦର ନିର୍ଦ୍ଧାରଣ କଲା କିଏ? କୌଣସି ନିର୍ଦ୍ଦିଷ୍ଟ ପୂଜା କମିଟି ନା ସଙ୍ଗଠନ? ଠାକୁରାଣୀଙ୍କ ମୂର୍ତ୍ତିରେ ଶାଢ଼ିକୁ ଟିକେ ଛୁଆଁଇ ଦେଇ ଭକ୍ତମାନଙ୍କଠାରୁ ପଇସା ନେବାର ଏହି ନୂଆ ପ୍ରକ୍ରିୟା କେବେଠାରୁ ଆରମ୍ଭ ହେଲାଣି? ଆଶ୍ଚର୍ଯ୍ୟ ଲାଗିଲା ଯେ ପୂଜକଙ୍କୁ ଟିକେ ସଙ୍କୋଚ ବି ନାହିଁ ଶହେ ଟଙ୍କାରୁ କମ ଦକ୍ଷିଣା ଦେଖିଲେ ସେ ବଡ଼ ପାଟିରେ ଆଉ ବାକି ପଇସା ମାଗିନେବାକୁ ଭକ୍ତମାନଙ୍କୁ ବାଧ୍ୟ କରୁଛନ୍ତି! ଭକ୍ତଟିଏ ମନ୍ଦିରକୁ ପୂଜା କରିବାକୁ ଯାଏ ନିଜ ପରିବାରର ଶୁଭ ମନାସିବା ପାଇଁ, ସେଠି ଏମାନେ ଟଙ୍କା ପଇସା ପାଇଁ ଏମିତି ହଟହଟା କଲେ, ସେମାନଙ୍କର ଈଶ୍ବରଙ୍କ ପ୍ରତି ବିଶ୍ୱାସ ଆଉ ଶ୍ରଦ୍ଧା ରହିବ ତ? ମୋତେ ତ ଲାଗିଲା ଆଗାମୀ ବର୍ଷଠାରୁ ମୁଁ ଆଉ କୌଣସି ମନ୍ଦିରକୁ ପୂଜା ପାଇଁ ଯିବି ନାହିଁ। ଘରେ ହିଁ ସବୁ ପ୍ରକାର ଆୟୋଜନ କରି ଶାନ୍ତିରେ ପୂଜା କରିବି। ଅନ୍ତତଃ ମନରେ କାହା ପ୍ରତି ରାଗ ଆସିବ ନାହିଁ।
ଏବେ ଅନେକ ଜାଗାରେ ଦେଖାଯାଉଛି ଯେ, ମନ୍ଦିରଗୁଡ଼ିକରେ ଟ୍ରଷ୍ଟ ଗଠନ କରାଯାଇ ତାହାର ନବୀକରଣ ଏବଂ ଉନ୍ନତୀକରଣ କରାଯାଉଛି। ଏହା ପାଇଁ ଆବଶ୍ୟକ ଅର୍ଥ ଆସେ କେଉଁଠୁ? ଟିକେ ଚିନ୍ତା କଲେ! ଏହା ପାଇଁ ସେମାନେ ଲୋକଙ୍କଠାରୁ ଚାନ୍ଦା ଆଦାୟ କରନ୍ତି ବା ଭକ୍ତମାନଙ୍କୁ ମନ୍ଦିର ଟ୍ରଷ୍ଟ ତରଫରୁ କିଛି ଅର୍ଥ ଦାନ କରିବା ପାଇଁ ବାଧ୍ୟ କରନ୍ତି। ଆର୍ଥିକ ଭାବରେ ସକ୍ଷମ ଲୋକଙ୍କର ତ ବିଶେଷ କିଛି ଅସୁବିଧା ହୁଏନାହିଁ, ଯେଉଁମାନେ ଅଭାବୀ ଭଗବାନଙ୍କ ନାଁ ଶୁଣି ଦାନ ନ ଦେଇ ଯିବାର ଅନ୍ୟ ଗତି ନାହିଁ। ପାଖରେ ନ ଥାଉ ପଛେ, ପୂଜକଙ୍କୁ ମନା କରିଦେଲେ କାଳେ କିଛି ଅନିଷ୍ଟ ହେବ, ସେହି ଭୟ ସେମାନଙ୍କ ମନରେ ସବୁବେଳେ ରହିଥାଏ।
ଆଶ୍ଚର୍ଯ୍ୟ ଲାଗେ ଯେ ପୂଜକମାନେ ନିଜ ସ୍ବାର୍ଥ ସାଧନ ପାଇଁ ଭଗବାନଙ୍କ ନାଁର ସାହାରା ନେଉଛନ୍ତି। ନ ହେଲେ ଦକ୍ଷିଣା ଆକାରରେ ପାଉଥିବା ଟଙ୍କା ପାଇଁ ଏତେ ବ୍ୟସ୍ତତା ଓ ତତ୍ପରତା କାହିଁକି? ଭକ୍ତ ନିଜ ଖୁସିରେ ଯାହା ଦେଉଛି ତାଙ୍କୁ ଖୁସି କରିପାରୁନାହିଁ କାରଣ, ଏହାକୁ ସେମାନେ ଆୟର ଏକ ନୂଆ ପନ୍ଥା ବୋଲି ଧରିନେଲେଣି। ମନ୍ଦିରର ପୂଜକ ହିସାବରେ, ନିୟମିତ ଭାବରେ ଅନୁଷ୍ଠାନ ତାଙ୍କୁ ଏକ ନିର୍ଦ୍ଧାରିତ ମୂଲ୍ୟ ଦେଉଥିଲେ ସୁଦ୍ଧା ଅତିରିକ୍ତ ଆୟ ପାଇଁ ଭକ୍ତଙ୍କୁ ବାଧ୍ୟ କରିବା ଏମାନଙ୍କର ଏକ ଅଭ୍ୟାସରେ ପରିଣତ ହେଲାଣି। ଦରମା ପରେ ଉପୁରି ଭଳି ପୂଜକମାନଙ୍କ ଉପୁରି ଆୟ ଭଗବତ ବିଶ୍ୱାସ ଏବଂ ଲୋକଙ୍କ ବିଶ୍ୱାସକୁ ବାଧା ପହଞ୍ଚାଉଛି।
ଏହି ଅନୁଭୂତି ସବୁ ସାଧାରଣ ଜନତା ନିତି ଭୋଗୁଥିଲେ ମଧ୍ୟ ମୁହଁ ଖୋଲି ବିରୋଧ କରୁନାହାନ୍ତି, କାରଣ ଏହା ପଛରେ ରହିଛି ଈଶ୍ବରଙ୍କ ଉପରେ ବିଶ୍ୱାସ ବୋଲି ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗ। ସେମାନଙ୍କର ଡର, କାଳେ ଆମେ ମନା କଲେ ପୂଜକ ଅସନ୍ତୁଷ୍ଟ ହୋଇ ଆମକୁ ଅଭିଶାପ ଦେଇଦେବେ ବା ଭଗବାନଙ୍କ କୃପା ଦୃଷ୍ଟିରୁ ସେମାନେ ବଞ୍ଚତ୍ତ ହୋଇଯିବେ। ସାମାନ୍ୟ କିଛି ଟଙ୍କା ହଉ ପଛେ, ଭକ୍ତମାନଙ୍କଠାରୁ ବାଧ୍ୟ ବାଧକତାରେ ନିଆଯାଉଥିବା ଦାନ ବା ଦକ୍ଷିଣାର ଏ ପରମ୍ପରାର ଅନ୍ତ କେଉଁଠି? ଅନିଚ୍ଛାକୃତ ଭାବରେ ହାସଲ କରୁଥିବା ଏହି ଆୟ ଅସାଧୁ ଉପାୟ ଅନ୍ତର୍ଭୁକ୍ତ ହେଉନାହିଁ କି? ନା ମନ୍ଦିର ପୂଜକ ବୋଲି ଭଦ୍ରମୁଖା ଧାରଣ କରି ସେମାନେ ଅନାୟାସରେ ଏହି କାମ ସବୁ ଜାରି ରଖିବେ?
ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri