ନୂଆଦିଲ୍ଲୀ,୧୮ା୧୧(ପି.ଟି.): ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କାଁଭାଁ ହିଂସାକାଣ୍ଡ ମଧ୍ୟରେ ମତଦାନ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ଛତିଶଗଡ଼ରେ ୬୭.୩୪ ପ୍ରତିଶତ ମତଦାନ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୭୧.୧୧% ଭୋଟ ଗ୍ରହଣ କରାଯାଇଥିବା ନିର୍ବାଚନ କମିଶନ (ଇସି) କହିଛନ୍ତି। ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ବୁଥ୍ ସମେତ ସମସ୍ତ ଭୋଟ କେନ୍ଦ୍ରରୁ ସବିଶେଷ ରିପୋର୍ଟ ମିଳିବା ପରେ ମତଦାନ ହାର ବଢ଼ିବ ବୋଲି ଇସି ପକ୍ଷରୁ କୁହାଯାଇଛି। ବୁଥ୍ରେ ଶେଷ ମୁହୂର୍ତ୍ତରେ ପହଞ୍ଚତ୍ଥିବା ଭୋଟରମାନଙ୍କୁ ମଧ୍ୟ ମତଦାନ ସୁଯୋଗ ଦିଆଯାଇଥିଲା। ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ ୭୦ ଆସନ ଏବଂ ମଧ୍ୟପ୍ରଦେଶର ୨୩୦ ଆସନ ପାଇଁ ଶୁକ୍ରବାର ଭୋଟ ନିଆଯାଇଥିଲା।
ମଧ୍ୟପ୍ରଦେଶର ରାଜନଗର ନିର୍ବାଚନ ମଣ୍ଡଳୀରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଜଣେ କଂଗ୍ରେସ ପ୍ରାର୍ଥୀଙ୍କ ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଛି। ଭୋଟଗ୍ରହଣ ଚାଲିଥିବାବେଳେ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଗଣ୍ଡଗୋଳ ଘଟିଥିବା ଖବର ମିଳିଛି। ଇନ୍ଦୋର ଜିଲାର ଏକ ସ୍ଥାନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ୫ ଜଣ ଆହତ ହୋଇଛନ୍ତି। ସେହିପରି ମୋରେନା ଜିଲାର ଦିମାନି ନିର୍ବାଚନ ମଣ୍ଡଳୀରେ ସଂଘର୍ଷରେ ୨ ଜଣ ଆହତ ହୋଇଥିବା ଖବର ମିଳିଛି। ଗୁରୁବାର ରାତିରେ ଝାବୁଆ ନିର୍ବାଚନ ମଣ୍ଡଳୀରେ ଟେକାମାଡ଼ରେ କଂଗ୍ରେସ ପ୍ରାର୍ଥୀ ବିକ୍ରାନ୍ତ ଭୁରିଆଙ୍କ ଜଣେ ସୁରକ୍ଷା କର୍ମୀ ଆହତ ହୋଇଥିଲେ।


