ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଅପୂର୍ବ ମିଶ୍ରଣ

ଗିରିଜା ଶଙ୍କର ତରାସିଆ

ସୁସ୍ଥ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନ ନିମନ୍ତେ ଉଭୟ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା ଅପରିହାର୍ଯ୍ୟ। ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତଙ୍କ ରଚିତ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ଉଭୟ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଏକ ଅପୂର୍ବ ମିଶ୍ରଣ। ୧୮୬୮ ଅଗଷ୍ଟ ୧୮ତାରିଖରେ ଏକ ସୂର୍ଯ୍ୟୋପରାଗ ଅନୁଷ୍ଠିତ ହୋଇଥିଲା। ଏହାର ସମୟ ଖଣ୍ଡପଡ଼ା ନିବାସୀ ସାମନ୍ତ ଚନ୍ଦ୍ରଶେଖର ପୂର୍ବରୁ ଠିକ୍‌ ଗଣନା କରିଥିଲେ। ସାମନ୍ତଙ୍କର ଏହି ଗଣନା ତତ୍‌କାଳୀନ ସମାଜରେ ବେଶ୍‌ ଆଲୋଚ୍ୟର ବିଷୟବସ୍ତୁ ହୋଇଥିଲା। ସାମନ୍ତଙ୍କର ଏହି କୃତିତ୍ୱ ସମ୍ପର୍କରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲା। ତତ୍‌କାଳୀନ ଓଡ଼ିଶାରୁ ପ୍ରକାଶ ପାଉଥିବା ପ୍ରଥମ ଓଡ଼ିଆ ଖବର ସାପ୍ତାହିକ ଉତ୍କଳଦୀପିକାର ୧୮୬୮ ଅଗଷ୍ଟ ୨୨ ତାରିଖ ସଂଖ୍ୟାରେ ପ୍ରକାଶିତ ହୋଇଥିଲା କି ”ସାମନ୍ତ ମହାଶୟ ଏ ବିଷୟରେ ପରିଶ୍ରମ କରି କେବଳ ଆପଣାର ସୁଖ୍ୟାତି ବଢ଼ାଇଛନ୍ତି ଏମନ୍ତ ନୁହେଁ, ତାହାଙ୍କ ହେତୁ ଏ ସମୟରେ ବଙ୍ଗଦେଶଠାରୁ ଓଡ଼ିଶା ଓ ଓଡ଼ିଶା ଗଡ଼ଜାତ ମଧ୍ୟରେ କିଲ୍ଲା ଖଣ୍ଡପଡ଼ା ସୁଖ୍ୟାତି ଲାଭ କଲା।“
ଅବିଭକ୍ତ ପୁରୀ ଜିଲାର ଖଣ୍ଡପଡ଼ା ଗଡ଼ଜାତରେ ୧୮୩୫ ମସିହା ପୌଷମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପିତା ଶ୍ୟାମବନ୍ଧୁ ସିଂହ ଏବଂ ମାତା ବିଷ୍ଣୁମାଳୀଙ୍କ ସନ୍ତାନଭାବେ ଜନ୍ମଲାଭ କରିଥିବା ସାମନ୍ତ ଚନ୍ଦ୍ରଶେଖରଙ୍କର ଅପର୍ତ୍ତ୍ୟାଣି ନାମଥିଲା ପଠାଣି। ସାମନ୍ତ ଚନ୍ଦ୍ରଶେଖର ୧୮୬୯ ଏପ୍ରିଲ ୧୨ ଚୈତ୍ର ଶୁକ୍ଳ ଦ୍ୱିତୀୟା ତିଥିରେ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା ଆରମ୍ଭ କଲେ। ଶ୍ରୀଜଗନ୍ନାଥଙ୍କ ବନ୍ଦନା କରିବା ପୂର୍ବକ ସେ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା ଆରମ୍ଭ କରିଥିଲେ। ସ୍ବୟଂସମ୍ପୂର୍ଣ୍ଣ ବୈଜ୍ଞାନିକ ସାମନ୍ତ ଚନ୍ଦ୍ରଶେଖର ୧୮୯୨ ନଭେମ୍ବର ୧୨ ମାର୍ଗଶିର କୃଷ୍ଣ ନବମୀ ଶନିବାର ମହାର୍ଘ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା ସମାପ୍ତ କରିଥିଲେ ଏବଂ ଏହି ଗ୍ରନ୍ଥକୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଥିଲେ।
ସଂସ୍କୃତ ଭାଷାରେ, ଓଡ଼ିଆ ଲିପିରେ ତାଳପତ୍ର ପୋଥିରେ ଲିଖିତ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥର ସମୁଦାୟ ଶ୍ଳୋକ ସଂଖ୍ୟା ଥିଲା ୨୫୦୦। ତନ୍ମଧ୍ୟରୁ ସାମନ୍ତଙ୍କର ନିଜସ୍ବ ରଚନା ଶ୍ଳୋକ ୨୨୮୪ ଥିବାବେଳେ ଅନ୍ୟାନ୍ୟ ଗ୍ରନ୍ଥମାନଙ୍କରୁ ୨୧୬ଟି ଶ୍ଳୋକ ଉଦ୍ଧୃତ କରାଯାଇଛି। ନକ୍ଷତ୍ରମାନଙ୍କ ସମ୍ପର୍କରେ ଟିପ୍ପଣୀ, ଚନ୍ଦ୍ରକଳା, ଗ୍ରହଚଳନ, ସୌରଜଗତ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟୋପରାଗ ଆଦିର ନିର୍ଭୁଲ ଗଣନା କରି ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥରେ ଲିପିବଦ୍ଧ କରାଯାଇଅଛି। ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥକୁ ସ୍ଥୂଳଭାଗରେ ପୂର୍ବାର୍ଦ୍ଧ ଓ ଉତ୍ତରାର୍ଦ୍ଧ ଭାବେ ଦୁଇଭାଗରେ ବିଭକ୍ତ କରାଯାଇଛି। ପୂର୍ବାର୍ଦ୍ଧରେ ପ୍ରଥମ ୧୫ ଗୋଟି ଅଧ୍ୟାୟ ଓ ଉତ୍ତରାର୍ଦ୍ଧରେ ଶେଷ ୯ ଗୋଟି ଅଧ୍ୟାୟ ଅନ୍ତର୍ଭୁକ୍ତ। ପରିଚ୍ଛେଦଗୁଡ଼ିକୁ ମଧ୍ୟମାଧିକାର, ସ୍ଫୁଟନାଧିକାର, ତ୍ରିପ୍ରଶ୍ନାଧିକାର, ଗୋଳାଧିକାର ଓ କଳାଧିକାର ପରି ପାଞ୍ଚଗୋଟି ଅନୁ ବିଭାଗରେ ବିଭକ୍ତ କରାଯାଇଛି।
ଶରୀର ଉପରେ ଖାଦ୍ୟର ପ୍ରଭାବ ପଡ଼ୁଥିବାରୁ ଖାଦ୍ୟକୁ ତାମସିକ, ରାଜସିକ ଏବଂ ସାତ୍ତ୍ୱିକ ଭାବେ ବିଭକ୍ତ କରାଯାଇଛି। ସାମନ୍ତ ଶୃଙ୍ଖଳିତ ଜୀବନଯାପନ କରିବା ସହିତ ଭୋଜନରେ ମଧ୍ୟ ଶୃଙ୍ଖଳା ରକ୍ଷା କରୁଥିଲେ। ସେ ପ୍ରତିଦିନ ପୂର୍ବାହ୍ନରେ କୁକୁଡ଼ା ଅଣ୍ଡା ପ୍ରମାଣ ୨୪ଗୁଣ୍ଡା ଏବଂ ରାତ୍ରିରେ ସେହିପରି ୧୮ଗୁଣ୍ଡା ଅନ୍ନ ଭୋଜନ କରୁଥିଲେ। ବିଭିନ୍ନ ତିଥିମାନଙ୍କରେ କେତେକ ଦ୍ରବ୍ୟ ସେବନ ବାରଣ ଥିବାରୁ ସେ ସେବୁର ଅନୁପାଳନ କରୁଥିଲେ। ପ୍ରତିପଦାରେ ପାଣି କଖାରୁ, ଦ୍ୱିତୀୟାରେ ବୋଇତି କଖାରୁ, ତୃତୀୟାରେ ପୋଟଳ, ଚତୁର୍ଥୀରେ ମୂଳା, ପଞ୍ଚମୀରେ ବେଲ, ଷଷ୍ଠୀରେ ନିମ୍ବ, ସପ୍ତମୀରେ ତାଳ, ଅଷ୍ଟମୀରେ ନଡ଼ିଆ, ନବମୀରେ ଲାଉ, ଦଶମୀରେ କଳମ୍ବଶାଗ, ଏକାଦଶୀରେ ଶିମ୍ବ, ଦ୍ୱାଦଶୀରେ ପୋଇ, ତ୍ରୟୋଦଶୀରେ ବାଇଗଣ, ଚତୁର୍ଦ୍ଦଶୀରେ ବିରି ଏବଂ ଅମାବାସ୍ୟା ତଥା ପୂର୍ଣ୍ଣମୀରେ ମାଂସ (ଆମିଷ) ଭୋଜନ ଦୋଷାବହ ବୋଲି ସାମନ୍ତ ମତ ପ୍ରକାଶ କରୁଥିଲେ।
ବିସ୍ମୟ ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖରଙ୍କ ସମ୍ପର୍କରେ ମତ ପ୍ରକାଶ କରିବାକୁ ଯାଇ ୧୯୦୪ ରେ ପ୍ରକାଶିତ ହୋଇଥିବା ପୁସ୍ତକ Astronomy without telescope ର ପ୍ରଣେତା ୱାଲଟର ମଣ୍ଡର ଦର୍ଶାଇଥିଲେ ଯେ;”ଟେଲିସ୍କୋପ୍‌ର ସ୍ବପ୍ନ ଦେଖିବାର ବହୁ ବର୍ଷ ପୂର୍ବରୁ ଓଡ଼ିଶା ଗ୍ରାମରେ ଏହି ନିର୍ଜନବାସୀ ବ୍ୟକ୍ତିଙ୍କଠାରୁ ସତେ ଯେମିତି ବିଜ୍ଞାନର ଜଣେ ଆଦିପିତା ଆବିର୍ଭୂତ ହୋଇଥିଲେ।“ ଉଭୟ ଆଧ୍ୟାମତ୍ିକତା ଏବଂ ବିଜ୍ଞାନର ଏହି ମହାନ୍‌ ସାଧକ ସାମନ୍ତ ଚନ୍ଦ୍ରଶେଖରଙ୍କ ଉଦ୍ଦେଶ୍ୟରେ ପଲ୍ଲୀକବି ନନ୍ଦ କିଶୋର ବଳ କହିଉଠିଥିଲେ କି; ହେ ଚନ୍ଦ୍ରଶେଖର ନବଉତ୍କଳ ମଣ୍ଡନ/ ନବଯୁଗ ଜ୍ଞାନବୀର କୁଳ ସୁନନ୍ଦନ।…
ନବ ବୈଜ୍ଞାନିକ – ଉଦ୍‌ଭାବନ- ନବଜ୍ଞାନ/ ମଧ୍ୟେ ଉତ୍କଳର ମଧ୍ୟ ଅଛି କିଛି ସ୍ଥାନ।
ସମ୍ପାଦକ, ପଠାଣିସାମନ୍ତ ମେମୋରିଆଲ ପରିଷଦ, ଖଣ୍ଡପଡ଼ା, ନୟାଗଡ଼
ମୋ: ୯୯୩୭୩୩୪୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri